ବିଗୁଡ଼ୁଛି ସାମଗ୍ରିକ ନ୍ୟାୟ ବ୍ୟବସ୍ଥା; ୭ମରୁ ୧୧ତମ ସ୍ଥାନକୁ ଖସିଲା ଓଡ଼ିଶା

କେବଳ ପୁଲିସ ବ୍ୟବସ୍ଥାରେ ୪ ପାହାଚ ଉପରକୁ ଉଠିଛି ରାଜ୍ୟ 

ଭୁବନେଶ୍ବର:   ରାଜ୍ୟରେ ବିିଗୁଡ଼ୁଛି ସାମଗ୍ରିକ ନ୍ୟାୟ ବ୍ୟବସ୍ଥା । ପୁଲିସ, ଜେଲ, ବିଚାରବିଭାଗ ଓ ଆଇନ ସହାୟତା ଆଦିକୁ ନେଇ ସାମଗ୍ରିକ କ୍ଷେତ୍ରରେ ଓଡ଼ିଶା ଗତବର୍ଷଠାରୁ ୪ କଦମ ପଛକୁ ଖସିଛି । ଗତବର୍ଷ ଓଡ଼ିଶା ଏ କ୍ଷେତ୍ରରେ ୭ମ ସ୍ଥାନରେ ଥିବାବେଳେ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ୧୧ତମ ସ୍ଥାନକୁ ଖସି ଆସିଛି । ଟାଟା ଟ୍ରଷ୍ଟ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଆଧାରରେ ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ ।

ଟାଟା ଟ୍ରଷ୍ଟ ପକ୍ଷରୁ ସାମଗ୍ରିକ ଭାବରେ କ୍ଷୁଦ୍ର ରାଜ୍ୟ ତ୍ରିପୁରା, ସିିକିମ, ଗୋଆ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ମେଘାଳୟକୁ ନେଇ ଏକ ବର୍ଗ ଗଠନ କରାଯାଇ ସର୍ଭେ କରାଯାଇଥିବାବେଳେ ବୃହତ୍ ଓ ମଧ୍ୟବର୍ଗର ୧୮ଟି ରାଜ୍ୟକୁ ନେଇ ଅନ୍ୟ ଏକ ସର୍ଭେ କରାଯାଇଛି । ଓଡ଼ିଶା ବୃହତ୍ ଓ ମଧ୍ୟବର୍ଗ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓ ୪ଟି ବିଭାଗର ମୋଟ ୧୦ ନମ୍ବରରୁ ଓଡ଼ିଶା ପାଇଛି ୪.୯ । ପୁଲିସର ୧୫ ସୂଚକାଙ୍କ ମଧ୍ୟରୁ ଓଡ଼ିଶାକୁ ୭ ନମ୍ବର ମିଳିଥିବାବେଳେ ଜେଲ ବ୍ୟବସ୍ଥାର ୧୨ ସୂଚକାଙ୍କ ମଧ୍ୟରୁ ୪, ବିଚାର ବ୍ୟବସ୍ଥାର ୧୩ ସୂଚକାଙ୍କ ମଧ୍ୟରୁ ୮, ଆଇନ ସହାୟତାର ୧୩ଟି ସୂଚକାଙ୍କରୁ ଓଡ଼ିଶାକୁ ମିଳିଛି ୯ ନମ୍ବର । ୪ଟି ବର୍ଗର ୫୩ଟି ସୂଚକାଙ୍କ ମଧ୍ୟରୁ ଓଡ଼ିଶା ୨୮ ନମ୍ବର ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସାମଗ୍ରିକ ଭାବରେ ପୁଲିସ ବ୍ୟବସ୍ଥା, ପରିଚାଳନା, ବିଚାର ବିଭାଗ, ଆଇନ ସହାୟତା, ଜେଲ ଆଦି କ୍ଷେତ୍ରରେ ମହାରାଷ୍ଟ୍ରର ସ୍ଥାନ ଦେଶରେ ଶୀର୍ଷରେ । ଏହି ରାଜ୍ୟ ଗତବର୍ଷ ପ୍ରଥମ ସ୍ଥାନରେ ଥିଲା ଓ ଏଥର ମଧ୍ୟ ୫.୭୭ ନମ୍ବର ସହ ପ୍ରଥମ ସ୍ଥାନ ବଜାୟ ରଖିଛି । ତାମିଲନାଡ଼ୁ ଏ କ୍ଷେତ୍ରରେ ଗୋଟିଏ ପାହାଚ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ସବୁଠାରୁ କୌତୂହଳର କଥା ହେଲା ଗତଥର ୧୧ତମ ସ୍ଥାନରେ ଥିବା ତେଲଙ୍ଗାନା ତୃତୀୟ ସ୍ଥାନକୁ ଲମ୍ଫ ମାରିଛି । ପଞ୍ଜାବ୫.୪୧ ନମ୍ବର ସହ  ପୂର୍ବ ପରି ୪ର୍ଥ ସ୍ଥାନ ବଜାୟ ରଖିଛି । ତେବେ ଗତଥର ସର୍ଭେରେ ୨ୟସ୍ଥାନରେ ଥିବା କେରଳ ଏଥର ୫ମସ୍ଥାନକୁ ଖସିଛି ।

ଏହି ସର୍ଭେରେ ଗୁଜରାଟ ଷଷ୍ଠ, ଛତିଶଗଡ଼ ୭ମ, ଝାଡ଼ଖଣ୍ଡ ୮ମ, ହରିଆଣା ୯ମ, ରାଜସ୍ଥାନ ୧୦ମ ସ୍ଥାନରେ ରହିଛନ୍ତି । ଓଡ଼ିଶା ୧୧ତମ ସ୍ଥାନକୁ ଖସିଛି ଏବଂ ଏହାପଛକୁ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ବିହାର ରହିଛନ୍ତି । କର୍ଣ୍ଣାଟକ ଗତଥର ୬ଷ୍ଠସ୍ଥାନରେ ଥିଲା, ଏଥର ୧୪ମ ସ୍ଥାନକୁ ଖସିଛି, ଉତ୍ତରାଖଣ୍ଡ ନିଜର ୧୫ମ ସ୍ଥାନ ବଜାୟ ରଖିଛି । ମଧ୍ୟପଦେଶ ଓ ପଶ୍ଚିମବଙ୍ଗ ଯଥାକ୍ରମେ ୧୬ ଓ ୧୭ତମ ସ୍ଥାନରେ ଥିବାବେଳେ ଉତ୍ତରପ୍ରଦେଶ ଏହି ବର୍ଗର ରାଜ୍ୟରେ ନିମ୍ନରେ ରହିଛି । ଏହି ରାଜ୍ୟକୁ ୩.୧୫ ନମ୍ବର ମିଳିଛି ।

ତେବେ ଏହି ରିପୋର୍ଟରେ ଅନ୍ୟଏକ ପର୍ଯ୍ୟାୟରେ ଓଡ଼ିଶାକୁ କିଛିଟା ସଫଳତା ମିଳିଛି । କେବଳ ପୁଲିସ ରାଙ୍କିଂରେ ଓଡ଼ିଶା ୭ମସ୍ଥାନରୁ ୩ୟ ସ୍ଥାନକୁ ଲମ୍ଫ ମାରିଛି । କର୍ଣ୍ଣାଟକ, ଛତିଶଗଡ଼ ପରେ ୫.୫୯ ନମ୍ବର ସହ ଓଡ଼ିଶା ତୃତୀୟ ସ୍ଥାନରେ ପହଞ୍ଚିଛି । ଏହାକୁ ନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟରେ ଖୁସିବ୍ୟକ୍ତ କରିଛନ୍ତି ।

Comments are closed.