ଭାରତର ପଦକ୍ଷେପ ବିଶ୍ୱ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ଭାରତ ହେଉଛି ପୃଥିବୀର ଅନ୍ୟତମ ଦେଶ, ଯିଏକି କୋଭିଡ୍‍-୧୯ର ଭୟାବହତା ସମ୍ପର୍କରେ ବୁଝି ପାରିବା ସହ କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସମୟୋଚିତ ପଦକ୍ଷେପ ନେଇଥିବାରୁ ଏଥିରେ ବିଜୟୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, ଏହି ମହାମାରୀକୁ ମୁକାବିଲା କରିବାରେ ଭାରତର ପଦକ୍ଷେପ ବିଶ୍ୱ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି।

ସାରା ଭାରତ ଆଜି ମିଳିତ ହୋଇ କୋଭିଡ୍‍-୧୯ର ମୁକାବିଲା କରୁଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସହ ସବୁ ରାଜ୍ୟ ସରକାର ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଏହାର ସୁଫଳ ସମାଜର ନିମ୍ନସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବର୍ତ୍ତମାନର ଅସାଧାରଣ ପରିସ୍ଥିତିରେ ଭାରତୀୟମାନେ ବୁଦ୍ଧିମତାର ପରିଚୟ ଦେଇଛନ୍ତି। ଲକଡାଉନ୍‍ ସମୟରେ ଭାରତ ପରି ଏକ ବିଶାଳ ଦେଶର ୧୩୦ କୋଟି ଜନସାଧାରଣ ଏଭଳି ଶୃଙ୍ଖଳା ପ୍ରଦର୍ଶନ କରିବେ ଏ କଥା କେହି ଭାବି ନ ଥିଲେ ବୋଲି ମୋଦୀ କହିଛନ୍ତି। ସମାଜର ସବୁ ବର୍ଗର ଲୋକେ ଦୀପ ଜଳାଇ କରୋନା ମୁକାବିଲାରେ ଭାରତର ଏକତା ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଦଳୀୟ ସଦସ୍ୟମାନଙ୍କୁ ୫ଟି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଗୁଡ଼ିକ ହେଲା ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ, ମୁହଁରେ ମାସ୍କ୍‍ ବ୍ୟବହାର, ଆରୋଗ୍ୟ ସେତୁ ଆପ୍‍ ବିଷୟରେ ସଚେତନତା ସୃଷ୍ଟି, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅର୍ଥ ପ୍ରଦାନ ଏବଂ ପ୍ରତି ଦଳୀୟ କର୍ମୀ ଏ ସମ୍ପର୍କରେ ୪୦ ଜଣଙ୍କୁ ପ୍ରବର୍ତ୍ତାଇବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ବିରୋଧୀ ସଂଗ୍ରାମରେ ବିଜୟ ଲାଭ ପାଇଁ ଆଜି ଦେଶ ଗୋଟିଏ ଅଭିଯାନରେ ଏକତ୍ରିତ ହୋଇଛି। ଏହି କଷ୍ଟକର ସମୟରେ ଦେଶର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ସେ ଆହ୍ୱାନ କରିଛନ୍ତି। ସମଗ୍ର ବିଶ୍ୱ ପାଇଁ ଆଜିର ମନ୍ତ୍ର ହେଉଛି ସାମଜିକ ଦୂରତ୍ୱ ବଜାୟ ରଖିବା ଓ ଶୃଙ୍ଖଳିତ ରହିବା।

Comments are closed.