୨୦୨୦ରେ ଦେଶରେ ବ୍ୟବହାର ହେବ ଭାରତ ଷ୍ଟେଜ୍‍-୬ ଯାନ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଵଡେକର କହିଛନ୍ତି, ୨୦୨୦ ଏପ୍ରିଲ୍‍ ସୁଦ୍ଧା ଦେଶରେ ଭାରତ ଷ୍ଟେଜ୍‍-୬ ଇଞ୍ଜିନ୍‍ଯୁକ୍ତ ଯାନବାହନ ବ୍ୟବହାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ବି.ଏସ୍‍.-୬ ପେଟ୍ରୋଲ୍‍ ଏବଂ ଡିଜେଲ୍‍ ଚାଳିତ ଯାନ ଦିଲ୍ଲୀରେ ଏବେ ଉପଲବ୍ଧ ହେଉଛି ଏବଂ ୨୦୨୦ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବରେ ବ୍ୟବହାର ହେବ। ସୋମବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଜାଵଡେକର କହିଛନ୍ତି, ଦିଲ୍ଲୀ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହାର କମ୍‍ କରିବା ଉଦ୍ଦେଶ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ଯାଞ୍ଚ୍‍ କରାଯାଉଛି।

ସବୁଜ ଆତସବାଜି ବ୍ୟବହାରକୁ ପରିବେଶ ମନ୍ତ୍ରୀ ଜାଵଡେକର ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି କହିଛନ୍ତି, ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନଙ୍କୁ ୧୧ ଶହ ୫୦ କୋଟି ଟଙ୍କା ବ୍ୟୟରେ ୧୮ ହଜାରଟି ମେସିନ୍‍ ଯୋଗାଇ ଦିଆଯାଇଛି, ଯାହା ସାହାଯ୍ୟରେ ସେମାନେ ଚାଷଜମିରେ ରହୁଥିବା ଫସଲର ମୂଳକୁ ସହଜରେ ବାହାର କରିପାରିବେ। ସେ କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିଷୟରେ କୌଣସି ନିର୍ଦ୍ଧାରିତ ପଦକ୍ଷେପ ନିଆଯାଇ ନ ଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ମାନକ ସ୍ତର ଆରମ୍ଭ କରିବା ପରେ ଦିଲ୍ଲୀରେ ଏହାର ପର୍ଯ୍ୟବେକ୍ଷଣ ପାଇଁ ୨୯ଟି ବାୟୁ ପ୍ରଦୂଷଣ ମାପିବା ଯନ୍ତ୍ର ସ୍ଥାପନ କରାଯାଇଛି।

Comments are closed.