ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ଆଜିଠାରୁ : ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ

ଜୋହାନସବର୍ଗ  : ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ଟେଷ୍ଟ ମ୍ୟାଚ ସୋମବାରଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଖେଳାଯିବ। ନୂତନ ବର୍ଷରେ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ହେବ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୧୧୩ରନରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଭ୍ରମଣକାରୀ ବିରାଟ ବାହିନୀ ନିକଟରେ ଜୋହାନସବର୍ଗରେ ଇତିହାସ ସୃଷ୍ଟି କରିବା ନେଇ ସୁଯୋଗ ରହିଥିବାବେଳେ ଘରୋଇ ଦଳ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।
ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସେଞ୍ଚୁରିଅନରେ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରିଥିଲା। ବ୍ୟାଟିଂରେ ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ପ୍ରଦର୍ଶନ କରିଥିଲେ। ରାହୁଲ ୧୨୩ ଓ ୨୩, ମୟଙ୍କ ୬୦ ଓ ୦ ରନ କରିଥିଲେ। ଅନ୍ୟପକ୍ଷରେ ଦଳର ବରିଷ୍ଠ ବ୍ୟାଟ୍‌ସମ୍ୟାନ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ବିରାଟ କୋହଲି ବିଫଳ ହୋଇଥିଲେ। ରାହାଣେ ଓ ବିରାଟଙ୍କ ଠାରୁ ପୂଜାରାଙ୍କ ଇନିଂସ ଖରାପ ରହିଥିଲା। ପୂଜାରା ଉଭୟ ଇନିଂସରେ ବିଫଳ ହୋଇଥିଲେ। ସେ ପ୍ରଥମ ଇନିଂସରେ ବିନା ରନରେ ଓ ଦ୍ବିତୀୟ ଇନିଂସରେ ୧୬ରନ କରିଥିଲେ। ବ୍ୟାଟିଂ କ୍ରମରେ ଭାରତ ଦୁଇଟି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଖରାପ ଫର୍ମରେ ଥିବା ପୂଜାରାଙ୍କ ସ୍ଥାନରେ ଶ୍ରେୟାଶ ଆୟରଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେହିପରି ରାହାଣେଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ବୋଲିଂ କ୍ରମରେ ଭାରତ ଗୋଟିଏ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ବୋଲରମାନେ ଉଭୟ ଇନିଂସରେ ୨୦ଟି ୱିକେଟ ନେବାରେ ସଫଳ ହୋଇଥିଲେ। ଦ୍ରୁତ ବୋଲର ମହମ୍ମଦ ସାମି ୮ଟି, ଯଶପ୍ରୀତ ବୁମ୍‌ରା ୫ଟି, ମହମ୍ମଦ ସିରାଜ୍‌ ୩ଟି, ରବିଚନ୍ଦ୍ରନ ଅଶ୍ବିନ ୨ଟି ଓ ସାର୍ଦୁଳ ଠାକୁର ଗୋଟିଏ ୱିକେଟ ନେଇଥିଲେ। ସାମି, ସିରାଜ୍‌, ବୁମ୍‌ରା ଓ ଅଶ୍ବିନ ଖେଳିବା ନିଶ୍ଚିତ ଥିବାବେଳେ ସାର୍ଦୁଳଙ୍କ ବଦଳରେ ଇଶାନ୍ତ ଶର୍ମା କିମ୍ବା ସ୍ପିନର ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। କାରଣ ଜୟନ୍ତ ବ୍ୟାଟିଂ ମଧ୍ୟ କରିବାର ଦକ୍ଷତା ରଖିଛନ୍ତି। ଅନ୍ୟପକ୍ଷରେ ଡିନ୍‌ ଏଲ୍‌ଗାରଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚକୁ ଜିତି ସିରିଜ୍‌କୁ ୧-୧ ବରାବର କରିବା ଲକ୍ଷ୍ୟ ରଖିଛି। ପ୍ରଥମ ମ୍ୟାଚରେ ଘରୋଇ ଦଳ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଦଳ ଉଭୟ ଇନିଂସରେ ୨୦୦ରନ ଅତିକ୍ରମ କରିପାରିନଥିଲା। ଏଲ୍‌ଗାର ଓ ବାଭୁମାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଭାରତୀୟ ବୋଲରଙ୍କୁ ଉପଯୁକ୍ତ ସାମ୍ନା କରିପାରିନଥିଲେ। ଆଇଡାନ ମାର୍କରାମ, ପିଟରସନ, ରୋଷେୟା ଭାନ ଡୁସେନ ପ୍ରମୁଖ ବ୍ୟାଟିଂରେ ବିଫଳ ହୋଇଥିଲେ। ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ଡିକକ୍‌ ଟେଷ୍ଟ କ୍ରିକେଟରୁ ଅବସର ନେବା ଦଳ ପାଇଁ ଆଉ ଏକ ଚିନ୍ତାର ବିଷୟ ହୋଇଛି। ବୋଲିଂରେ କାଗିସୋ ରାବଡା, ଲୁଙ୍ଗି ଏନ୍‌ଗିଡି, ମାର୍କୋ ଜାନସେନ ଭଲ ପ୍ରଦର୍ଶନ କରିଥିଲେ। ଦଳକୁ ସିରିଜ୍‌​‌େ​‌ର ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ(ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶ୍ରେୟାଶ ଆୟର, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା(ୱିକେଟରକ୍ଷକ), ଜୟନ୍ତ ଯାଦବ, ପ୍ରିୟଙ୍କ ପଞ୍ଚାଲ, ଉମେଶ ଯାଦବ, ହନୁମା ବିହାରୀ, ଇଶାନ୍ତ ଶର୍ମା।
ଦକ୍ଷିଣଆଫ୍ରିକା ଦଳ : ଡିନ୍ ଏଲଗାର(ଅଧିନାୟକ), ତାମ୍ବେ ବାଭୁମା(ଉପ ଅଧିନାୟକ), କାଗିସୋ ରାବଡା, ସାରିଲ୍‌ ଇରୱଇ, ବିଉରାନ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ୍‌, ଲୁଙ୍ଗି ଏନ୍‌ଗିଡ଼ି, ଆଇଡାନ ମାର୍କରାମ, ୱିୟାନ ମୁଲ୍‌ଡର, କିଗାନ ପିଟରସନ, ରାଷେୟା ଭାନ ଡର ଡୁସେନ, କାଲ୍‌ ଭେରାଇନ, ମାର୍କୋ ଜାନସେନ, ଗ୍ଲିନଟନ ଷ୍ଟୁରମ୍ୟାନ, ପ୍ରିନିଲାଲ ସୋବେରିୟାନ, ସିସାଣ୍ଡା ମାଗାଲା, ରାୟାନ ରିକେଲଟନ, ଡୁଆନେ ଓଲିଭର।

ଭାରତ ସପକ୍ଷରେ ଜୋହାନସବର୍ଗ
ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଇତିହାସ ଭାରତ ସପକ୍ଷରେ ରହିଛି। ଜୋହାନସବର୍ଗ ହେଉଛି ଏକମାତ୍ର ଷ୍ଟାଡ଼ିୟମ ଯେଉଁଠାରେ ଦକ୍ଷିଣଆଫ୍ରିକା କେବେହେଲେ ଭାରତକୁ ଏଠାରେ ଟେଷ୍ଟ ମ୍ୟାଚରେ ହରାଇନାହିଁ। ଜୋହାନସବର୍ଗକୁ ବିଦେଶ ମାଟିରେ ଟେଷ୍ଟ କ୍ରିକେଟରେ ଭାରତର ଅଭେଦ୍ୟ ଦୁର୍ଗ ବୋଲି କୁହାଯାଏ। ଏଠାରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୫ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୨ଟି ଟେଷ୍ଟ ମ୍ୟାଚ ଜିତିଥିବାବେଳେ ବାକି ୩ଟି ଡ୍ର ରହିଛି। ୧୯୯୨ରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଓ ୧୯୯୬ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ଡ୍ର ରହିଥିଲା। ୨୦୦୬ରେ ଏଠାରେ ଉଭୟ ଦଳ ମଧ୍ୟରେ ୩ୟ ମୁକାବିଲା ହୋଇଥିଲା। ଏଥିରେ ଭାରତ ୧୨୩ରନରେ ବିଜୟୀ ହୋଇଥିଲା। ୨୦୧୩ରେ ଏଠାରେ ଖେଳାଯାଇଥିବା ୪ର୍ଥ ମ୍ୟଚ ଡ୍ର ରହିଥିଲା। ୨୦୧୮ ଶେଷ ମୁକାବିଲାରେ ଭାରତ ୬୩ରନରେ ଜିତି ନେଇଥିଲା। ଭାରତୀୟ ଦଳ ଜୋହାନସବର୍ଗର ଇତିହାସକୁ ବଜାୟ ରଖିବା ଲକ୍ଷ୍ୟ ରଖିଥିବାବେଳେ ଦକ୍ଷିଣଆଫ୍ରିକା ପୂର୍ବ ବିଫଳତାକୁ ପଛରେ ପକାଇବା ଲକ୍ଷ୍ୟ ରଖିଛି।

Comments are closed.