ଭାରତ କିଣିବ ଏମ୍‌କ୍ୟୁ-୯ବି ଡ୍ରୋନ୍‌

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନର ମୁକାବିଲା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଭାରତ ୩୦୦ କୋଟି ଡଲାର ମୂଲ୍ୟର ୩୦ଟି ଏମ୍‌କ୍ୟୁ-୯ବି ଡ୍ରୋନ୍‌ କ୍ରୟ କରିବ। ଜେନେରାଲ ଅଟୋମିକ୍ସ ଦ୍ବାରା ନିର୍ମିତ ଏହି ଡ୍ରୋନ୍‌ ଦ୍ବାରା ସମୁଦ୍ର ଓ ସ୍ଥଳ ଭାଗରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ। ଏହି ଡ୍ରୋନ୍‌ ଏକାଦିକ୍ରମେ ୪୮ଘଣ୍ଟା ଉଡ଼ିବା ଓ ୧୭୦୦କିଲୋଗ୍ରାମ ଓଜନର ସାମଗ୍ରୀ ପରିବହନ କରିବା କ୍ଷମତା ରଖିଛି। ଏଥିସହିତ ସମୁଦ୍ର ତଥା ସୀମାନ୍ତରେ ଶତ୍ରୁପକ୍ଷର ଜାହାଜ ଓ ଅନ୍ୟ ସାମଗ୍ରୀ ଉପରେ ନଜର ରଖିପାରିବ। ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଚଳିତ ମାସରେ ତାଙ୍କର ପ୍ରଥମ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ କ୍ବାଦ୍‌ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଆଲୋଚନା କାର୍ଯ୍ୟକ୍ରମ ରହିଛି; ଯାହା କି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଦୃଢ଼ୀଭୂତ କରିବ।

Comments are closed.