ପାକିସ୍ତାନ, ଚୀନ୍‌ ସହ ଭାରତର ଯୁଦ୍ଧ ଆଶଙ୍କା ରହିଛି – ରିପୋର୍ଟ

ୱାଶିଂଟନ୍‌: ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚୀନ୍‌ ମଧ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଗୁଇନ୍ଦା ପରିଷଦ ପକ୍ଷରୁ ଏଭଳି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହାର ବିଶେଷଜ୍ଞମାନେ ଭାରତରେ ଅଧିକ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟାନ୍ୟ ଚୋଟମୋଟ ବିବାଦ ହିଁ ଯୁଦ୍ଧ ପାଇଁ ପାଣିପାଗ ପ୍ରସ୍ତୁତ କରିବ ବୋଲି ସତର୍କ କରାଇଦେଇଛନ୍ତି। ଏହି ଯୁଦ୍ଧ ଅତି ଭୟଙ୍କର ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି। କେବଳ ସେତିକି ନୁହେଁ ଆଗାମୀ ଦିନରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବୃଦ୍ଧି ପାଇବ ଓ ଦୁଇ ରାଷ୍ଟ୍ର ଯୁଦ୍ଧ ମୁହାଁ ହେବେ ବୋଲି ସେମାନେ କହିଛନ୍ତି। ତିନି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧ ଲାଗିଲେ ପରିସ୍ଥିତି ଅତ୍ୟନ୍ତ ଭୟାବହ ହେବ ବୋଲି ମଧ୍ୟ ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ପରିଷଦର ‘ଷ୍ଟ୍ରାଟେଜିକ୍‌ ଫ୍ୟୁଚର ଗ୍ରୁପ୍‌’ ପକ୍ଷରୁ ଏକ ପାଞ୍ଚ ବର୍ଷିୟା ଆଞ୍ଚଳିକ ପ୍ରସଙ୍ଗ ଶୀର୍ଷକ ପୁସ୍ତିକା ପ୍ରକାଶ ପାଇଛି। ଏଥିରେ ଭାରତ ଓ ପାକିସ୍ତାନ କେହି ହେଲେ ବଡ଼ ଧରଣର ଯୁଦ୍ଧ ଚାହୁ ନ ଥିଲେ ମଧ୍ୟ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଲେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ଅସମ୍ଭବ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି। ନିକଟରେ ଚୀନ୍‌ ସହିତ ଲଦାଖ ସୀମାରେ ୯ ମାସ ଧରି ଲାଗି ରହିଥିବା ବିବାଦ ସାମାନ୍ୟ ପ୍ରସମିତ ହୋଇଛି ଏବଂ ପାକିସ୍ତାନ ସହିତ ହଠାତ୍‌ ଭାରତର ଅସ୍ତ୍ରବିରତି ରାଜିନାମା କାର୍ଯ୍ୟକାରୀ ହୋଇଛି। ଏହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ଯଦି ଆକ୍ରମଣ କରନ୍ତି; ତେବେ ନୂଆଦିଲ୍ଲୀର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଦିଆଯାଇ ନ ପାରେ। ଏପରି ହେଲେ ଇସ୍‌ଲାମାବାଦ ମଧ୍ୟ ଭାରତର ଜବାବ ଦେବକୁ ପଛାଇବ ନାହିଁ; ଯାହା ଯୁଦ୍ଧର କାରଣ ହେବ। ୨୦୨୦ ଜୁନ୍‌ ଭଳି ପରିସ୍ଥିତି ଯଦି ଚୀନ୍‌ ସୃଷ୍ଟିକରେ; ତେବେ ଯୁଦ୍ଧ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଓ ପରିବର୍ତ୍ତୀ ସ୍ଥିତିକୁ ଭାରତ କିଭଳି ମୁକାବିଲା କରିବ ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ଚୀନ୍‌ ଓ ପାକିସ୍ତାନ ସହିତ ସମ୍ପର୍କ କ୍ଷେତ୍ରରେ ଏହା ବଡ଼ ଭୂମିକା ନିଭାଇବ ବୋଲି ଆକଳନ କରାଯାଇଛି। ଆମେରିକା କଂଗ୍ରେସରେ ‘ଗ୍ଲୋବାଲ ଟ୍ରେଣ୍ଡସ୍‌ ରିପୋର୍ଟ-୨୦୪୦’ ଶୀର୍ଷକ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ କିଭଳି ପାକିସ୍ତାନର ଉସୁକାଣିକୁ ସେନା ପଦକ୍ଷେପ ମାଧ୍ୟମରେ ଦୃଢ଼ ମୁକାବିଲା କରିଛି ତାହା ଉଲ୍ଲେଖ ରହିଛି। ଚୀନ୍‌ ମଧ୍ୟ କେମିତି ଲଦାଖରେ ପଛକୁ ହଟିଛି ତାହା ବର୍ଣ୍ଣନା କରାଯାଇଛି। ଏଥିରେ ଭାରତ କିଭଳି ଆମେରିକା ଓ ଚୀନ ଭଳି ବିଶ୍ବ ରାଜନୀତିରେ ବଡ଼ ଭୂମିକା ନିର୍ଭାଇବାର ପ୍ରୟାସ ଚଳାଇଛି ତାହା ବର୍ଣ୍ଣନା କରାଯାଇଛି। ସର୍ବୋପରି ଚୀନ୍‌ର ମୁକାବିଲା ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.