ଶୀତରେ ଚୀନ୍‌ ସହ ମୁକାବିଲା ପାଇଁ ରଣନୀତି; ସୀମାରେ ବିପୁଳ ଯୁଦ୍ଧ ସାମଗ୍ରୀ ଠୁଳ

ନୂଆଦିଲ୍ଲୀ : ପୂର୍ବାଞ୍ଚଳ ଲଦାଖରେ ଆଗକୁ ଆସୁଛି ହାଡ଼ଥରା ଶୀତ। ଏହି ଭୟଙ୍କର ଶୀତ ସହିତ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ)ର ଭାରତ ସୀମା ଉପରେ ନଜର ଭାରତୀୟ ସେନାକୁ ସତର୍କ କରାଇଛି। ୪ ମାସ ତଳୁ ଦୁଇରାଷ୍ଟ୍ରର ସୈନ୍ୟ ସେଠାରେ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ବରିଷ୍ଠ ସାମରିକ ସ୍ତରୀୟ ବୈଠକରେ ମଧ୍ୟ ପରସ୍ପର ସେନା ପ୍ରତ୍ୟାହାର ନେଇ ବାଟ ବାହାରୁନି। ଫଳରେ ଆଗକୁ ସେଠାରେ ଶୀତ ୪ ମାସ (ଅକ୍ଟୋବରୁ ଜାନୁୟାରୀ) ସେନାକୁ ଏଭଳି ସ୍ଥିତିରେ ରହିବାକୁ ପଡିବ। ଗୋଟିଏ ପଟେ ପ୍ରବଳ ଶୀତ (ବିଯୁକ୍ତ ୨୫ରୁ ୪୦ ଡିଗ୍ରୀ ତାପମାତ୍ରା)କୁ ସହ୍ୟ କରିବା ଏବଂ ଅନ୍ୟପଟେ ଦେଶର ଭୂଖଣ୍ଡକୁ ବିସ୍ତାରବାଦୀ ଚୀନ୍‌ ସୈନ୍ୟଙ୍କ ଲୋଲୁପ ଦୃଷ୍ଟିରୁ
ସୁରକ୍ଷା କରିବା ଭଳି ଦୁଇ ଦୁଇଟି ଗୁରୁଦାୟିତ୍ବ ରହିଛି। ଏଥିପାଇଁ ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେଙ୍କ ଦ୍ବାରା ଏସବୁ ଅଞ୍ଚଳକୁ ଶକ୍ତିଶାଳୀ ତୋପ, କମାଣ, ଗୋଳାବାରୁଦ, ଗାଡ଼ି, ଇନ୍ଧନ, ଖାଦ୍ୟ ଓ ଶୀତବସ୍ତ୍ର ଭଳି ବ୍ୟାପକ ପରିମାଣର ସାଜ ସରଞ୍ଜାମ ପଠାଯାଉଛି। ବିଶେଷକରି ଟି-୯୦ ଓ ଟି-୭୨ ଭଳି ଟ୍ୟାଙ୍କ ଓ ପଦାତିତ ସୈନ୍ୟଙ୍କ ଲାଗି ଲଢୁଆ ଗାଡ଼ି ଚୁସୁଲ ଓ ଡେମ୍‌ଚୋକ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ପଠାଯାଇଛି। ଶହ ଶହ ସଂଖ୍ୟାରେ ସେନା ଗାଡି ଗୁଡିକ ଖାଦ୍ୟପଦାର୍ଥ, ତମ୍ବୁ, ଯୋଗାଯୋଗ ସାମଗ୍ରୀ, ହିଟର ଓ ଅନ୍ୟାନ୍ୟ ସମାଗ୍ରୀ ଧରି ସମୁଦ୍ର ପତ୍ତନଠାରୁ ୧୬,୦୦୦ ଫୁଟ ଉଚ୍ଚତାରେ ଥିବା ପୂର୍ବାଞ୍ଚଳ ଲଦାଖରେ ପହଞ୍ଚିଛି। ସେନା ପକ୍ଷରୁ କୌଣସି ଅପରେସନ୍‌ ଲାଗି ଏହା ବୃହତ୍ ପରିବହନ ବୋଲି କୁହାଯାଉଛି। ଭାରତ ସେନା ଲାଗି ୟୁରୋପ ଓ ଅନ୍ୟ କେତେକ ଶୀତପ୍ରଧାନ ରାଷ୍ଟ୍ରରୁ ଏଭଳି ଗରମ ପୋଷାକ ଆଣିଛି। ହଜାର ହଜାର ଟନ୍‌ର ବିପୁଳ ସାମଗ୍ରୀକୁ ପାର୍ବତ୍ୟାଞ୍ଚଳରେ ପହଞ୍ଚାଇବା ଲାଗି ବାୟୁସେନାର ସି-୧୩୦ଜେ ସୁରପର ହକ୍ୟୁଲସ୍‌, ସି-୧୭​‌େ​‌ଗ୍ଲାବୋମାଷ୍ଟର ଭଳି ଯୁଦ୍ଧବିମାନ ଓ ପରିବହନକାରୀ ହେଲିକପ୍ଟରକୁ ନିୟୋଜିତ କରାଯାଇଛି।

Comments are closed.