ଇରାନର ଭାରତ ବିରୋଧୀ ପଦକ୍ଷେପ, ନିଜେ ନିର୍ମାଣ କରିବ ଚବାହାର ରେଳ ପ୍ରକଳ୍ପ

ତେହରାନ: ଇରାନ ଏହାର ପ୍ରସ୍ତାବିତ ଚବାହାର ରେଳ ପ୍ରକଳ୍ପରୁ ଭାରତକୁ ବାଦ୍ ଦେଇଛି। ଚବାହାର ବନ୍ଦରରୁ ଜୋଡାନକୁ ସଂଯୋଗ କରିବାକୁ ଥିବା ଏହି ରେଳ ପ୍ରକଳ୍ପ ଲାଗି ଭାରତ ପାଣ୍ଠି ଯୋଗାଇବ ବୋଲି ବୁଝାମଣା କରିଥିଲା। ତେବେ ୪ ବର୍ଷ ହେଲା ଉକ୍ତ ପ୍ରକଳ୍ପ ଲାଗି ଭାରତ ପାଣ୍ଠି ଯୋଗାଣରେ ବିଳମ୍ବ କରିଥିବା ଇରାନ କହିଛି। ପାଣ୍ଠି ଯୋଗାଣରେ ବିଳମ୍ବ ଯୋଗୁଁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇପାରି ନଥିଲା। ଗତ ସପ୍ତାହରେ ଇରାନ ସହରାଞ୍ଚଳ ବିକାଶ ମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ।

ଏବେ ଭାରତର ବିନା ସହଯୋଗରେ ଇରାନ ଏହି ରେଳ ପ୍ରକଳ୍ପ ନିର୍ମାଣ କରିବ। ୬୨୮ କିମି ଲମ୍ବ ଏହି ରେଳ ପ୍ରକଳ୍ପ ଲାଗି ୪୦୦ ନିୟୁତ ଡଲାର ଖର୍ଚ୍ଚ ହେବ। ଇରାନ ଜାତୀୟ ଉନ୍ନୟନ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ। ଚୀନ ସହିତ ଭାରତର ସମ୍ପର୍କ ତିକ୍ତ ରହିଥିବାବେଳେ ଚୀନ ସହିତ ଇରାନର ସମ୍ପର୍କ ନିବିଡ ରହିଛି। ଅନ୍ୟପଟେ ଆମେରିକା ସହିତ ଭାରତର ଉତ୍ତମ ସମ୍ପର୍କ ଥିବାବେଳେ ଇରାନର ସମ୍ପର୍କ ତିକ୍ତ ରହିଛି। ତେଣୁ ଚୀନର ପ୍ରରୋଚନାରେ ଇରାନ ଭାରତ ବିରୋଧୀ ପଦକ୍ଷେପ ନେଇଛି। ଇରାନରେ ଚୀନ ୪୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛି।

Comments are closed.