ଚୀନ୍‌ର ପୁଞ୍ଜିନିବେଶ ଉପରେ କେନ୍ଦ୍ର କଠୋର

ନୂଆଦିଲ୍ଲୀ: ଚୀନରୁ ପୁଞ୍ଜିନିବେଶ ଉପରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଉକ୍ତ ରାଷ୍ଟ୍ରରୁ ହେଉଥିବା ପରୋକ୍ଷ ଏବଂ ଅନ୍ୟାନ୍ୟ ସମସ୍ତ ପୁଞ୍ଜିନିବେଶ ପୂର୍ବରୁ ଭାରତ ସରକାରଙ୍କ ଅନୁମତି ନିତାନ୍ତ ଜରୁରୀ ବୋଲି କୁହାଯାଇଛି। ଏଥିସହିତ ରାଷ୍ଟ୍ର ସୀମାକୁ ଲାଗି ରହିଥିବା ସମସ୍ତ ରାଷ୍ଟ୍ରରୁ ପୁଞ୍ଜିନିବେଶ ପାଇଁ ମଧ୍ୟ ସମାନ କଟକଣା ଲାଗୁ କରାଯାଇଛି।

ଶନିବାର ଦିନ ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ପ୍ରେସନୋଟ ୩ (୨୦୨୦ ସିରିଜ) ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ ଭାରତ ସୀମାକୁ ଲାଗିଥିବା ରାଷ୍ଟ୍ରଗୁଡିକରୁ ସମସ୍ତ ପୁଞ୍ଜିନିବେଶ କେବଳ ଅନୁମୋଦନ ମାଧ୍ୟମରେ ସମ୍ଭବ ହୋଇପାରିବ। ତାହାସହିତ ଭାରତରେ ରହିଥିବା କୌଣସି ସଂସ୍ଥାର ମାଲିକାନା ହସ୍ତାନ୍ତର ଅଥବା ଭବିଷ୍ୟତରେ ଭାରତରେ କୌଣସି ପ୍ରକାର ପ୍ରତ୍ୟକ୍ଷ ଅଥବା ପରୋକ୍ଷ ପୁଞ୍ଜିନିବେଶ ଏବଂ ତଦ୍ଦ୍ୱାରା ଉକ୍ତ ସଂସ୍ଥାଦ୍ୱାରା ମାଲିକାନାସ୍ୱତ୍ତ୍ୱ ହାସଲ ପୂର୍ବରୁ ଭାରତ ସରକାରଙ୍କ ଅନୁମୋଦନ ନେବାକୁ ହେବ। ପ୍ରେସନୋଟ୍‍ରେ କୁହାଯାଇଛି ଯେ କୋଭିଡ ୧୯ଜନିତ କାରଣରୁ ଭାରତୀୟ କମ୍ପାନୀଗୁଡିକର ଅଧିଗ୍ରହଣ ଅଥବା ପରିଚାଳନା ଦାୟିତ୍ୱ ଦଖଲ ଭଳି ସୁବିଧାବାଦୀ କାର୍ୟ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କେତେକ ରାଷ୍ଟ୍ରରୁ ଆସୁଥିବା ପୁଞ୍ଜିନିବେଶକୁ ଅଧିକ ଯାଞ୍ଚ କରିବାକୁ ଡିପିଆଇଆଇଟି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଚାର ବିମର୍ଶ କରୁଛନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତିକରୁଥିବା ଭାରତୀୟ କମ୍ପାନୀଗୁଡିକୁ ଚୀନ କମ୍ପାନୀଗୁଡିକ ଅଧିଗ୍ରହଣ କରିବା ଆଶଙ୍କା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଥିଲେ। ସେ ଟ୍ୱିଟ୍‍ କରି କହିଥିଲେ ଯେ ଗୁରୁତର ଅର୍ଥନୈତିକ ମାନ୍ଦା ଅବସ୍ଥା କାରଣରୁ ବହୁ ଭାରତୀୟ କମ୍ପାନୀର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି ଏବଂ ସେମାନେ ଲୋଭନୀୟ ଅଧିଗ୍ରହଣ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଭଳି ରାଷ୍ଟ୍ରୀୟ ସଙ୍କଟ ସମୟରେ ସରକାର କୌଣସି ଭାରତୀୟ କମ୍ପାନୀକୁ ବିଦେଶୀ ନିବେଶକଙ୍କ ଦ୍ୱାରା ଅଧିଗ୍ରହଣ ହେବାକୁ ଅନୁମତି ପ୍ରଦାନ କରିବା ଆଦୌ ଉଚିତ ନୁହେଁ। ସୂଚନାଯୋଗ୍ୟ ଯେ ଏଚଡିଏଫସି ବ୍ୟାଙ୍କରେ ଚୀନ ସେଣ୍ଟ୍ରାଲ ବ୍ୟାଙ୍କର ଅଂଶ ୧%କୁ ବୃଦ୍ଧିକରିବା ଯୋଜନାକୁ ନେଇ ରାହୁଲଙ୍କ ଟ୍ୱିଟ୍‍ ସହିିତ ଏକାଧିକ ସଚେତନ ଭାରତୀୟ ଟ୍ୱିଟ୍‍ କରିଥିଲେ। ଏହି ପ୍ରସଙ୍ଗ ସାମାଜିକ ଗଣମାଧ୍ୟମରେ ବେଶ୍‍ କିଛିକାଳ ଲାଗି ରହିଥିଲା। ତେଣୁ ଭାରତର ସ୍ଥଳ ସୀମାକୁ ଲାଗିଥିବା ସାତଟି ରାଷ୍ଟ୍ରରୁ ଭାରତର ଯେକୌଣସି କମ୍ପାନୀରେ ଗୋଟିଏ ସେୟାରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଜରିଆରେ ପୁଞ୍ଜି ଖଟାଇବାକୁ ହେଲେ ସେଥିପାଇଁ ପୂର୍ବରୁ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ। ସମସ୍ତ କ୍ଷେତ୍ର ଏବଂ ସମସ୍ତ ପରିମାଣର ଏଫଡିଆଇ ନିମନ୍ତେ ଏହି ସର୍ତ୍ତ ପ୍ରଯୁଜ୍ୟ ହେବ।

ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ ଭାରତ ସରକାର ଏଫଡିଆଇ କ୍ଷେତ୍ରକୁ ଅଧିକ ପ୍ରଶସ୍ତ କରିବା ସହିତ ବିଦେଶୀ ପୁଞ୍ଜି ଭାରତର ଅଧିକାଂଶ କ୍ଷେତ୍ରକୁ ଅଟୋମାଟିକ ପଦ୍ଧତିରେ ଆସିବା ବ୍ୟବସ୍ଥା କରିଥିଲେ। ତତ୍‍ସହିତ ୨୦୧୭ରେ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡକୁ ମଧ୍ୟ ଉଚ୍ଛେଦ କରିଥିଲେ। ଭାରତ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଏଫଡିଆଇକୁ କଡାକଡି।ଞ୍ଚ କରିବା ଆରମ୍ଭ କରିଛନ୍ତି। ୟୁରୋପୀୟ ସଂଘ ୨୦୧୯ରେ ନିରାପତ୍ତା ଏବଂ ସରକାରୀ ବ୍ୟବସ୍ଥା କାଏମ ରଖିବାକୁ ଏଫଡିଆଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ଚୀନ କମ୍ପାନୀଗୁଡିକ ଆମେରିକାରେ ସମ୍ପତ୍ତି ଅଧିଗ୍ରହଣ ଆଶଙ୍କାରେ ଆମେରିକା ପ୍ରଶାସନ ମଧ୍ୟ ଚୀନରୁ ଆସୁଥିବା ନିବେଶକୁ ଯାଞ୍ଚ କରିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। କରୋନ ଆତଙ୍କ କାରଣରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଶସ୍ତାରେ ବିକ୍ରି ହୋଇଯିବା ଆଶଙ୍କାରେ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିଦେଶୀ ଅଧିଗ୍ରହଣ ଉପରେ ସାମୟିକ ଭାବେ ଅଙ୍କୁଶ ଲଗାଇଥିଲା। ଏଭଳି ପଦକ୍ଷେପ ଦ୍ୱାରା ଚୀନର ପୁଞ୍ଜିନିବେଶ ବହୁଳ ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚୀନର ନିବେଶକମାନେ ଭାରତୀୟ ଷ୍ଟାର୍ଟଅପଗୁଡିକରେ ପ୍ରାୟ ୪ ବିଲିଅନ ଡଲାର ଗ୍ରୀନଫିଲ୍‍ଡ ନିବେଶ କରିଛନ୍ତି। ସେମାନେ ଏତେ ବେଗରେ ନିବେଶ ପ୍ରକ୍ରିୟା ଜାରି ରଖିଥିଲେ ଯେ ଭାରତର ୩୦ଟି ପ୍ରମୁଖ କମ୍ପାନୀ ମଧ୍ୟରୁ ୧୮ଟି ଚୀନର ପୁଞ୍ଜିନିବେଶରେ ଗଢିଉଠିଛି।

ପୂର୍ବରୁ ଭାରତ ସରକାର ବାଂଲାଦେଶ ଏବଂ ପାକିସ୍ତାନ ନିମନ୍ତେ ଏଭଳି ସର୍ତ୍ତ ରଖିଥିବାବେଳେ ସମ୍ପ୍ରତି ତାହା ଚୀନ, ନେପାଳ, ବର୍ମା, ମ୍ୟାଁମାର, ଭୁଟାନ ଏବଂ ଆଫଗାନିସ୍ତାନ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

Comments are closed.