ଆୟାର, କେଏସ୍‌ ଭାରତ ନୂଆମୁହଁ, ଦ୍ବିତୀୟ ଟେଷ୍ଟରେ ଖେଳିବେ କୋହଲି

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ  : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ନିମନ୍ତେ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କାନପୁରରେ ଆସନ୍ତା ୨୫ରୁ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୩ରୁ ମୁମ୍ବଇରେ ଖେଳାଯିବ।
ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେବେ। ତେବେ କୋହଲି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳକୁ ଫେରି ଦଳର ନେତୃତ୍ବ ନେବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘୋଷିତ ଦଳରେ ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା, ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌, ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସାମିଙ୍କୁ ସାମିଲ କରାଯାଇ ନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳରେ ନୂଆ ମୁହଁ ଭାବେ ଆନ୍ଧ୍ରପ୍ରଦେଶର ୱିକେଟରକ୍ଷକ କେଏସ୍‌ ଭାରତ ଓ ବ୍ୟାଟସମ୍ୟାନ୍‌ ଶ୍ରେୟାସ ଆୟାରଙ୍କୁ ସାମିଲ କରାଯାଇଛି। ଭାରତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୭୮ଟି ମ୍ୟାଚ୍‌ ଖେଳି ୪୨୮୩ ରନ୍‌ ସଂଗ୍ରହ କରିଥିଲେ। ସେ ଆଇପିଏଲ୍‌ର ଅନ୍ୟତମ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳି ଆଖିଦୃଶିଆ ପ୍ରଦର୍ଶନ କରିଛନ୍ତି। ଦଳରେ ବରିଷ୍ଠ ୱିକେଟରକ୍ଷକ ଋଦ୍ଧିମାନ ଶାହାଙ୍କୁ ଘୋଷିତ ଦଳରେ ସାମିଲ କରାଯାଇଛି। ଋଦ୍ଧିମାନ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଦଳରେ ଶ୍ରେୟାସ ଆୟାରଙ୍କୁ ସାମିଲ କରାଯାଇଛି। ସୂଚନାଥାଉକି ଆୟାର ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳରେ କୋହଲିଙ୍କ ନିମନ୍ତେ ବଦଳ ଖେଳାଳି (କଭର୍‌) ଭାବେ ସାମିଲ ହୋଇଥିଲେ, ତେବେ ସେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇ ପାରିନଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଆୟାର ଭାରତ ତରଫରୁ ମଧ୍ୟଭାଗରେ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ। ସେହିପରି ଦୀର୍ଘବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି ଅଫସ୍ପିନର ତଥା ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଜୟନ୍ତ ଯାଦବ। ଜୟନ୍ତ ୨୦୧୬-୧୭ରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଭାରତୀୟ ଦଳରେ ସାମିଲ ହୋଇ ମ୍ୟାଚ୍‌ ଖେଳିଥିଲେ।
ଘୋଷିତ ଭାରତୀୟ ଦଳରେ ଓପନର୍‌ ଭାବେ କେଏଲ୍‌ ରାହୁଲ, ମୟଙ୍କ ଅଗ୍ରୱାଲ୍ ଓ ଶୁବମାନ୍‌ ଗିଲ୍‌ ଅଛନ୍ତି। ତେବେ ଟେଷ୍ଟ ମ୍ୟାଚ୍‌ରେ କେଏଲ୍‌ ରାହୁଲ ଓ ଶୁବମାନଙ୍କୁ ଭାରତ ତରଫରୁ ବ୍ୟାଟିଂ ଓପନ୍‌ କରିବାର ଆଶା ଅଧିକ। ମୟଙ୍କଙ୍କୁ ମଧ୍ୟଭାଗରେ ସୁଯୋଗ ମିଳିପାରେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ସ୍ପିନର ଭାବେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍‌ ରହିଛନ୍ତି। ଅଶ୍ବିନ୍‌ ଓ ଜାଡେଜା ଭାରତ ତରଫରୁ ଟେଷ୍ଟ ମ୍ୟାଚ୍‌ ଖେଳିବା ନିଶ୍ଚିତ ଥିବା ବେଳେ ତୃତୀୟ ସ୍ପିନର ଭାବେ ଅକ୍ଷର ପଟେଲ ଓ ଜୟନ୍ତ ଯାଦବଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ହନୁମା ବିହାରୀଙ୍କୁ ସାମିଲ କରାଯାଇ ନାହିଁ। ହନୁମାଙ୍କୁ ଭାରତୀୟ ଏ’ ଦଳରେ ସାମିଲ କରାଯାଇ ଦକ୍ଷିଣ ଆଫ୍ରିକା ପଠାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ହନୁମା ବର୍ତ୍ତମାନ ଇଂଲିଶ କାଉଣ୍ଟିରେ ଖେଳୁଛନ୍ତି। ହନୁମା ଜଣେ ରକ୍ଷଣାତ୍ମକ ବ୍ୟାଟସମ୍ୟାନ୍‌ ଭାବେ ପରିଗଣିତ ହେଉଥିବା ବେଳେ ତାଙ୍କ ବ୍ୟାଟିଂ ଶୈଳୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ଥିବା ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ସହ ସମାନ ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦେବାକୁ ମନୋନୟନକାରୀ ଅନିଚ୍ଛା ପ୍ରକାଶ କରିଥିବା ଆଲୋଚନା ହେଉଛି। ଏହି ​‌େଟଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ଦ୍ରୁତ ବୋଲର ଭାବେ ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ୍‌ ପ୍ରମୁଖ ରହିଛନ୍ତି। ୪ର୍ଥ ଦ୍ରୁତ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।
ଭାରତୀୟ ଟେଷ୍ଟ ଦଳ : ଅଜିଙ୍କ୍ୟ ରାହାଣେ (ପ୍ରଥମ ଟେଷ୍ଟ ନିମନ୍ତେ ଅଧିନାୟକ), ବିରାଟ କୋହଲି (କେବଳ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌), କେଏଲ୍‌ ରାହୁଲ, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ବର ପୂଜାରା, ଶୁବମାନ୍‌ ଗିଲ୍‌, ଶ୍ରେୟାସ ଆୟାର, ଋଦ୍ଧିମାନ ଶାହା (ୱିକେଟରକ୍ଷକ), କେଏସ୍‌ ଭାରତ (ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ବିନ୍‌, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

Comments are closed.