ବିଶ୍ୱ କରୋନାମୁକ୍ତ ହେଲେ ୨୦୩୨ ଅଲିମ୍ପିକ୍‍ସ ଆୟୋଜନ ପାଇଁ ଭାରତର ଦାବି ଜୋର ଧରିବ: ବାତ୍ରା

ନୂଆଦିଲ୍ଲୀ : ୨୦୩୨ ଅଲିମ୍ପିକ୍‍ କ୍ରୀଡ଼ା ଏବଂ ଅନ୍ୟ ଆନ୍ତର୍ଜାତିକ କ୍ରୀଡ଼ା ଇଭେଣ୍ଟର ଆୟୋଜନ ଅଧିକାର ପାଇବା ପାଇଁ ଭାରତ ତା’ର ଦାବି ଜୋରଦାର କରିବ। ତେବେ ଏହା ସମ୍ଭବ ହେବ ସାରା ବିଶ୍ୱ ସମ୍ପୂର୍ଣ୍ଣଭାବେ କରୋନାମୁକ୍ତ ହେବା ପରେ। ଏହା କହିଛନ୍ତି ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ (ଆଇଓଏ)ର ସଭାପତି ତଥା ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‍ଆଇଏଚ୍‍)ର ସଭାପତି ନରିନ୍ଦର ବାତ୍ରା। ଠିକ୍‍ ୧୦ ବର୍ଷ ତଳେ ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ ଅଦ୍ୟାବଧି ଭାରତ ଆୟୋଜନ କରିଥିବା ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ଏହି କ୍ରୀଡ଼ାର ଆୟୋଜନ ମୋଟ ଉପରେ ସଫଳ ହୋଇଥିଲା। ଉକ୍ତ କ୍ରୀଡ଼ା ଆୟୋଜନର ଅଭିଜ୍ଞତାରୁ ଶିଖି ୨୦୩୨ରେ ଭାରତରେ ବିଶ୍ୱର ସବୁଠାରୁ ବଡ଼ ଓ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ କରିବାକୁ ଦେଶ ଲକ୍ଷ୍ୟରଖିଛି ବୋଲି ବାତ୍ରା କହିଛନ୍ତି।

ଶୁକ୍ରବାର ନରିନ୍ଦର ବାତ୍ରା କହିଥିଲେ, ଆମେ ଅତି ଗମ୍ଭୀରତାର ସହ ୨୦୩୨ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ କରିବାର ଲକ୍ଷ୍ୟ ରଖିଛୁ ଏବଂ ଏହି ଲକ୍ଷ୍ୟରେ ଆଗେଇ ଚାଲିଛୁ। ତେବେ ଏହା ପୂର୍ବରୁ ଯୁବ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ କରିବାର ଯୋଜନା ରହିଛି। ଯୁବ ଅଲିମ୍ପିକ୍‍ କ୍ରୀଡ଼ାର ସଫଳତା ଆମକୁ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ ପାଇଁ ବାଟ କଢ଼ାଇବ। ୨୦୨୬ ଯୁବ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ ପାଇଁ ଭାରତ ଲିଖିତ ଭାବେ ତା’ର ଦାବି ଆନ୍ତର୍ଜାତିକ ଅଲିମ୍ପିକ୍‍ କମିଟି (ଆଇଓସି) ନିକଟରେ ଉପସ୍ଥାପନ କରିସାରିଛି। ତେବେ ଥାଲଲାଣ୍ଡ, ରୁଷିଆ ଓ କଲମ୍ବିଆ ଏହି କ୍ରୀଡ଼ା ଆୟୋଜନ ପାଇଁ ଆଗ୍ରହୀ ଅଛନ୍ତି। ତେଣୁ ଏମାନଙ୍କ ସହ ଭାରତକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିପାରେ। ୨୦୩୨ ଅଲିମ୍ପିକ୍‍ କ୍ରୀଡ଼ା ପାଇଁ ମଧ୍ୟ କମ୍‍ ଦାବିଦାର ନାହାନ୍ତି। ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ପାଇଁ ଅଷ୍ଟ୍ରେଲିଆର କ୍ୱିନ୍‍ସଲାଣ୍ଡ, ଚୀନ୍‍ର ସାଂଘାଇ ଏବଂ ଦକ୍ଷିଣ କୋରିଆର ସିଓଲ୍‍ କିମ୍ବା ପ୍ୟୋଙ୍ଗ୍‍ୟାଙ୍ଗ୍‍ ଆଗ୍ରହ ପ୍ରକାଶ କରି ସାରିଲେଣି। ତେବେ ଉପରୋକ୍ତ ୨ଟି ବିଶ୍ୱସ୍ତରୀୟ କ୍ରୀଡ଼ାର ଆୟୋଜନ ଅଧିକାର କାହାକୁ ମିଳିବା ଉଚିତ; ସେହି ଚର୍ଚ୍ଚା ଜୋର୍‍ ଧରି ଆସୁଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଏହି ବିତର୍କରେ ପୂର୍ଣ୍ଣଚ୍ଛେଦ ପକାଇଛି। ବାତ୍ରା କହିଛନ୍ତି ଯେ ୨୦୩୨ ଅଲିମ୍ପିକ୍‍ସ ଲାଗି ଦାବି ଉପସ୍ଥାପନ ଲାଗି କାଗଜପତ୍ର କାମ ଆରମ୍ଭ ହୋଇ ଯାଇଥିଲା। ଏବେ ଏହା ବନ୍ଦ ଅଛି। ଆମକୁ ତରବର ହେବା ଆବଶ୍ୟକ ନାହିଁ। କାରଣ ଚୂଡ଼ାନ୍ତ ନିଷ୍ପତ୍ତି ୨୦୨୫ ମେ’ ପୂର୍ବରୁ ନୁହେଁ। ପ୍ରଥମେ ଆନ୍ତର୍ଜାତିକ ଅଲିମ୍ପିକ୍‍ କମିଟିର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଦଳ ଦାବି ଉପସ୍ଥାପନ କରିଥିବା ଦେଶର ବିଭିନ୍ନ ଷ୍ଟାଡିୟମ୍‍ ବୁଲି ଆଇଓସିକୁ ରିପୋର୍ଟ ପ୍ରଦାନ କରିବାକୁ ହେବ। ମୋ ହିସାବରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହା ମଧ୍ୟ ସମ୍ଭବ ଲାଗୁନାହିଁ। ପୁଣି ଅଲିମ୍ପିକ୍‍ସ ଆୟୋଜନ ବିଷୟରେ ବ୍ୟାବସାୟିକ ସଂସ୍ଥା ଓ ସରକାରଙ୍କ ସହ ଆଲୋଚନା କରିବାର ସମୟ ମଧ୍ୟ ଏହା ନୁହେଁ। ସମସ୍ତେ କରୋନା କବଳରୁ ଦେଶକୁ ବଞ୍ଚାଇବା ଚିନ୍ତାରେ। ଭାରତ ନୂଆଦିଲ୍ଲୀରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏବଂ ଆର୍ଥିକ ଦୁର୍ନୀତିର ଅଭିଯୋଗ ଯୋଗୁଁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ୨୦୨୧ ବିଶ୍ୱ ବକ୍ସିଂ ଚମ୍ପିଆନ୍‍ସିପ୍‍ ଭାରତରେ ହେବାର ଥିଲେ ହେଁ ଆୟୋଜନ ପାଉଣା ଭାରତ ଦେଇନଥିବାରୁ ଭାରତରୁ ଏହି ପ୍ରତିଯୋଗିତାକୁ ପ୍ରତ୍ୟାହାର କରି ନିଆଯାଇଛି। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚଳିତବର୍ଷର ଟୋକିଓ ଅଲିମ୍ପିକ୍‍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଅଦ୍ୟାବଧି ୮୦ରୁ ଅଧିକ ଭାରତୀୟ କ୍ରୀଡ଼ାବିତ୍‍ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

Comments are closed.