ବିଶାଖାପାଟଣା ଟେଷ୍ଟ : ୧୧୭ ରନ୍‌ ଆଗରେ ଭାରତ

ଅଶ୍ବିନଙ୍କୁ ୫ ୱିକେଟ, ଡିନ୍ ଏଲ୍‌ଗାର ଓ କ୍ବିଣ୍ଟନ୍ ଡି କକ୍‌ଙ୍କ ଶତକ

ବିଶାଖାପାଟଣା : ଚଳିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ  ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ବେଶ ଭଲ ବ୍ୟାଟିଂ କରିଛି । ଡିନ୍ ଏଲ୍‌ଗାର ଓ କ୍ବିଣ୍ଟନ୍ ଡି କକ୍‌ଙ୍କ ଶତକ ସହ ଅଧିନାୟକ ଫାଫ୍ ଡୁ ପ୍ଲେସି ଅର୍ଦ୍ଧଶତକ ମାରିଛନ୍ତି। ତେବେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍ ୫ଟି ୱିକେଟ ନେଇ ନିଶ୍ଚିତ କରିଛନ୍ତି ଯେ ଶୁକ୍ରବାର ୩ୟ ଦିନ ପରେ ମଧ୍ୟ ଭାରତ ଆଗରେ ରହିଛି। ଆଗାମୀ ୨ ଦିନ ମ୍ୟାଚ୍ ବଞ୍ଚାଇବା ପାଇଁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରିବ। ଭାରତର ପ୍ରଥମ ଇନିଂସ ସ୍କୋର୍ ୭/୫୦୨ ରନ୍ ଜବାବରେ ୩ୟ ଦିନ ​ଖେ‌ଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୮ ୱିକେଟ୍‌ ହରାଇ ୩୮୫ ରନ୍‌ କରିଛି। ଏବେ ମଧ୍ୟ ଦକ୍ଷିଣ ଆଫ୍ରିକା ୧୧୭ ରନ୍‌ରେ ପଛୁଆ ରହିଥିବା ବେଳେ ଶେଷ ୨ଟି ୱିକେଟ ବାକିଅଛି।
ଶୁକ୍ରବାର ୩ୟ ଦିନରେ ଦକ୍ଷିଣ ଆଫ୍ରିକାର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ଡିନ୍ ଏଲଗାର୍‌ ଓ ତେମ୍ବା ବାଭୁମା ସ୍କୋର୍‌କୁ ୬୩ ରନ୍‌ରେ ପହଞ୍ଚାଇଥିଲେ। ବାଭୁମା ୩ଟି ଚୌକା ସହ ୧୮ ରନ୍‌ କରି ଈଶାନ୍ତ ଶର୍ମାଙ୍କ ଏକ ତଳୁଆ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ଓ ଡିନ୍ ଏଲଗାର୍‌ ଭାରତୀୟ ସ୍ପିନରଙ୍କ ସଫଳ ମୁକାବିଲା କରି ପାରିଥିଲେ। ଦୁହେଁ ୫ମ ୱିକେଟ୍‌ ପାଇଁ ୧୧୫ ରନ୍‌ ଯୋଡ଼ିଥିଲେ। ଡୁ ପ୍ଲେସି ୮ଟି ଚୌକା ଓ ୧ଟି ଛକା ସହ ୫୫ ରନ୍‌ କରି ଅଶ୍ବିନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ୧୭୮ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଦୁଇ ବାମହାତି ଏଲ୍‌ଗାର ଓ କ୍ବିଣ୍ଟନ୍ ଡି କକ୍‌ଙ୍କ ମଧରେ ଚମତ୍କାର ଭାଗିଦାରୀ ହୋଇଥିଲା। ଦୁହେଁ ଭାରତୀୟ ସ୍ପିନରଙ୍କୁ ପ୍ରାଧାନ୍ୟ ବିସ୍ତାରର ସୁଯୋଗ ନଦେଇ ନିୟମିତ ଷ୍ଟ୍ରୋକ୍ ଖେଳିଥିଲେ। ଦୁହେଁ ୬ଷ୍ଠ ୱିକେଟ୍‌ ପାଇଁ କମ୍ ସମୟରେ ୧୬୪ ରନ୍‌ ଯୋଗକରି ଦଳକୁ ମଜଭୁତ୍‌ ସ୍ଥିତିରେ ପହଞ୍ଚାଇ ପାରିଥିଲେ। ଏଲଗାର୍‌ ୧୮ଟି ଚୌକା ଓ ୪ଟି ଛକା ସହ ୧୬୦ ରନ୍‌ କରି ଆଉଟ୍‌ ହେବା ସହ ରବୀନ୍ଦ୍ର ଜାଡ଼େଜାଙ୍କୁ ୨୦୦ତମ ​‌େ​‌ଟଷ୍ଟ ୱିକେଟ ଦେଇଥିଲେ। ଏଲ୍‌ଗାରଙ୍କ ଏହା ୧୨ଶ ଟେଷ୍ଟ ଶତକ। ପରେ କ୍ବିଣ୍ଟନ୍ ଡି କକ୍ ମଧ୍ୟ ୫ମ ଏବଂ ଭାରତମାଟିରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ବାମହାତି ଡି କକ୍‌ ୧୬୩ ବଲ୍‌ରୁ ୨ଟି ଛକା ଓ ୧୬ଟି ଚୌକା ସହ ୧୧୧ ରନ୍‌ କରି ଅଶ୍ବିନ୍‌ଙ୍କ ବଲରେ ବୋଲଡ୍‌ ହୋଇଥିଲେ। ଭର୍ନନ ଫିଲାଣ୍ଡର ବିନା ସ୍କୋର୍‌ରେ ବୋଲଡ୍‌ ହୋଇଥିଲେ। ସେନୁରାମ ମୁଥୁସ୍ବାମୀ ୧୨ ଓ କେଶବ ମହାରାଜ ୩ ରନ୍‌କରି ଅପରାଜିତ ରହିଛନ୍ତି। ଅଶ୍ବିନ୍‌ ୫ଟି ଓ ଜାଡେଜା ୨ଟି ୱିକେଟ୍‌ ନେଇଛନ୍ତି।

Comments are closed.