ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ସିଡ୍‌ନୀ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। କରୋନା ସଂକ୍ରମଣ ପରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦ୍ବିପାକ୍ଷିକ ସିରିଜ୍ ଖେଳିବାକୁ ଯାଉଛି। ପୁଣି ପ୍ରଥମଥର କ୍ରିକେଟ୍‌ ମ୍ୟାଚ୍‌ରେ ଦର୍ଶକଙ୍କୁ ଦେଖିବାକୁ ମିଳିବ। ଷ୍ଟାଡିୟମ୍‌ର ଆସନ ସଂଖ୍ୟାର ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମ୍‌ ଆସିବେ ଏବଂ ପୂରା ସିରିଜ୍ ପାଇଁ ସମସ୍ତ ଟିକଟ ବିକ୍ରି ହୋଇସାରିଛି। ଏହି ମ୍ୟାଚ୍‌ ସହ ବିରାଟ କୋହଲିଙ୍କ ଦଳ ଅଷ୍ଟ୍ରେଲିଆରେ ଏହି ଦୀର୍ଘ ଗସ୍ତର ଶୁଭାରମ୍ଭ କରିବ। ବିଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିବାକୁ ଉଭୟ ଦଳ ଚାହିଁବେ।
ବ୍ୟାଟିଂ ସୁପରଷ୍ଟାର ରୋହିତ ଶର୍ମାଙ୍କ ବିନା ଭାରତ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି। ରୋହିତଙ୍କ ଅନୁପସ୍ଥିତି ଭାରତୀୟ ବ୍ୟାଟିଂକୁ ଦୁର୍ବଳ କରିଦେଇଛି ନିଶ୍ଚୟ। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ହିଁ ଶିଖର ଧାୱନଙ୍କ ସହ ଇନିଂସ ଓପନ୍‌ କରିବେ। ଅଧିନାୟକ କୋହଲିଙ୍କ ପରେ ମଧ୍ୟକ୍ରମରେ ଅନ୍ୟ ୩ ବ୍ୟାଟ୍‌ସମ୍ୟାନ୍ ହେଲେ ଶ୍ରେୟାସ ଆୟର, କେ.ଏଲ୍‌. ରାହୁଲ ଓ ହାର୍ଦିକ ପାଣ୍ଡ୍ୟା। ରାହୁଲ ୱିକେଟ ରକ୍ଷଣ କରିବେ। ଯଦି ଭାରତ ଦୁଇ ଫାଷ୍ଟବୋଲର ଭାବେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ଖେଳାଏ; ତେବେ ନବଦୀପ ସୈନି ଓ ସାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣେ ଖେଳିବେ। ରବୀନ୍ଦ୍ର ଜାଡ଼େଜା ପ୍ରଥମ ପସନ୍ଦର ସ୍ପିନର ହୋଇଥିବା ବେଳେ ୨ୟ ସ୍ପିନର ଭାବେ ଯୁଜବେନ୍ଦ୍ର ଚହଲଙ୍କ ଖେଳିବା ସମ୍ଭାବନା ଅଧିକ। ଚୂଡ଼ାନ୍ତ ଏକାଦଶ ବାଛିବା ଅଷ୍ଟ୍ରେଲିଆ ପାଇଁ ସେତେ କଷ୍ଟକର ନୁହେଁ। ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ପରେ ୩ନଂ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଖେଳିବେ। ପରବର୍ତ୍ତୀ ୪ ବ୍ୟାଟ୍‌ସମ୍ୟାନ୍ ହେଲେ ମାର୍ନସ ଲାବୁସେନ୍, ମାର୍କସ ଷ୍ଟୋଇନିସ୍, ଆଲେକ୍ସ କ୍ୟାରି ଓ ଗ୍ଲେନ୍ ମ୍ୟାକ୍ସୱେଲ। ଆଇପିଏଲ୍‌ରେ ମ୍ୟାକ୍ସୱେଲଙ୍କ ବିଫଳତା ପରେ ମଧ୍ୟ ତାଙ୍କ ଉପରେ ଅଷ୍ଟ୍ରେଲିଆ ଭରସା ରଖିଛି। ତାଙ୍କ ଶେଷ ୨ଟି ଦିନିକିଆରେ ମ୍ୟାକ୍ସୱେଲ ୭୭ ଓ ୧୦୮ ରନ୍ କରିଥିଲେ।
ଅଷ୍ଟ୍ରେଲିଆ​‌େ​‌ର କୋହଲିଙ୍କ ଦିନିକିଆ ରେକର୍ଡ ବହୁତ ଭଲ। ସେ ୫ଟି ଶତକ ସହ ୫୦.୧୭ ଆଭ୍‌ରେଜରେ ୧୧୫୪ ରନ୍ କରିଛନ୍ତି। ହେଲେ ସିଡ୍‌ନୀ ହେଉଛି କୋହଲିଙ୍କ ପାଇଁ ଦୁଃସ୍ବପ୍ନ। ଏଠାରେ ସେ ଦିନିକିଆରେ ୯ ଆଭ୍‌ରେଜରେ ସ୍କୋର୍ କରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର୍ ୨୧ ରନ୍। ସିଡ୍‌ନୀରେ ଭାରତର ରେକର୍ଡ ସବୁଠାରୁ ଖରାପ। ଏଠାରେ ଭାରତ-ଅଷ୍ଟ୍ରେଲିଆ ୧୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଭାରତ ମାତ୍ର ୨ଟି ଜିତିଛି। ତେବେ ଅଷ୍ଟ୍ରେଲିଆ ମାଟିରେ ଭାରତ ଶେଷ ୪ଟି ଦିନିକିଆରୁ ୩ଟି ଜିତିଛି। ସିଡ୍‌ନୀ ପିଚ୍‌ରେ ୩୦୦ରୁ ଅଧିକ ରନ୍ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି। ହେଲେ ଉଭୟ ଦଳର ବୋଲିଂ ବେଶ୍‌ ଶକ୍ତିଶାଳୀ। ଅ‌େ‌ଷ୍ଟ୍ରଲିଆ ବୋଲିଂ ଲାଇନ୍‌ରେ ପ୍ୟାଟ୍‌ କମିନ୍‌ସ, ଜୋସ୍ ହାଜେଲ୍‌ଉଡ୍‌, ମିଚେଲ ଷ୍ଟାର୍କ ଓ ଆଡାମ୍ ଜାମ୍ପା ରହିବେ। ଷ୍ଟୋଇନିସ୍ ଓ ମ୍ୟାକ୍ସୱେଲ୍‌ ୫ମ ବୋଲର ଦାୟିତ୍ବ ନିର୍ବାହ କରିବେ। ଭାରତ ଏହି ସିରିଜ୍‌ରେ ୧୯୯୨ ବିଶ୍ବକପ୍‌ର ଗାଢ଼ ନୀଳ ଜର୍ସି ପିନ୍ଧି ଖେଳିବ। ଫର୍ମରେ ଥିବା ଶିଖର ଧାୱନ୍ ଓ କୋହଲିଙ୍କ ଉପରେ ଭାରତୀୟ ବ୍ୟାଟିଂ ଅଧିକ ନିର୍ଭର କରିବ। ସାମର୍ଥ୍ୟ ଦୃଷ୍ଟିରୁ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ତେବେ ନିଜମାଟିରେ ଖେଳୁଥିବାରୁ ଅଷ୍ଟ୍ରେଲିଆର ପଲ୍ଲା ସାମାନ୍ୟ ଭାରିରହିବ।
ଆଜି (ଶୁକ୍ରବାର)ର ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ
ସିଧା ପ୍ରସାରଣ: ସକାଳ ୯.୧୦ରୁ
ଚ୍ୟାନେଲ: ସୋନି ସିକ୍ସ, ଟେନ୍-୧ ଓ ୩

Comments are closed.