ରାଜ୍ୟଗୋଷ୍ଠୀ ସମ୍ମିଳନୀ: କାଶ୍ମୀରରେ ସୈନ୍ୟ ଉପସ୍ଥିତି ନେଇ ପ୍ରଶ୍ନ କଲା ପାକିସ୍ତାନ, ଭାରତ କହିଲା- ସୈନ୍ୟ ଶାସନ ପାକିସ୍ତାନର ପରମ୍ପରା

କାମ୍ପାଲା : ପାକିସ୍ତାନ ଶନିବାର ରାଜ୍ୟଗୋଷ୍ଠୀ ରାଷ୍ଟ୍ରଙ୍କ ସଂସଦୀୟ ସମ୍ମିଳନୀରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ବୈଠକରେ ଉପସ୍ଥିତ ଭାରତୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନକୁ କଡ଼ା ଜବାବ ଦେଇଛି ।

ୟୁଗାଣ୍ଡାର କାମ୍ପାଲାରେ ଆୟୋଜିତ ଏହି ସମ୍ମିଳନୀରେ ପାକିସ୍ତାନ କାଶ୍ମୀରରେ ଭାରତୀୟ ସୈନ୍ୟଙ୍କ ଉପସ୍ଥିତି ଉପରେ ପ୍ରଶ୍ନ କରିଥିଲା। ଏହା ଉପରେ ଭାରତ କହିଥିଲା ଯେ ସୈନ୍ୟ ଶାସନ ଆମର ନୁହେଁ ପାକିସ୍ତାନର ପରମ୍ପରା। ସେଠାରେ ପ୍ରାୟ ୩୩ ବର୍ଷ ପର୍ଯ୍ୟନ୍ତ ସୈନ୍ୟ ଶାସନ ରହିଛି। ଲୋକସଭା ସଚିବାଳୟ ତରଫରୁ ଜାରି ବାର୍ତ୍ତା ଅନୁସାରେ ଭାରତୀୟ ପ୍ରତିନିଧି ମଣ୍ଡଳୀରୁ ବିଜେପି ସାଂସଦ ରୁପା ଗାଙ୍ଗୁଲି, କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଏବଂ କଂଗ୍ରେସର ରାଜ୍ୟସଭା ସାଂସଦ ଏଲ ହନୁମନଥେୟା ପାକିସ୍ତାନର ମିଥ୍ୟା ଅଭିଯୋଗର ଜବାବ ଦେଇଥିଲେ। ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ସବୁ ସଦସ୍ୟ ଦେଶର ସଂସଦ ସହ ସମ୍ପର୍କିତ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ଭାଗ ନେଇଛନ୍ତି। ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ତାଙ୍କ ବ୍ୟତୀତ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଲୋକସଭା ସଚିବ ସ୍ନେହଲତା ଶ୍ରୀବାସ୍ତବ ଏହି ପ୍ରତିନିଧି ମଣ୍ଡଳୀର ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଭାରତ ବିରୋଧୀ ଭାଷଣ ଦେଇଥିଲେ।

Comments are closed.