ଭାରତର ନାଗରିକ ସାମ୍ବିଧାନିକ ବ୍ୟବସ୍ଥାରେ ସୁରକ୍ଷିତ: ରବିଶ କୁମାର

ନୂଆଦିଲ୍ଲୀ: ଭାରତ ନିଜର ଧର୍ମନିରପେକ୍ଷ ପରିଚୟ ପାଇଁ ଗର୍ବିତ ଓ ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ର ଭାବେ ଏହାର ବହୁଳବାଦୀ ସମାଜ, ସହନଶୀଳତା ଓ ସମାବେଶିତା ପାଇଁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି। ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଆନ୍ତର୍ଜାତିକ, ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ପ୍ରକାଶିତ ଏକ ଲେଖା ଉପରେ ସ୍ପଷ୍ଟୀକରଣ ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତୀୟ ସମ୍ବିଧାନ ସଂଖ୍ୟାଲଘୁଙ୍କ ସମେତ ସବୁ ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରି ତାହାକୁ ସୁରକ୍ଷିତ କରିଛି।

ଭାରତ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ଗଣତନ୍ତ୍ର ଏବଂ ଦେଶର ସମ୍ବିଧାନ ଧାର୍ମିକ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସର୍ବଜନ ବିଦିତ। ରବିଶ କୁମାର କହିଛନ୍ତି ଭାରତର ନାଗରିକ ସାମ୍ବିଧାନିକ ବ୍ୟବସ୍ଥାରେ ସୁରକ୍ଷିତ ଥିବାବେଳେ ଅନ୍ୟ କେଉଁ ଦେଶ ଏ ବିଷୟରେ କ’ଣ କହିଲା ବା ମତଦେଲା ସେ ନେଇ ଭାରତର କିଛି ଯାଏଆସେ ନାହିଁ।

ଏହି ପ୍ରସଙ୍ଗ ଉପରେ ବିଜେପିର ରାଜ୍ୟସଭା ଏମ୍‍ପି ତଥା ଗଣମାଧ୍ୟମ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି ଯେ ଆମେରିକା ବୈଦେଶିକ ବିଭାଗର ରିପୋର୍ଟରେ କରାଯାଇଥିବା ଆକଳନ ଯେ ଭାରତ ସରକାର ସଂଖ୍ୟାଲଘୁ ବିରୋଧୀ ସମ୍ପୂର୍ଣ୍ଣ ନିରାଧାର। ଛୋଟମୋଟ ଘଟଣା, ସ୍ଥାନୀୟ ବିବାଦ ଓ ଅପରାଧିକ ପ୍ରକୃତିର ଲୋକମାନେ ଏସବୁ ଘଟଣା ପାଇଁ ତଥ୍ୟ ଯୋଗାଇଥାନ୍ତି। ଏଭଳି ଛୋଟମୋଟ କଥାକୁ ନେଇ ଭାରତକୁ ବଦନାମ କରିବାକୁ ପ୍ରୟାସ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।

Comments are closed.