ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ : ସୂର୍ଯ୍ୟକୁମାର, ପ୍ରସିଦ୍ଧ କ୍ରିଷ୍ଣା ଓ କ୍ରୁନାଲ୍‌ ନୂଆ ମୁହଁ

ନୂଆଦିଲ୍ଲୀ  : ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟି ଦିନିକିଆ ସିରିଜ୍‌ ନିମନ୍ତେ ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି। ଘୋଷିତ ଦଳରେ ନୂଅା ମୁହଁ ଭାବେ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ, ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ଅଲରାଉଣ୍ଡର କ୍ରୁନାଲ୍‌ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଛି। ସେହିପରି ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବାମହାତୀ ଦ୍ରୁତ ବୋଲର ଟି. ନଟରାଜନ୍‌ଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳରେ ସାମିଲ କରାଯାଇଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩, ୨୬ ଓ ୨୮ରେ ୩ଟି ଦିନିକିଆ ମ୍ୟାଚ୍‌ ପୁଣେରେ ଖେଳାଯିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ବ୍ୟାଟସମ୍ୟାନ୍‌ ମୟଙ୍କ ଅଗ୍ରୱାଲ୍‌, ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ବ୍ୟାଟସମ୍ୟାନ୍‌ ମନୀଷ ପାଣ୍ଡେ ଓ ୱିକେଟରକ୍ଷକ ସଞ୍ଜୁ ସାମସନ୍‌ଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ମିଳି ନାହିଁ। ବୁମରା ନିକଟରେ ବିବାହ କରିଥିବାରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳରେ ସ୍ଥାନ ଦିଆଯାଇ ନାହିଁ। ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ କହୁଣୀରେ ଓ ମନୀଷ ପାଣ୍ଡେଙ୍କ ହାତରେ ଆଘାତ ଲାଗିଥିବା ବେଳେ ଏହି ଦୁଇ କ୍ରିକେଟର୍‌ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ସେମାନଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ରୋହିତ ଶର୍ମା, ଋଷଭ ପନ୍ତ୍‌, ୱାଶିଂଟନ ସୁନ୍ଦର ଓ ମହମ୍ମଦ ସିରାଜ୍‌ ସ୍ଥାନ ପାଇଛନ୍ତି।
୨୫ ବର୍ଷୀୟ କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ବର୍ତ୍ତମାନ ସୁଦ୍ଧା ୪୮ଟି ଲିଷ୍ଟ ଏ’ ମ୍ୟାଚ୍‌ ଖେଳି ୮୧ଟି ୱିକେଟ୍ ହାସଲ କରିଥିବା ବେଳେ ୪୦ଟି ଘରୋଇ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୩୩ଟି ୱିକେଟ୍ ହାସଲ କରିଛନ୍ତି। ସେ ଆଇପିଏଲ୍‌ରେ କଲକାତା ନାଇଟ୍ ରାଇଡର୍ସ ଦଳ ତରଫରୁ ଖେଳୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୮ଟି ୱିକେଟ୍ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ର ୪ର୍ଥ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିବାରୁ ତାଙ୍କୁ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯାଇଥିବା ଆଲୋଚନା ହେଉଛି। କ୍ରୁନାଲ ପାଣ୍ଡ୍ୟା ଭାରତ ତରପରୁ ବର୍ତ୍ତମାନ ସୁଦ୍ଧା ୧୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୨୧ ରନ୍‌ କରିବା ସହ ୧୪ଟି ୱିକେଟ୍ ହାସଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳରେ ସାମିଲ କରାଯାଇଛି। ଭାରତୀୟ ଦଳରେ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ୍‌, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ରହିଛନ୍ତି।

Comments are closed.