୨୭ରେ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ, ଆଞ୍ଚଳିକ ସହଯୋଗ ଓ ଦ୍ୱିପାକ୍ଷିକ ସମ୍ପର୍କ ମୁଖ୍ୟ ପ୍ରସଙ୍ଗ

ଭାରତ ଚଳିତ ମାସ ୨୭ରେ ଆମେରିକା ସହ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ଏହା ଭାରତ-ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ହେବ। ଆମେରିକାର ବିଦେଶ ସଚିବ ମାଇକେଲ ଆର ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଟି ଏସପର୍ ଅକ୍ଟୋବର ୨୬ରେ ଭାରତ ଗସ୍ତରେ ଆସି ଏହି ବୈଠକରେ ଅଂଶଗ୍ରହଣ କରିବେ।

ବୈଠକରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ପ୍ରତିନିଧିତ୍ୱ କରିବେ। ପୂର୍ବରୁ ପ୍ରଥମ ଦୁଇଟି ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ୨୦୧୮ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଏବଂ ୨୦୧୯ରେ ୱାଶିଂଟନ୍ ଡିସିରେ ଅନୁଷ୍ଠିତ ହୋଇଥିଲା।

ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକରେ ପାରସ୍ପରିକ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ଵସ୍ଥରୀୟ ପ୍ରସଙ୍ଗ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଜଣାପଡିଛି। ଆମେରିକାର ବିଦେଶ ସଚିବ ମାଇକେଲ ଆର ପମ୍ପିଓ ବୁଧବାର ଏକ ଟୁଇଟ୍‌ରେ ଏହା କହିଛନ୍ତି, ଭାରତ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଇଣ୍ଡୋନେସିଆକୁ ମୋର ଆଗାମୀ ଯାତ୍ରାକୁ ଅପେକ୍ଷା କରିଛି ଯେଉଁଥିରେ ସହଭାଗୀମାନଙ୍କ ସହ ଫଳପ୍ରଦ ବାର୍ତ୍ତାଳାପ ହେବ।

ଉଭୟ ଭାରତ ଏବଂ ଆମେରିକାର ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଭୌଗଳିକ ସହଯୋଗ ପାଇଁ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଛି। ଭାରତ ଏବଂ ଆମେରିକା ମଧ୍ୟରେ ୨୦୧୬ ଏବଂ ୨୦୧୮ରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ସମ୍ପର୍କିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

Comments are closed.