‘ସାକି’ରେ ଓଡ଼ିଶାକୁ ୪୫୨୮ କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ସହାୟତା ଯୋଜନା(ସାକି)ରେ ଚଳିତ ଆର୍ଥିକବର୍ଷ ଓଡ଼ିଶା ଭାଗରେ ୪୫୨୮କୋଟି ଟଙ୍କା ପଡ଼ିଛି। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଅର୍ଥବିଭାଗକୁ ଅବଗତ କରାଯିବା ପରେ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସବୁ ବିଭାଗକୁ ପତ୍ର ଲେଖିଛନ୍ତି।
ଶ୍ରୀ ଦେବ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ୨୦୨୦-୨୧ରୁ ସ୍ବତନ୍ତ୍ର ସହାୟତା ଯୋଜନା-ପୁଞ୍ଜିବିନିଯୋଗ ତଥା ନିବେଶ(ସାକି) କାର୍ଯ୍ୟକାରୀ ହେଉଛି। ଏଥିରେ କେନ୍ଦ୍ର ପକ୍ଷରୁ ସମୁଦାୟ ୮ଟି ଭାଗରେ ୧ଲକ୍ଷ ୩୦ହଜାର କୋଟି ଟଙ୍କାର ସହାୟତା ଦିଆଯିବ। ଏଥିରୁ ଓଡ଼ିଶାକୁ ପ୍ରଥମ ଭାଗରେ ୪ହଜାର ୫୨୮କୋଟି ଟଙ୍କାର ସହାୟତା ମିଳିବ। ଏହି ସହାୟତା ପାଇବାକୁ ହେଲେ ମାର୍ଚ୍ଚ ୩୧ ସୁଦ୍ଧା ଏକକ ବ୍ୟାଙ୍କ ଖାତା(ସିଙ୍ଗିଲ ନୋଡାଲ ଆକାଉଣ୍ଟ)ର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ସିଙ୍ଗଲ ନୋଡାଲ ଆକାଉଣ୍ଟ ବ୍ୟବହାର କରୁଥିବା ୨୦ ବିଭାଗ ପୂର୍ଣ୍ଣାଙ୍ଗ ତଥ୍ୟ ନିର୍ଦିଷ୍ଟ ଫର୍ମାଟରେ ଦେବାକୁ ଶ୍ରୀ ଦେବ ଦର୍ଶାଇଛନ୍ତି।

Comments are closed.