ଇଣ୍ଡିଆ ସ୍କିଲ୍‌ସ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ: ବିହାର ପାଟନାରେ ଅକ୍ଟୋବର ୨୦ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ଇଣ୍ଡିଆ ସ୍କିଲ୍‌ସ-୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛି। ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀ ମୋଟ୍ ୨୩ଟି ସ୍ୱର୍ଣ୍ଣ ଓ ୨୦ଟି ରୌପ୍ୟ ପଦକ ହାସଲ କରିଥିଲେ। ପୂର୍ବାଞ୍ଚଳର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଯୋଗୀ ଏଥିରେରେ ଅଂଶଗ୍ରହଣ କରିଥିଲେ। ବିହାର ରାଜ୍ୟପାଳ ଶ୍ରୀ ଫଗୁ ଚୌହାନ ଶନିବାର ଇଣ୍ଡିଆ ସ୍କିଲ୍‌ସ ପ୍ରତିଯୋଗିତାର ୯୮ ଜଣ ପଦକ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୨୧,୦୦୦ ଓ ରୌପ୍ୟ ପଦକ ବିଜେତାଙ୍କୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲା।

 

ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ତାଲିକାରେ ଓଡ଼ିଶାର ପ୍ରତିଯୋଗୀ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହାର ୯୮ ଜଣ ବିଜେତା ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୨୨ ଅକ୍ଟୋବରରେ ଚୀନ୍‌ର ସାଂଘାଇରେ ହେବାକୁ ଥିବା ବିଶ୍ୱ କୌଶଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ମୋଟ ୪୨ଟି କୌଶଳ ପ୍ରତିଯୋଗିତାରେ ୨୪୦ରୁ ଅଧିକ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଶ୍ୱ ସ୍କିଲ୍‌ସ ପ୍ରତିଯୋଗିତାରେ ୮୦ଟି ରାଷ୍ଟ୍ରର ପ୍ରତିଯୋଗୀ ଅଂଶଗ୍ରହଣ କରିଥା’ନ୍ତି। ରୁଷର କାଜାନ୍‌ରେ ଅନୁଷ୍ଠିତ ବିଶ୍ବ ସ୍କିଲ୍‌ସ ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୬୩ଟି ଦେଶ ମଧ୍ୟରେ ୧୩ତମ ସ୍ଥାନ ହାସଲ କରିଥିଲା। ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୧୫ଟି ମେଡାଲିଅନ ସହ ୪ଟି ପଦକ ହାସଲ କରି ପାରିଥିଲା।

Comments are closed.