ବିଶ୍ବକପ୍‌ ଅଭ୍ୟାସ ମ୍ୟାଚ୍‌, ଭାରତର ପ୍ରଭାବଶାଳୀ ବିଜୟ

ଦୁବାଇ: ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ଖେଳିବା ପୂର୍ବରୁ ୨ଟିଯାକ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡକୁ ସହଜରେ ପରାସ୍ତ କରିଥିବା ଭାରତ ବୁଧବାର ୨ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମଧ୍ୟ ସହଜରେ ୮ ୱିକେଟରେ ପରାସ୍ତ କରିଛି। ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିବାକୁ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ୫ ୱିକେଟରେ ୧୫୨ ରନ୍‌ କରି ପାରିଥିଲା। ପରେ କ୍ରିଜ୍‌କୁ ଓହ୍ଲାଇଥିବା ସମସ୍ତ ଭାରତୀୟ ବ୍ୟାଟ୍‌ସମ୍ୟାନ ସଫଳ ହେବାରୁ ୧୩ଟି ବଲ୍‌ ବାକିଥାଇ ଭାରତ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆର ବୋଲର ମାତ୍ର ଗୋଟିଏ ୱିକେଟ ନେଇଥିବା ବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କୁ ସୁଯୋଗଦେବା ପାଇଁ ରୋହିତ ଶର୍ମା ରିଟାୟର୍ଡ ଆଉଟ ହୋଇଥିଲେ।

ଭାରତୀୟ ଓପ୍‌ନର ସହଜରେ ୧୫୩ ରନ୍ ଲକ୍ଷ୍ୟର ପିଛା କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଓପ୍‌ନର କେ.ଏଲ୍‌. ରାହୁଲ ଭଲ ବ୍ୟାଟିଂ କରିଥିବା ବେଳେ ରୋହିତ ଶର୍ମା ମଧ୍ୟ ତାଙ୍କ ଫର୍ମ ଦେଖାଇଥିଲେ। ଫଳରେ ୫୬ ବଲ୍‌ରେ ୬୮ ରନ୍‌ର ଓପ୍‌ନିଂ ଭାଗିଦାରୀ ହୋଇଥିଲା। ରାହୁଲ ୩୧ ବଲରୁ ୩ଟି ଛକା ଓ ୨ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। ପରେ ରୋହିତ ଓ ସୂର୍ଯ୍ୟକୁମାର ଯାଦବ ୩୪ ବଲ୍‌ରୁ ୫୯ ରନ୍ ଯୋଡ଼ିଥିଲେ। ୪୧ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୦ ରନ୍‌କରି ରୋହିତ ରିଟାୟର୍ଡ ଆଉଟ ହୋଇଥିଲେ।

ରୋହିତ ଏପରି ଇନିଂସ ଖେଳି ପାକିସ୍ତାନ ବୋଲରଙ୍କୁ ଚେତାବନୀ ଦେଇଛନ୍ତି। ପରେ ସୂର୍ଯ୍ୟକୁମାର ଓ ହାର୍ଦିକ ପାଣ୍ଡ୍ୟା ଦଳକୁ ଜିତାଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଅପରାଜିତ ଥିବା ପାଣ୍ଡ୍ୟା ୮ ବଲ୍‌ରୁ ୧୪ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ୨୭ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ।

ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂନେବା ପରେ ୧୧ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଡେଭିଡ୍‌ ୱାର୍ଣ୍ଣର ୧, ଅଧିନାୟକ ଆରୋନ୍ ଫିଞ୍ଚ୍ ୮ ଓ ମିଚେଲ ମାର୍ଶ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଷ୍ଟିଭେନ୍ ସ୍ମିଥ୍ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୬୧ ରନ୍‌ ଯୋଡ଼ିଥିଲେ। ମ୍ୟାକ୍ସୱେଲ ୨୮ ବଲ୍‌ରୁ ୫ଟି ଚୌକା ସହ ୩୭ ରନ୍‌ କରିଥିଲେ। ପରେ ମାର୍କସ ଷ୍ଟୋଇନିସ୍ ଓ ସ୍ମିଥ୍ ୪ର୍ଥ ୱିକେଟ ପାଇଁ ୮ ଓଭରରେ ୭୬ ରନ୍ ଯୋଡ଼ିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ସ୍ମିଥ୍ ୪୮ ବଲ୍‌ରୁ ୭ଟି ଚୌକା ସହ ୫୭ ରନ୍‌ କରିଥିଲେ। ଷ୍ଟୋଇନିସ୍ ୨୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୧ ରନ୍‌କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨ଟି ୱିକେଟ ପାଇଥିଲେ।

Comments are closed.