ଚୀନ ସେନାର ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ  : ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ଦେଇଥିବା ପ୍ରସ୍ତାବକୁ ଭାରତୀୟ ସେନା ପ୍ରତ୍ୟାଖ୍ୟାନ କରିଦେଇଛି। ସୈନ୍ୟ ପ୍ରତ୍ୟାହାର ଏବେ ସମ୍ଭବ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ ଭାବେ ଜଣାଇଦେଇଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ ଭାରତୀୟ ସେନା ଫିଙ୍ଗର ୮ରୁ ସେନା ପ୍ରତ୍ୟାହାର କରି ଫିଙ୍ଗର ୧ ପର୍ଯ୍ୟନ୍ତ ଚାଲିଯାଉ।

ଏହି ମଧ୍ୟବର୍ତ୍ତି ଅଞ୍ଚଳକୁ ବଫର ଜୋନ ବା ନୋ ମ୍ୟାନ୍ସ ଲ୍ୟାଣ୍ଡ କରିବାକୁ ଚୀନ ପ୍ରସ୍ତାବ ଦେଇଥିଲା; କିନ୍ତୁ ଏହା ପଛରେ ଚୀନର ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରି ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଚୀନ ସେନାର ଅନୁପ୍ରବେଶ ପାଇଁ ତାକୁ ପୁରସ୍କୃତ କରିହେବ ନାହିଁ। ଚୀନ ସେନା ଏପ୍ରିଲ ୨୦୨୦ ପୂର୍ବର ସ୍ଥିତିକୁ ଚାଲିଯାଉ ବୋଲି ଭାରତୀୟ ସେନାର ଜଣେ କମାଣ୍ଡର କହିଛନ୍ତି। ଏବେ ଉଭୟ ଭାରତ ଓ ଚୀନ ସେନା ଫିଙ୍ଗର ୪ ଅଞ୍ଚଳରେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଚୀନ ଫିଙ୍ଗର ୮ ଅଞ୍ଚଳରେ ନିଜର ଭିତ୍ତିଭୂମି ନିର୍ମାଣ କାମ ଜାରି ରଖିଛି।

Comments
Loading...