ଦିନିକିଆ : ଭାରତଠାରୁ ଆଗରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଚଳିତମାସ ୨୭ରୁ ତା’ର ଅଭିଯାନ ଆରମ୍ଭ କରିବ। ଉଭୟ ଦେଶଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ଆରମ୍ଭ ପୂର୍ବରୁ ଆସନ୍ତୁ ଜାଣିବା ଉଭୟ ଦେଶଙ୍କ ମଧ୍ୟରେ ଖେଳା ଯାଇଥିବା ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଏବଂ ଦିନିକିଆ ମ୍ୟାଚ୍‌ ସମ୍ପର୍କରେ। ସିରିଜ୍ ଫଳାଫଳରେ ଉଭୟ ଦେଶ ସମାନ ସ୍ଥିତିରେ ଥିବା ​‌େ​‌ବଳେ ମ୍ୟାଚ୍‌ ଫଳାଫଳରେ କିନ୍ତୁ ଅଷ୍ଟ୍ରେଲିଆ ଆଗରେ ରହିଛି।
ଅଦ୍ୟାବଧି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୨ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ୧୯୮୪ରୁ ୨୦୨୦ ମଧ୍ୟରେ ଖେଳା ଯାଇଥିବା ମୋଟ ୧୨ଟି ସିରିଜ୍‌ରେ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଅର୍ଥାତ୍ ଉଭୟ ଦଳ ୬ଟି ଲେଖାଏଁ ଦ୍ବିପାକ୍ଷିକ ଦିନିକିଆ ସିରିଜ୍‌କୁ ବାଣ୍ଟି ନେଇଛନ୍ତି। ୧୯୮୪ରେ ଭାରତମାଟିରେ ଖେଳା ଯାଇଥିବା ପ୍ରଥମ ଦ୍ବିପାକ୍ଷିକ ସିରିଜ୍‌ରେ ୫ଟି ଦିନିକିଆ ଥିବା ବେଳେ ଅଷ୍ଟ୍ରେଲିଆ ଏହାକୁ ୩-୦ରେ ଜିତିଥିଲା ଏବଂ ୨ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଶେଷଥର ୨୦୨୦ରେ ଉଭୟ ଦଳ ଭାରତରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିଥିଲେ। ଭାରତ ଏହାକୁ ୨-୧ରେ ଜିତି ନେଇଥିଲା। ଭାରତ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ୧୦ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ୫ଟି ଲେଖାଏଁ ସିରିଜ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମାତ୍ର ୨ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ସିରିଜ୍ ଜିତିଛନ୍ତି। ମ୍ୟାଚ୍‌ ଫଳାଫଳରେ ଅଷ୍ଟ୍ରେଲିଆ ଆଗରେ ରହିଛି। ୧୯୮୦ରୁ ଅଦ୍ୟାବଧି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୧୪୦ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୭୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୫୨ଟି ମ୍ୟାଚ୍‌ ଜିତିଛି। ୧୦ଟି ମ୍ୟାଚ୍ ବିନା ଫଳାଫଳରେ ସମାପ୍ତ ହୋଇଛି। ଭାରତ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୬୪ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୨୯ଟି ଓ ଅଷ୍ଟ୍ରେଲିଆ ୩୦ଟି ମ୍ୟାଚ୍ ଜିତିଛନ୍ତି। ୫ଟି ମ୍ୟାଚ୍‌ରୁ ଫଳାଫଳ ବାହାରିନାହିଁ। ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୫୧ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଘରୋଇ ଅଷ୍ଟ୍ରେଲିଆ ୩୬ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୧୩ଟି ମ୍ୟାଚ୍ ଜିତିଛି। ୨ ଟି ମ୍ୟାଚ୍‌ରୁ ଫଳାଫଳ ବାହାରିନାହିଁ।

Comments are closed.