୨ୟ ଦିନିକିଆ ଆଜି; ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ : ଶେଷଥର ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଦିନିକିଆ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ ପଛରେ ଥିବା ସତ୍ତ୍ବେ ୨-୧ରେ ବିଜୟୀ ହୋଇଥିଲା। ଏବେ ମଧ୍ୟ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ଭାରତ ସମାନ ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ହାରିବା ପରେ ରବିବାର ୨ୟ ଦିନିକିଆ ଖେଳିବାକୁ ଭାରତ ପଡ଼ିଆକୁ ଓହ୍ଲାଇବ। ହେଲେ ଏବେ ପରିସ୍ଥିତି ଭିନ୍ନ। ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍‌ ୱାର୍ଣ୍ଣର ଏହି ସିରିଜ୍ ଖେଳିବା ସହ ଅଷ୍ଟ୍ରେଲିଆର ୩ ପ୍ରମୁଖ ଫାଷ୍ଟବୋଲର ଜୋସ୍ ହାଜେଲଉଡ୍, ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍‌ସ ଏହି ସିରିଜ୍ ଖେଳୁଛନ୍ତି। ଫଳରେ ଅଷ୍ଟ୍ରେଲିଆର ଶକ୍ତି ବୃଦ୍ଧିଘଟିଛି। ଅନ୍ୟପକ୍ଷରେ ଭାରତକୁ ସିରିଜ୍ ବଞ୍ଚାଇବାକୁ ହେଲେ ରବିବାର ୨ୟ ମ୍ୟାଚ୍‌କୁ ନିଶ୍ଚିତ ଜିତିବାକୁ ପଡ଼ିବ। ଅନ୍ୟଥା ଏହି ମ୍ୟାଚ୍ ଜିତି କଙ୍ଗାରୁଦଳ ସିରିଜ୍ ହାତେଇନେବ।
ବିଶ୍ବର ଅନ୍ୟତମ ଶକ୍ତିଶାଳୀ ବୋଲିଂ ଲାଇନ୍‌ର ମାନ୍ୟତା ପାଇଥିବା ଭାରତୀୟ ବୋଲରଙ୍କ ଦୁର୍ବଳତା ପ୍ରଥମ ମ୍ୟାଚ୍‌ରେ ପଦାରେ ପଡ଼ିଯାଇଛି। ଭାରତ ବିପକ୍ଷରେ ସର୍ବାଧିକ ସ୍କୋର୍ (୩୭୪ ରନ୍‌)କରି ଏହାର ବୋଲରଙ୍କୁ ଚାପରେ ପକାଇ ପାରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ୍। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ ଅଲ୍‌ରାଉଣ୍ଡରର ଅଭାବ ଜଣା ପଡ଼ିଯାଇଛି। ହାର୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ଦର୍ଶନୀୟ ୯୦ ରନ୍ କରିଥିଲେ ହେଁ ସେ ବୋଲିଂ କରି ନପାରିବା ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିଛି। ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ ଓ ନବଦୀପ ସେନି ମିଳିତ ଭାବେ ୨୦ ଓଭରରୁ ୧୭୨ ରନ୍ ଦେଇଥିଲେ। ତେବେ ଦୁହିଁଙ୍କ ଫିଟ୍‌ନେସ୍ ନେଇ ସାମାନ୍ୟ ସନ୍ଦେହ ରହିଛି। ଚହଲ ଓ ସୈନି ଫିଟ୍‌ ଘୋଷିତ ହେଲେ ଖେଳିପାରନ୍ତି ତଥାପି ସୈନିଙ୍କ ସ୍ଥାନରେ ଟି. ନଟରାଜନ୍‌ଙ୍କୁ ଖେଳାଇବା କଥା ଭାରତ ବିଚାର କରୁଛି। ପୁଣି ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଆହତଗତ ସମସ୍ୟା ରହିଛି। ପ୍ରଥମ ମ୍ୟାଚ୍‌ରେ ୭ମ ଓଭର ବୋଲିଂ କରୁଥିବା ବେଳେ ଆହତହୋଇ ପାଭିଲିଅନ୍‌କୁ ଫେରି ଯାଇଥିବା ମାର୍କସ ଷ୍ଟୋଇନିସ୍‌ ଖେଳିବା ନେଇ ସନ୍ଦେହ ରହିଛି। ତାଙ୍କ ସ୍ଥାନନେବା ପାଇଁ ୩ ଜଣ ଅଲ୍‌ରାଉଣ୍ଡର ରହିଛନ୍ତି। କ୍ୟାମେରନ୍ ଗ୍ରୀନ୍, ମୋଇଜେସ୍ ହେନ୍‌ରିକ୍‌ସ କିମ୍ବା ସନ୍ ଆବଟ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ତେବେ ଗ୍ରୀନ୍‌ଙ୍କ ଖେଳିବା ସମ୍ଭାବନା ଅଧିକ। ବାକି ୧୦ ଜଣ ଖେଳାଳି ସ୍ଥାନ ବଜାୟ ରଖିପାରନ୍ତି। ପ୍ରଥମ ମ୍ୟାଚ୍‌ରେ ମିଚେଲ ଷ୍ଟାର୍କ ବିଫଳ ହୋଇଥିଲେ ମଧ୍ୟ ସେ ଜଣେ ମ୍ୟାଚ୍‌ ବିଜେତା। ତାଙ୍କୁ ୨ୟ ସୁଯୋଗ ମିଳିବା ନିଶ୍ଚିତ। ପିଚ୍‌ ପ୍ରଥମ ମ୍ୟାଚ୍‌ ପରି ବ୍ୟାଟିଂ ସହାୟକ ହେବ। ତେଣୁ ପୁଣି ବଡ଼ ସ୍କୋର୍ ଦେଖିବାକୁ ମିଳିପାରେ। ସିଡ୍‌ନୀରେ ବିରାଟ କୋହଲି ତାଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ୧୧.୪୦ରେ ଉନ୍ନତି କରିବାକୁ ଚାହିଁବେ। ଭାରତର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ପ୍ରଥମ ମ୍ୟାଚ୍‌ରେ ଅଧିକ ବାଉନ୍‌ସର ମୁକାବିଲା କରି ପାରିନଥିଲେ। ସେମାନଙ୍କୁ ଏହି ଦୁର୍ବଳତାକୁ ଦୂର କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଯଶପ୍ରୀତ ବୁମ୍‌ରାଙ୍କୁ ତାଙ୍କ ବୋଲିଂରେ ଉନ୍ନତି କରିବାକୁ ପଡ଼ିବ। ସିଡ୍‌ନୀରେ ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ବୁମ୍‌ରା ସେପରି ପ୍ରଭାବ ପକାଇ ପାରିନଥିଲେ। ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ନୂଆବଲ୍‌ରେ ୱିକେଟ ନେବାକୁ ପଡ଼ିବ। ମୋଟଉପରେ ୨ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫେଭରିଟ୍‌। ତେବେ ଘରୋଇ ଦଳକୁ ଚକ୍‌ମା ଦେବାର ଦକ୍ଷତା ଭାରତର ରହିଛି।
ଆଜି (ରବିବାର)ର ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ
ସିଧା ପ୍ରସାରଣ: ସକାଳ ୯.୧୦ରୁ
ଚ୍ୟାନେଲ: ସୋନି ସିକ୍ସ, ଟେନ୍-୧ ଓ ୩

Comments are closed.