ନୂଆ ପାକ୍‍ ସରକାର ଦକ୍ଷିଣ ଏସିଆ ପୁନର୍ଗଠନରେ ସହାୟକ ହେବେ: ଭାରତ

0

ନୂଆଦିଲ୍ଲୀ : ନିର୍ବାଚନରେ ବିଜୟ ହାସଲ ସହ ଭାରତ ସହିତ ସମ୍ପର୍କରେ ଉନ୍ନତି ପାଇଁ ଇମ୍ରାନ ଖାଁଙ୍କ ଆହ୍ୱାନ ପରେ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନର ନୂଆ ସରକାର ଆତଙ୍କବାଦର ବିଲୋପ ପୂର୍ବକ ନୂଆ ଦକ୍ଷିଣ ଏସିଆ ଗଠନରେ ସହାୟକ ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ବିକାଶ କ୍ଷେତ୍ରରେ ନୂଆ ସରକାର ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ ବୋଲି ଭାରତ ଆଶା ବ୍ୟକ୍ତ କରିଛି। ଭାରତ ସର୍ବଦା ଏକ ବିକଶିତ ଓ ଶାନ୍ତିିପୂର୍ଣ୍ଣ ପଡ଼ୋଶୀ ଆଶା କରେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ନିର୍ବାଚନରେ ବିଜୟ ପରେ ଇମ୍ରାନ ଖାଁ କହିଥିଲେ ଯେ ପାକିସ୍ତାନ ସର୍ବଦା ଭାରତ ସହିତ ସୁସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱ ଦେଇଆସିଛି। ତାଙ୍କ ସରକାର ଭାରତ ସହିତ ଆଲୋଚନା ମାଧ୍ୟମରେ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଗ୍ରହୀ। ଭାରତ ଗୋଟିଏ ପାଦ କାଢ଼ିଲେ ପାକିସ୍ତାନ ଦୁଇ ପାଦ ବାହାର କରିବ ବୋଲି ଇମ୍ରାନ କହିଥିଲେ।
ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତିି ଯେ ଭାରତ ସରକାର ଇମ୍ରାନଙ୍କ ‘ବନ୍ଧୁତ୍ୱ’ ପ୍ରସ୍ତାବକୁ ଗ୍ରହଣ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ସହ ସମ୍ପ୍ରତି ସୃଷ୍ଟି ହୋଇଥିବା ସୁଯୋଗର ହାତଛଡ଼ା ନକରିବା ଉଚିତ ବୋଲି ମେହବୁବା କହିଛନ୍ତି। ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଇମ୍ରାନ ବଢ଼ାଇଥିବା ବନ୍ଧୁତ୍ୱର ହାତକୁ ମୋଦୀ ଗ୍ରହଣ କରିବାକୁ ସେ ବ୍ୟକ୍ତିଗତ ଭାବେ ମୋଦୀଙ୍କୁ ନିବେଦନ କରିଛନ୍ତି। ନିଜ ଦଳ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମେହବୁବା ଏହା କହିଛନ୍ତି।

Leave A Reply