ଘରୋଇ କ୍ଷେତ୍ର ପାଇଁ ଖୋଲିଲା ବାଟ: ୧୦୯ ରୁଟରେ ଚାଲିବ ‘ପ୍ରାଇଭେଟ୍ ଟ୍ରେନ୍’

ଦୈନିକ ପ୍ରାୟ ୨୦ ନିୟୁତ ଯାତ୍ରୀ ପରିବହନ କରୁଥିବା ୧୬୭ ବର୍ଷ ପୁରାତନ ଭାରତୀୟ ରେଳବାଇରେ ଏଣିକି ଘରୋଇ କ୍ଷେତ୍ରକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ଯଦିଓ ରେଳବାଇ ଦିନକୁ ଦିନ ଉନ୍ନତି କରୁଛି କିନ୍ତୁ ଆଧୁନିକ ସୁବିଧା ସୁଯୋଗର ଅଭାବ, କମ ପୁଞ୍ଜି ବିନିଯୋଗ ଏବଂ ଦୁର୍ଘଟଣା ଯୋଗୁ ସେତେଟା ବିକାଶ ସମ୍ଭବ ହୋଇପାରୁନାହିଁ। ବୁଧବାର ରାତିରେ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଘରୋଇ କ୍ଷେତ୍ରଗୁଡିକୁ ୧୦୯ଟି ରୁଟରେ ଟ୍ରେନ୍ ଚଳାଇବାକୁ ଅନୁମତି ଦିଆଯିବ। ଘରୋଇ କ୍ଷେତ୍ରକୁ କୋଇଲା ଖଣି ବ୍ୟବସାୟ ନିମନ୍ତେ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହେବାର ଏକ ସପ୍ତାହ ପରେ ରେଳ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ରେଳ ନେଟୱାର୍କରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଏହା ହେଉଛି ଘରୋଇ ବିନିଯୋଗ ନିମିତ୍ତ ପ୍ରଥମ ପଦକ୍ଷେପ। ଏଥିରେ କୁହାଯାଇଛି ଯେ ରକ୍ଷଣାବେକ୍ଷଣର ହ୍ରାସ, ଗମନାଗମନ ସମୟ ହ୍ରାସ, ନିଯୁକ୍ତି ସୃଷ୍ଟି ବୃଦ୍ଧି, ବର୍ଦ୍ଧିତ ନିରାପତ୍ତା ଯୋଗାଇବା, ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନକୌଶଳ ପ୍ରବର୍ତ୍ତନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପରେ ୪ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଆବଶ୍ୟକ ହେବ ଏବଂ ଘରୋଇ କ୍ଷେତ୍ରକୁ ସରକାରଙ୍କ ସ୍ଥିର ହୋଇଥିବା ଚାର୍ଜ ଏବଂ ବିଡିଂ ପ୍ରକ୍ରିୟା ସମୟରେ ସ୍ଥିର ହୋଇଥିବା ଲାଭର ଏକ ନିର୍ଦ୍ଧିଷ୍ଟ ଅଂଶ ଦେବାକୁ ପଡିବ। କଂଗ୍ରେସର ନେତା ଆଧୀର ରଂଜନ ଚୌଧୁରୀ ଟ୍ୱିଟ୍ କରିଛନ୍ତି ଯେ ବର୍ତ୍ତମାନ ଆମର ଏକ ବୃହତ୍ ଜାତୀୟ ସମ୍ପତ୍ତି ଇଣ୍ଡିଆନ୍ ରେଲୱେ୍ର ଏକ ବୃହତ ଅଂଶ ବିକ୍ରୟ କରିବାକୁ ସରକାରଙ୍କ ନିଷ୍ପତ୍ତି ହତାଶ ମନୋଭାବର ପରିଚୟ ଦେଉଛି।

Comments are closed.