ପୂଜାରା-ପନ୍ତ୍ଙ୍କ ଅର୍ଦ୍ଧଶତକ ; ଫଲୋଅନ୍ ଏଡ଼ାଇବାକୁ ଭାରତର ସଂଘର୍ଷ

ଚେନ୍ନଇ : ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ କ୍ରମାଗତ ୩ୟ ଦିନ ଇଂଲଣ୍ଡ ଦଳ ଆଗରେ ରହିଛି। ଘରୋଇ ଭାରତ ବିପକ୍ଷ ଏହି ଟେଷ୍ଟମ୍ୟାଚ୍ରେ ପ୍ରଥମେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ର ପାହାଡ଼ ଛିଡ଼ାକରିବା ପରେ ୭୩ ରନ୍ରେ ଭାରତର ପ୍ରମୁଖ ୪ ଜଣଙ୍କୁ ଆଉଟ୍ କରି ପାରିଥିଲା। ପରେ ଚେତେଶ୍ବର ପୂଜାରା ଓ ଋଷଭ ପନ୍ତ୍ ଅର୍ଦ୍ଧଶତକ ହାସଲ କରିଥିଲେ; ହେଲେ ସମ୍ପୂର୍ଣ୍ଣ ବିପରୀତ ଶୈଳୀରେ। ଦୁହିଁଙ୍କ ଇନିଂସ ବଳରେ ଭାରତ ମ୍ୟାଚ୍ ଫେରିବାର ପ୍ରୟାସ କରିବାକୁ ଯାଉଥିବା ବେଳେ ଅନ୍ତିମ ଅଧିବେଶନରେ ଉଭୟେ ଆଉଟ ହୋଇ ଯାଇଥିଲେ। ଫଳରେ ରବିବାର ୩ୟ ଦିନର ଶେଷରେ ଭାରତ ଫଲୋଅନ୍ ଏଡ଼ାଇବା ପାଇଁ ପ୍ରୟାସ କରୁଛି। ଏହି ଗରମରେ ଭାରତକୁ ୨ୟ ଇନିଂସରେ ଇଂଲଣ୍ଡ ଫଲୋଅନ୍ ଦେବ କି ନାହିଁ; ତାହା ନିଶ୍ଚିତ ନଥିଲେ ହେଁ ଭାରତକୁ ଉକ୍ତ ବିପଦ ଏଡ଼ାଇବା ପାଇଁ ଆହୁରି ୧୨୧ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡର ଅଫ୍ସ୍ପିନର ଡମ୍ ବେସ୍ ୪ଟି ୱିକେଟ ନେବାରୁ ୩ୟ ଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୫୭ ରନ୍ କରିପାରିଛି। ଏବେ ମଧ୍ୟ ଭାରତ ୩୨୧ ରନ ପଛରେ ରହିଛି।
୩ୟ ଦିନର ପ୍ରଥମ ଘଣ୍ଟାରେ ଇଂଲଣ୍ଡର ପ୍ରଥମ ଇନିଂସ ସମାପ୍ତି ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଜୋଫ୍ରା ଆର୍ଚର ତାଙ୍କ ବାଉନ୍ସ ଦ୍ବାରା ଭାରତୀୟ ଓପ୍ନର ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ। ଅନ୍ୟ ଓପ୍ନର ଶୁବ୍ମାନ ଗିଲ୍ ଦର୍ଶନୀୟ ଷ୍ଟ୍ରୋକ୍ସବୁ ଖେଳିଥିଲେ। ତେବେ ଆର୍ଚରଙ୍କ ବଲ୍ରେ ଏକ ଡ୍ରାଇଭ୍କୁ ତଳେ ରଖିନପାରି ଗିଲ୍ ଆଉଟ ହୋଇଥିଲେ। ଜେମ୍ସ ଆଣ୍ଡରସନ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଆଉଟ ହେବା ପୂର୍ବରୁ ଗିଲ୍ ୨୮ ବଲ୍ରୁ ୫ଟି ଚୌକା ସହ ୨୯ ରନ୍ କରିଥିଲେ। ପରେ ଡମ୍ ବେସ୍ ଭାରତର ସବୁଠାରୁ ଦୁଇ ମୂଲ୍ୟବାନ ୱିକେଟ ନେଇଥିଲେ। ଓଲି ପୋପ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଅଧିନାୟକ ବିରାଟ କୋହଲି ଆଉଟ ହୋଇଥିଲେ। କୋହଲି ୪୮ ବଲ୍ର ସମ୍ମୁଖୀନ ହୋଇ ୧୧ ରନ୍ କରିଥିଲେ। ପରେ ବେସ୍ଙ୍କ ଏକ ଫୁଲ୍ଟସରେ ଅଜିଙ୍କ୍ୟ ରାହାଣେ ଆଉଟ ହୋଇଥିଲେ। ରାହାଣେ ସଟ୍କୁ ତଳେ ରଖି ପାରିନଥିବା ବେଳେ ଅଧିନାୟକ ଜୋ ରୁଟ୍ ଦର୍ଶନୀୟ କ୍ୟାଚ୍ ନେଇଥିଲେ। ୭୩ ରନ୍ରେ ୪ ୱିକେଟ ହରାଇ ଭାରତ ଚିନ୍ତାଜନକ ସ୍ଥିତିରେ ଥିଲା। ତେବେ ଚେତେଶ୍ବର ପୂଜାରା ଓ ଋଷଭ ପନ୍ତ୍ ୫ମ ୱିକେଟ ପାଇଁ ଲଢ଼ୁଆ ଭାଗିଦାରୀ କରିଥିଲେ। ପୂଜାରା ଜଗିରଖି ଖେଳିଥିବା ବେଳେ ବାମହାତି ପନ୍ତ୍ ପ୍ରତ୍ୟାକ୍ରମଣ କରିଥିଲେ। ଫଳରେ ମାତ୍ର ୨୪ ଓଭରରେ ଦୁହେଁ ୧୧୯ ରନ୍ ଯୋଡ଼ିଥିଲେ। ବିଶେଷକରି ବାମହାତି ସ୍ପିନର ଜ୍ୟାକ୍ ଲିଚ୍ଙ୍କ ବିପକ୍ଷରେ ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁର୍ଭାଗ୍ୟଜନକ ପରିସ୍ଥିତିରେ ପୂଜାରା ଆଉଟ ହୋଇଥିଲେ। ଏକ ସର୍ଟ ପିଚ୍ ବଲ୍କୁ ପୂଜାରା ପୁଲ୍ ମାରିଥିଲେ ହେଁ ବଲ୍ ଫରୱାର୍ଡ ସର୍ଟଲେଗ୍ ଫିଲ୍ଡରଙ୍କ ହେଲ୍ମେଟରେ ବାଜି ଉଠି ଯାଇଥିଲା। ପୂଜାରା ୧୪୩ ବଲ୍ରୁ ୧୧ଟି ଚୌକା ସହ ୭୩ ରନ୍ କରିଥିଲେ। ପନ୍ତ୍ ଦୃଢ଼ତାର ସହ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆଉଟ ହୋଇ ଯାଇଥିଲେ। ପନ୍ତ୍ ବିସ୍ଫୋରକ ବ୍ୟାଟିଂକରି ୮୮ ବଲ୍ରୁ ୫ଟି ଛକା ଓ ୯ଟି ଚୌକା ସହ ୯୧ ରନ୍କରି ଆଉଟ ହୋଇଥିଲେ। ତାଙ୍କ ଟେଷ୍ଟ ଜୀବନରେ ପନ୍ତ୍ ୪ର୍ଥ ଥର ୯୦ରୁ ୯୯ ରନ୍ ମଧ୍ୟରେ ଆଉଟ ହୋଇଥିଲେ।
୨୨୫ ରନ୍ରେ ଭାରତ ୬ଟି ୱିକେଟ ହରାଇବା ପରେ ୱାଶିଂଟନ୍ ସୁନ୍ଦର ଓ ରବିଚନ୍ଦ୍ରନ ଅଶ୍ବିନ୍ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଆଉ ୱିକେଟ ପଡ଼ିବାକୁ ଦେଇନାହାନ୍ତି। ଦୁହେଁ ୧୭.୨ ଓଭର ଖେଳି ଅବିଭାଜିତ ୭ମ ୱିକେଟ ପାଇଁ ୨୭ ରନ୍ ଯୋଗ କରିଛନ୍ତି। ବାମହାତି ସୁନ୍ଦର ୨୫ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚର ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ିଥିଲେ। ସୁନ୍ଦର ୩୩ ଓ ଅଶ୍ବିନ ୮ ରନ୍କରି କ୍ରିଜ୍ରେ ଅଛନ୍ତି। ଡମ୍ ବେସ୍ ୪ଟି ଓ ଆର୍ଚର ଅନ୍ୟ ୨ଟି ୱିକେଟ ନେଇଛନ୍ତି। ୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୫୫ ରନ୍ କରିଥିଲା। ୩ୟ ଦିନରେ ଏହା ଆଉ ୨୩ ରନ୍କରି ଶେଷ ୨ଟି ୱିକେଟ ହରାଇଥିଲା। ଡମ୍ ବେସ୍ ୬ଟି ଚୌକା ସହ ୩୪ ରନ୍କରି ବିଦାୟ ନେଇଥିଲେ। ଜ୍ୟାକ୍ ଲିଚ୍ ୧୪ ରନ୍କରି ଅପରାଜିତ ରହିଥିଲେ। ଯଶପ୍ରୀତ୍ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ବିନ ୩ଟି ଲେଖାଏଁ ଏବଂ ଈଶାନ୍ତ ଶର୍ମା ଓ ଶାହ୍ବାଜ୍ ନଦ୍ଦିମ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।