ଏଲଏସିରେ ଚୀନକୁ ମାତ୍ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍ ଦେବା ଲାଗି ଭାରତ ଲାଇଟ୍ ୱେଟ୍ ବା ହାଲୁକା ଟ୍ୟାଙ୍କ୍ କିଣିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଛନ୍ତି। ଏହି ଟ୍ୟାଙ୍କଗୁଡ଼ିକ ଉଚ୍ଚ ପାର୍ବତ୍ୟାଞ୍ଚଳରେ ମୁତୟନ କରାଯିବ। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ, ନିକଟରେ ଚୀନ ଏଲଏସିରେ ଏହିଭଳି ଟ୍ୟାଙ୍କ୍ ମୁତୟନ କରିଥିଲା, ଯାହା ଭାରତ ପାଇଁ ଚିନ୍ତାର ବିଷୟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍ଶୀଘ୍ର ସେନାରେ ଲାଇଟ୍ୱେଟ୍ ଟ୍ୟାଙ୍କ ସାମିଲ କରିବାକୁ ଯୋଜନା କରିଛନ୍ତି। ଲଦାଖରେ ଲାଇଟ୍ୱେଟ୍ ଟ୍ୟାଙ୍କ ମୁତୟନ ଭାରତୀୟ ସେନାକୁ ଅଧିକ ମଜଭୁତ କରିବ। କାରଣ ଭାରି ଟ୍ୟାଙ୍କ ତୁଳନାରେ ହାଲୁକା ବା ଲାଇଟୱେଟ୍ ଟ୍ୟାଙ୍କ ଅଧିକ ସୁବିଧାଜନକ ହେବ।
ଅନ୍ୟପଟେ ଭାରତୀୟ ସେନା ବାୟୁ ପରିବହନ ଯୋଗ୍ୟ ଟ୍ୟାଙ୍କ୍ ହାସଲ କରିବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଟ୍ୟାଙ୍କଗୁଡ଼ିକ ଏଲଏସିର ଅଗ୍ରଗାମୀ ଅଞ୍ଚଳଗୁଡ଼ିକରେ ମୁତୟନ ହୋଇପାରିବ, ଯାହାଦ୍ବାରା ଚୀନ ସୈନ୍ୟଙ୍କ ଦ୍ବାରା ଯେକୌଣସି ପଦକ୍ଷେପକୁ ତୁରନ୍ତ ପ୍ରତିହତ କରାଯାଇପାରିବ।