ସୁଲତାନ୍‌ ଅଫ୍ ଜୋହର କପ୍‌: ଗ୍ରେଟ୍‌ ବ୍ରିଟେନ୍‌ଠାରୁ ହାରି ଭାରତ ରନର୍ସଅପ୍‌

ଜୋହାର ବାହାରୁ (ମାଲେସିଆ): ମାଲେସିଆ ଖେଳାଯାଉଥିବା ସୁଲତାନ୍‌ ଅଫ୍ ଜୋହର କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ରନର୍ସଅପ୍‌ ହୋଇଛି ଭାରତ ଜୁନିୟର ପୁରୁଷ ହକି ଦଳ। ଫାଇନାଲରେ ଭାରତୀୟ ଦଳ ବ୍ରେଟ୍‌ ବ୍ରିଟେନ୍‌ ନିକଟରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ପ୍ରଥମ ୩ଟି କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ଖେଳର ୪୯ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଗୁରସାହିବ୍‌ଜିତ ସିଂହ ଦଳକୁ ୧-୦ରେ ଆଗୁଆ କରାଇ ପାରିଥିଲେ। ତେବେ ୫୦ ମିିନିଟ୍‌ରେ ଗ୍ରେଟ୍‌ ବ୍ରିଟେନ୍‌ ତରଫରୁ ଷ୍ଟୁଆର୍ଟ ରୁସମେର୍‌ ଗୋଲ୍‌ ପରିଶୋଧ କରି ଦେଇଥିଲେ। ଅନ୍ତିମ ମୁହୂର୍ତ୍ତରେ ରୁସମେର୍‌ ପୁନର୍ବାର ଗୋଲ୍‌ ସ୍କୋର କରି ଦଳକୁ ଚମ୍ପିଆନ୍ କରାଇ ପାରିିଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ଭାରତୀୟ ଦଳ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ମ୍ୟାଚ୍ ଡ୍ର ରଖି ୧୦ ପଏଣ୍ଟ ହାସଲ କରିବା ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା। ଦଳ ମାଲେସିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଜାପାନ ନିକଟରୁ ହାରିଥିଲା। ଗ୍ରେଟ୍‌ ବ୍ରିଟେନ୍‌ ସହ ଅନ୍ତିମ ଲିଗ୍‌ ମ୍ୟାଚ୍‌ ୩-୩ ଗୋଲ୍‌ରେ ଡ୍ର ରଖିଥିଲା ଭାରତ।

Comments are closed.