ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ

ପନ୍ତ୍‌ଙ୍କ ସ୍ଥାନରେ ୱିକେଟ ରକ୍ଷଣ କରିବେ ଋଦ୍ଧିମାନ; ଓପ୍‌ନର ଭାବେ ଯାତ୍ରା ଆରମ୍ଭ କରିବେ ରୋହିତ

ବିଶାଖାପାଟଣା : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରରୁ ଏଠାରେ ଖେଳାଯିବ। ଘରୋଇ ମାଟିରେ ଖେଳୁଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେଭରିଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। ପୁଣି ନିୟମିତ ସୁଯୋଗ ପାଇବା ସତ୍ତ୍ବେ ବିଫଳ ହେବା ଯୋଗୁଁ ଏହି ଟେଷ୍ଟମ୍ୟାଚ୍‌ରେ ଋଷଭ ପନ୍ତ୍ ଖେଳିବେ ନାହିଁ ଏବଂ ଋଷଭଙ୍କ ସ୍ଥାନରେ ଋଦ୍ଧିମାନ ଶାହା ୱିକେଟ ରକ୍ଷଣ କରିବେ। ପୁଣି ଟେଷ୍ଟ ଓପ୍‌ନର ଭାବେ ରୋହିତ ଶର୍ମା ତାଙ୍କ ଯାତ୍ରା ଏହି ମ୍ୟାଚ୍‌ରୁ ଆରମ୍ଭ କରିବେ।
୨୦୧୫-୧୬ରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ସ୍ପିନ୍ ଉପଯୋଗୀ ପିଚ୍‌ରେ ୦-୩ରେ ପରାସ୍ତ ହୋଇଥିଲା। ପରେ ଗତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ପରାସ୍ତ ହୋଇଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ଦଳକୁ ପୁଣିଥରେ ସ୍ପିନ୍ ପରୀକ୍ଷା ଦେବାକୁ ପଡ଼ିବ। ଏଥର ଦଳରେ ହାସିମ୍ ଆମ୍‌ଲା ଓ ଏବି ଡି’ଭିଲିଅର୍ସଙ୍କ ପରି ପ୍ରଥିତଯଶା ବ୍ୟାଟ୍‌ସମ୍ୟାନ୍ କିମ୍ବା ଡେଲ୍‌ ଷ୍ଟେନ୍ ଓ ମର୍ନେ ମର୍କେଲଙ୍କ ପରି ଭଲ ଫାଷ୍ଟବୋଲର ନାହାନ୍ତି। ଟେଷ୍ଟ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ ଭାରତୀୟ ସ୍ପିନରଙ୍କୁ କିପରି ସଠିକ୍‌ ଭାବେ ମୁକାବିଲା କରିପାରିର୍ବେ ସେଥିପାଇଁ ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଅମୋଲ୍‌ ମଜୁମଦାର୍‌ଙ୍କୁ ବ୍ୟାଟିଂ ପ୍ରଶିକ୍ଷକ କରିଛି ଦକ୍ଷିଣ ଆଫ୍ରିକା। ମଜୁମଦାର ଘରୋଇ କ୍ରିକେଟ୍‌ରେ ବହୁତ ରନ୍‌ କରିଥିବାରୁ ତାଙ୍କ ଅଭିଜ୍ଞତା ଦକ୍ଷିଣ ଆଫ୍ରିକା ଦଳକୁ ସହାୟକ ହେବ ବୋଲି ଆଶା କରାଯାଉଛି। ଋଷଭ ପନ୍ତ୍‌ ଭାରତର ପ୍ରଥମ ପସନ୍ଦ ୱିକେଟ ରକ୍ଷକ ହୋଇଥିଲେ ସୁଦ୍ଧା ସେ ଏବେ ଭଲ ଫର୍ମରେ ନ ଥିବାରୁ ଋଦ୍ଧିମାନ ୱିକେଟ ରକ୍ଷକ ଦାୟିତ୍ବ ତୁଲାଇବେ। ଋଦ୍ଧିମାନଙ୍କୁ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ୱିକେଟ ରକ୍ଷକ ଭାବେ ଅଭିହିତ କରିଛନ୍ତି କୋହଲି। ସୂଚନାଯୋଗ୍ୟ; ୩୪ ବର୍ଷ ବୟସ୍କ ଋଦ୍ଧିମାନ ଆଘାତଜନିତ କାରଣରୁ ଦୀର୍ଘଦିନ ଦଳରୁ ଦୂରେଇ ରହିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ସେ କୌଣସି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ।

ଶରୀରରେ କୋହଲିଙ୍କ ଟାଟୁ କରିଥିବା ବିଶାଖାପାଟଣାର ପ୍ରଶସଂକଙ୍କ ସହ କୋହଲି

ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ସ୍ପିନର ଭାବେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଡେଜା ଖେଳିବେ। ହନୁମା ବିହାରୀ କାମଚଳା ସ୍ପିନର ହୋଇପାରନ୍ତି। ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଫାଷ୍ଟବୋଲର ଭାବେ ଖେଳିବେ। ରୋହିତଙ୍କ ସହ ମୟଙ୍କ ଅଗ୍ରୱାଲ୍‌ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ। ଦକ୍ଷିଣ ଆଫ୍ରିକା ଓପ୍‌ନର ଐଡେନ ମାର୍କରାମ ଏବେ ଭଲ ଫର୍ମରେ ଅଛନ୍ତି। ନିକଟରେ ଭାରତମାଟିରେ ମାର୍କରାମ ନିୟମିତ ଭଲ ପ୍ରଦର୍ଶନ କରିଛନ୍ତି। ପୁଣି ଅଧିନାୟକ ଫାଫ୍‌ ଡୁ ପ୍ଲେସି ଓ ତେମ୍ବା ବାଭୁମା ସ୍ପିନ୍ ବିରୋଧ​‌େ​‌ର ଭଲ ବ୍ୟାଟ୍‌ସମ୍ୟାନ୍। ଦକ୍ଷିଣ ଆଫ୍ରିକା ୫ ଜଣ ବୋଲରଙ୍କୁ ନେଇ ଖେଳିବାର ସମ୍ଭାବନା ରହିଛି। ସେମାନଙ୍କ ମଧ୍ୟରେ ୩ ପେସର ଓ ୨ ସ୍ପିନର ରହିଛନ୍ତି। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ଆଲୋଚନା ହେଉଛି। ଟେଷ୍ଟ ମ୍ୟାଚ୍‌ର ୫ଦିନ ଯାକ ବର୍ଷା ହେବ ବୋଲି ଆଶଙ୍କା ରହିଛି। ବିଶାଖାପାଟଣାରେ ଗତସପ୍ତାହ ହେବ ପ୍ରତିଦିନ ବର୍ଷା ହେଉଛି। ପ୍ରଥମ ଦିନ ବର୍ଷାର ସମ୍ଭାବନା ୮୦ ପ୍ରତିଶତ ରହିଥିବା ବେଳେ ୨ୟ ଓ ୩ୟ ଦିନ ବର୍ଷା ହେବାର ସମ୍ଭାବନା ଯଥାକ୍ରମେ ୫୦ ଓ ୪୦ ପ୍ରତିଶତ ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Comments are closed.