୨୪ ଘଣ୍ଟାରେ ୧୪୯୦ ନୂଆ କୋଭିଡ-୧୯ ଚିହ୍ନଟ: ମହାରାଷ୍ଟ୍ର, ଗୁଜୁରାଟ ଓ ଦିଲ୍ଲୀ ଅଧିକ ପ୍ରଭାବିତ

ସମାଜ ପୋର୍ଟାଲ ଡେସ୍କ: ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧ହଜାର ୪୯୦ଟି କୋଭିଡ-୧୯ ମାମଲା ଏବଂ ୫୬ ଜଣଙ୍କ ମୃତ୍ୟୁ ସହିତ, ଭରତରେ ସମୁଦାୟ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୨୪ ହଜାର ୯୪୨କୁ ବୃଦ୍ଧି ପାଇଛି ବୋଲି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ସେମାନଙ୍କ ମଧ୍ୟରୁ ୫ ହଜାର ୨୦୯ ଜଣ ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଥିବା ବେଳେ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୧୮ ହଜାର ୯୫୩ଟି ସକ୍ରିୟ କୋଭିଡ-୧୯ ମାମଲା ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବେ ବେଳେ ତା’ପରେ ଗୁଜୁରାଟ ୨ ହଜାର ୮୧୫ ଏବଂ ଦିଲ୍ଲୀ ୨ ହଜାର ୫୧୪ ରହିଛି। ରାଜସ୍ଥାନ ୨ ହଜାର ୩୪ଟି ମାମଲା ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୦ ଜଣ ସୁସ୍ଥ ଓ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ଯଥାକ୍ରମେ ୧୯୫୨, ୧୭୭୮ ଏବଂ ୧୬୨୧ଟି ପଜିଟିଭ୍ ମାମଲା ସହ ଏକ ହଜାର ଅତିକ୍ରମ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୦୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ କରୋନା ସଂକ୍ରମଣ ଓ ମୁକାବିଲା ନେଇ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡକ୍ଟର ହର୍ଷବର୍ଦ୍ଧନ, ଅଶ୍ୱିନୀ କୁମାର ଚୋୖବେ, ଏସ ଜୟଶଙ୍କର, ହାରଦୀପ ସିଂ ପୁରୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରାପିଡ଼ ଟେଷ୍ଟ କିଟ ବା ଦ୍ରୁତ ପରୀକ୍ଷା କିଟର ବ୍ୟବହାର ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଦେଶରେ କାରଣ ସଂକ୍ରମଣ ନିୟନ୍ତ୍ରଣରେ ଥିବା ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସକରାତ୍ମକ ଫଳାଫଳ ଦେଉଥିବା ଏହି ବୈଠକରେ ମତ ପ୍ରକାଶ ପାଇଛି। ତେଣୁ ଦ୍ରୁତ ପରୀକ୍ଷା କିଟ୍ ବ୍ୟବହାର ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି। ବର୍ତ୍ତମାନ ୧୫ ଲକ୍ଷରୁ ଅଧିକ ପରୀକ୍ଷା କରିବାର କ୍ଷମତା ରହିଛି ବୋଲି ଜଣାପଡିଛି।

ମିଳିଥିବା ସୂଚନାରୁ ଜଣାପଡିଛି ଯେ ଅନେକ ଭାରତୀୟ କମ୍ପାନୀ ପରୀକ୍ଷା କିଟ୍ ବିକଶିତ କରିବା ପ୍ରକ୍ରିୟାରେ ଅଛନ୍ତି ଏବଂ ୧ ଲକ୍ଷ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଏହି ଲଢେଇରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଇତିମଧ୍ୟରେ କ୍ୟାବିନେଟ ସଚିବ ରାଜୀବ ଗୌବା କେତେକ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିମାନଙ୍କ ସହ କୋଭିଡ-୧୯ ନିୟନ୍ତ୍ରଣ କ୍ଷେତ୍ରରେ ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ, ପ୍ରବାସୀ ଶ୍ରମିକ ଏବଂ ବିଦେଶରେ ଫସି ରହିଥିବା ଭାରତୀୟଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.