କରମାପାଙ୍କୁ ଫେରାଇ ଆଣିବା ପାଇଁ ଭାରତର ପ୍ରୟାସ

0

ନୂଆଦିଲ୍ଲୀ : ଦଲାଇଲାମାଙ୍କ ପରେ ତିବବ୍‍ତର ଦ୍ୱିତୀୟ ବଡ଼ ଧର୍ମଗୁରୁ ତଥା ୧୭ମ କରମାପା, ଓଗ୍ୟାନ ତ୍ରିନଲେ ଦୋରଜେ (ଓଟିଡି)ଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କରମାପାଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବିଦେଶ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଛି। କରମାପା ଏବେ ଆମେରିକାରେ ରହୁଛନ୍ତି ଓ ସେ ଫେରିବା ନେଇ କୌଣସି ସଂକେତ ଦେଇନାହାନ୍ତି ବୋଲି ବିଦେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଆମେରିକାରେ ମୁକ୍ତ ଏବଂ ଅବାଧ ଚଳପ୍ରଚଳ ଉପରେ କଟକଣା ଏବଂ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବାରୁ ଅସନ୍ତୁଷ୍ଟ ହୋଇ କରମାପା ୨୦୧୭ ମଇ ମାସରେ ଭାରତ ଛାଡ଼ି ଆମେରିକା ଚାଲିଯାଇଥିଲେ। ସେ ଏବେ ଆମେରିକାର ନ୍ୟୁଜର୍ସିରେ ଥିବାର ସୂଚନା ମିଳିଛି। ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଦୂତ କରମାପାଙ୍କୁ ଭାରତ ଫେରିଆସିବା ପାଇଁ ଅନୁରୋଧ କରିବା ସହ ତାଙ୍କୁ ହୃଦ୍‍ବୋଧ କରାଇବାରେ ବିଫଳ ହୋଇଛନ୍ତି। ଫଳରେ କରମାପାଙ୍କ ଆଡୁ କୌଣସି ସକାରାତ୍ମକ ଉତ୍ତର ମିଳିନାହିଁ। ୧୭ମ କରମାପାଙ୍କ ପ୍ରଭାବ କେବଳ ଭାରତର ସିକିମ ଏବଂ ଅରୁଣାଚଳପ୍ରଦେଶ ନୁହେଁ ୟୁରୋପ, ଆମେରିକା, ଚୀନ ଏବଂ ଅନ୍ୟ କେତେକ ଦେଶରେ ରହିଛି। ତେଣୁ ଆମେରିକାରେ କରମାପାଙ୍କ ଅବସ୍ଥିତି ଭାରତ ପାଇଁ କୂଟନୀତି କ୍ଷେତ୍ରରେ ଭଲ ନୁହେଁ ବୋଲି କୁହାଯାଉଛି। ଏପଟେ କରମାପା ଡୋମିନିକାନ ଗଣତନ୍ତ୍ର ରାଷ୍ଟ୍ରର ନାଗରିକତ୍ୱ ହାସଲ କରିବା ସହ ପାସପୋର୍ଟ ପାଇଥିବା ଜାଣିବାକୁ ମିଳିଛି। ତିବ୍‍ବତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ କରମାପାଙ୍କ ବେଶ୍‍ ପ୍ରଭାବ ରହିଛି। ତେଣୁ କରମାପାଙ୍କ ଡୋମିନିକାନରେ ରହିବା ପାଇଁ ନିଷ୍ପତ୍ତି ଭାରତର ଚିନ୍ତାର କାରଣ ହେବ।
ସୂଚନା ଅନୁଯାୟୀ, କରମାପା ଓଗ୍ୟାନ ତ୍ରିନଲେ ଦୋରଜେ (ଓଟିଡି) ୧୯୮୫ ଜୁନ୍‍ ୨୬ରେ ତିବବ୍‍ତରେ ଜନ୍ମଗ୍ରହଣ କରିଥିଲେ। ୧୯୯୨ରେ ଦଲାଇଲାମା ଓଟିଡ଼ିଙ୍କୁ କରମାପାଙ୍କ ଅବତାର ରୂପରେ ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଅନ୍ୟ ଜଣେ ତିବ୍‍ବତୀୟ ବୌଦ୍ଧ ଧର୍ମଗୁରୁ ଶାମାର ରିନପୋଚେ ଓଟିଡ଼ିଙ୍କୁ କରମାପାଙ୍କ ଅବତାର ବୋଲି ଗ୍ରହଣ କରିଥିଲେ। ଏହାପରେ ୧୯୯୯ ଡିସେମ୍ବର ୨୮ରେ କରମାପା ତିବବ୍‍ତର ଏକ ବୌଦ୍ଧ ମଠରୁ ଖସି ଭାରତକୁ ପଳାଇ ଆସିଥିଲେ।

Leave A Reply