ଭାରତ ବିପକ୍ଷ ଦିନିକିଆ ସିରିଜ୍‌ର ୩ଟି ମ୍ୟାଚ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳ ଘୋଷିତ

0

ଅକ୍‌ଲାଣ୍ଡ : ଭ୍ରମଣକାରୀ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳ ଘୋଷିତ ହୋଇଛି। ଘୋଷିତ ଦଳରେ ବାମହାତୀ ସ୍ପିନର ମିଚେଲ୍‌ ସାଣ୍ଟନର୍‌ ଓ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଟମ୍‌ ଲାଥାମ୍‌ଙ୍କୁ ସାମିଲ କରାଯାଇଛି। ସୂଚନାଥାଉକି ସାଣ୍ଟନର୍‌ ୧୦ ମାସର ବ୍ୟବଧାନ ପରେ ଦିନିକିଆ କ୍ରିକେଟ୍‌ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସାଣ୍ଟନର୍‌ ବେଶ୍‌ କିଛିଦିନ କ୍ରିକେଟ୍‌ ଜଗତରୁ ଦୂରେଇ ରହିଥିଲେ। ତେବେ ଶ୍ରୀଲଙ୍କା ବିପକ୍ଷ ଏକମାତ୍ର ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ସାଣ୍ଟନର୍‌ ନିଜ ଫିଟନେସ୍‌ର ପ୍ରମାଣ ଦେଇଛନ୍ତି। ଅନ୍ୟପକ୍ଷରେ ଲାଥାମ୍‌ଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆଯାଇଥିବା ବେଳେ ଭାରତ ବିପକ୍ଷ ସିରିଜ୍‌ ନିମନ୍ତେ ଦଳରେ ସାମିଲ କରାଯାଇଛି। ସେହିପରି ଅଲରାଉଣ୍ଡର କଲିନ୍‌ ଡି’ଗ୍ରାଣ୍ଡହୋମ୍‌ଙ୍କୁ ମଧ୍ୟ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆଯାଇଥିଲା। ତାଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳରେ ସାମିଲ କରାଯାଇଛି।
ଜଂଘ ମାଂସପେଶୀରେ ଆଘାତଜନିତ କାରଣରୁ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଖେଳିପାରିନଥିବା ଜେମ୍‌ସ ନିସାମ୍‌ ଓ ଆଣ୍ଠୁରେ ଆଘାତପ୍ରାପ୍ତ ଲେଗ୍‌ସ୍ପିନର ଟଡ୍‌ ଆଷ୍ଟଲେଙ୍କୁ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ ନିମନ୍ତେ ଦଳରେ ସାମିଲ କରାଯାଇ ନାହିଁ। ସୂଚନାଥାଉକି ସାଣ୍ଟନର୍‌ ଘରୋଇ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ୬ଟି ମ୍ୟାଚ୍‌ରୁ ୭ଟି ୱିକେଟ୍‌ ହାସଲ କରିଥିଲେ। ଏହାବାଦ୍‌ ସେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିନଥିବା ଡୋଗ୍ ବ୍ରାସୱେଲ୍‌ଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍ ନିମନ୍ତେ ନ୍ୟୁଜିଲାଣ୍ଡ ଦଳ​​‌ରେ‌ ସ୍ଥାନ ମିଳିଛି।
ଘୋଷିତ ଦଳ ସଂପର୍କରେ ସୂଚନା ଦେଇ ନ୍ୟୁଜିଲାଣ୍ଡ ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ୍ କହିଥିଲେ ସାଣ୍ଟନର୍‌ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଦଳରେ ସାମିଲ କରାଯାଇଛି। ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ। ଏହାକୁ ଦୃଷ୍ଟିରେ ରଖି ଦିନିକିଆ ସିରିଜ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ତରଫରୁ ଏକ ଶକ୍ତିଶାଳୀ ଦଳ ଘୋଷଣା କରାଯାଇଛି।
ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ନ୍ୟୁଜିଲାଣ୍ଡ ତରଫରୁ ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିବା ଟିମ୍‌ ସେଫୋର୍ଟଙ୍କୁ ଭାରତ ବିପକ୍ଷ ସିରିଜ୍‌ ନିମନ୍ତେ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଲାଥାମ୍‌ ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବେ। ଦ୍ରୁତ ବୋଲର ଭାବେ ଟିମ୍‌ ସାଉଦୀ, ଟ୍ରେଣ୍ଟ ବୋଲ୍‌ଟ, ଲୁକି ଫର୍ଗୁସନ୍‌ ଓ ମାଟ୍‌ ହେନେରୀ ଦଳରେ ଥିବାବେଳେ ସ୍ପିନର ଭାବେ ସାଣ୍ଟନରଙ୍କ ବ୍ୟତୀତ ଇସ୍‌ ସୋଢ଼ିଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଆସନ୍ତା ୨୩ରେ ନାପିଅର, ଦ୍ବିତୀୟ ଦିନିକିଆ ୨୬ ଓ ତୃତୀୟ ଦିନିକିଆ ୨୮ରେ ମାଉଣ୍ଟ ମାଉନଗାନୁଇ​ରେ‌ର ଖେଳାଯିବ।
ନ୍ୟୁଜିଲାଣ୍ଡ ଦିନିକିଆ ଦଳ : କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟ୍ରେଣ୍ଟ ବୋଲ୍‌ଟ, ଡୋଗ୍‌ ବ୍ରାସୱେଲ୍‌, କଲିନ୍‌ ଡି’ ଗ୍ରାଣ୍ଡହୋମ୍‌, ଲୁକି ଫର୍ଗୁସନ୍, ମାଟିନ୍‌ ଗପଟିଲ୍‌, ମାଟ୍‌ ହେନେରୀ, ଟମ୍ ଲାଥାମ୍‌, କଲିନ୍‌ ମୁନରୋ, ହେନେରୀ ନିକୋଲ୍‌ସ, ମିଚେଲ୍‌ ସାଣ୍ଟନର, ଇସ୍‌ ସୋଢ଼ି, ଟିମ୍‌ ସାଉଦୀ, ରସ୍‌ ଟେଲର।

Leave A Reply