ପାକିସ୍ଥାନର ବଢ଼ିଲା ଚିନ୍ତା; ଭାରତ ସହ ଜଳ ବିବାଦରେ ହସ୍ତକ୍ଷେପ କରିବ ନାହିଁ ବିଶ୍ଵ ବ୍ୟାଙ୍କ

ଭାରତର କିଶନ ଗଙ୍ଗା ଓ ରାତେଲ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପାକିସ୍ଥାନର ଆପତ୍ତି

ଇସଲାମାବାଦ: ବିଶ୍ଵବ୍ୟାଙ୍କ ପକ୍ଷରୁ ପାକିସ୍ଥାନକୁ ମିଳିଛି ବଡ଼ ଝଟକା । ଭାରତ ସହ ଚାଲି ଆସିଥିବା ପାକିସ୍ଥାନର ବହୁ ବର୍ଷର ଜଳ ବିବାଦରେ ବିଶ୍ଵବ୍ୟାଙ୍କ ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛି । ବିଶ୍ଵବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଦୁଇ ଦେଶ ବିଶେଷଜ୍ଞ ବା ନ୍ୟାୟଳୟ ଜରିଆରେ ଏହାର ସମାଧାନ କରିପାରିବେ । ଏଥିରେ ବିଶ୍ଵବ୍ୟାଙ୍କର କୌଣସି ଭୂମିକା ନାହିଁ।
ଇସଲାମାବାଦରେ ୫ ବର୍ଷ କାର୍ଯ୍ୟକାଳ ପୂରଣ ଅବସରରେ ବିଶ୍ଵବ୍ୟାଙ୍କର ପାକିସ୍ଥାନ ମାମଲାର ପୂର୍ବ ନିର୍ଦେଶକ ପେଟଚମୁଥୁ ଇଲଂଗୋବନ କହିଛନ୍ତି ଯେ ଏହି ବିବାଦ ସମାଧାନ ନିମନ୍ତେ ଦୁଇ ଦେଶ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପାକିସ୍ଥାନ ଭାରତର ଦୁଇ ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ କୋର୍ଟ ଅଫ୍ ଆର୍ବିଟ୍ରେସନ (ସିଓଏ) ନିଯୁକ୍ତି ନିମନ୍ତେ ଅନୁରୋଧ କରିବା ପରିପ୍ରେକ୍ଷୀରେ ବିଶ୍ଵବ୍ୟାଙ୍କ ଅନୁରୂପ ମନ୍ତବ୍ୟ ଦେଇଛି ।

ପାକିସ୍ଥାନ ଭାରତର ୩୩୦ ମେଗାୱାଟ ବିଶିଷ୍ଟ କିଶନଗଙ୍ଗା ପ୍ରକଳ୍ପ ଓ ୮୫୦ ମେଗାୱାଟ କ୍ଷମତାବିଶିଷ୍ଟ ରାତଲେ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ଆପତ୍ତି ଉଠାଇଛି । ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁହାଯାଇଛି ଯେ ବିଶ୍ଵବ୍ୟାଙ୍କ ନିୟମ ଆଧାରରେ ଜାମ୍ମୁକାଶ୍ମୀରର ବିକାଶ ନିମନ୍ତେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି । ୧୯୪୭ ମସିହାରେ ଦେଶ ସ୍ବାଧୀନ ହେବା ପରେ ଦୁଇ ଦେଶ ମଧ୍ୟରେ ପାଣିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧୁ ଜଳପ୍ରଣାଳୀ ଯେଉଁଥିରେ ସିନ୍ଧୁ, ଝେଲମ, ଚିନାବ, ରାବୀ, ବ୍ୟାସ ଓ ସତଲେଜ ନଦୀ ସାମିଲ ଏହା ଦୁଇ ଦେଶରେ ପ୍ରବହମାନ । ପାକିସ୍ଥାନର ଅଭିଯୋଗ ହେଉଛି ଏହି ନଦୀରେ ବନ୍ଧ ବାନ୍ଧି ଭାରତ ପାଣି ଅଟକାଇ ଦେଉଛି ଓ କମ୍ ପାଣି ତଳମୁଣ୍ଡକୁ ଛାଡ଼ୁଛି, ଯାହାଦ୍ବାରା ପାକିସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି ।

ପାଣିକୁ ନେଇ ଯେତେବେଳେ ବିବାଦ ସୃଷ୍ଟି ହୋଇଥିଲା ସେତେବେଳେ ୧୯୪୯ ମସିହାରେ ଆମେରିକୀୟ ବିଶେଷଜ୍ଞ ଡ଼େଭିଡ଼୍ ଲଲିୟନ୍ଥଲ ଏହାକୁ ବୈଷୟିକ ରୂପେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଆଧାରରେ ୧୯୫୧ ସେପ୍ଟେମ୍ବର ମାସରେ ତତ୍କାଳୀନ ବିଶ୍ଵବ୍ୟାଙ୍କ ଅଧ୍ୟକ୍ଷ ୟୁଜିନ ରବର୍ଟ ବ୍ଲକ ମଧ୍ୟସ୍ଥତା କରିବାକୁ ସ୍ବୀକାର କରିଥିଲେ । ଯାହା ପରେ ୧୯୬୦ ସେପ୍ଟେମ୍ବର ମାସରେ ପାକିସ୍ଥାନ ସହ ଭାରତର ସିନ୍ଧୁଜଳ ବୁଝାମଣା ସ୍ବାକ୍ଷରିତ ହୋଇଥିଲା ।

Comments are closed.