‘‘ତେରେ ଜୈସା ୟାର କହାଁ… ’’ ବଲିଉଡ଼ ଗୀତରେ ଭାରତକୁ ଇସ୍ରାଏଲର ବନ୍ଧୁତ୍ଵ ବାର୍ତା

ବନ୍ଧୁତା ଦିବସ (ଫ୍ରେଣ୍ଡସିପ୍ ଡ଼େ)ରେ ଭାରତକୁ ଇସ୍ରାଏଲ୍ ଦେଇଛି ବନ୍ଧୁତ୍ଵ ବାର୍ତା । ବଲିଉଡ଼୍ ଗୀତ ଗାଇ ନିଜର ବନ୍ଧୁତ୍ଵ ଜାହିର କରିଛି ଇସ୍ରାଏଲ୍ । ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ମଜବୁତ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଇସ୍ରାଏଲ୍ ଦୂତାବାସ ନିଜ ଟ୍ବିଟର ହ୍ୟାଣ୍ଡଲରେ ଭାରତକୁ ବଧାଇ ଜଣାଇଛି, ଆଉ ଲେଖିଛି – Happy friendship day 2020 India

ଏହି ଟ୍ବିଟ​‌ରେ ଏ କଥା ମଧ୍ୟ କୁହାଯାଇଛି ଯେ ଭବିଷ୍ୟତରେ ଆମର ବନ୍ଧୁତ୍ଵ ଆହୁରି ବଢ଼ିବ ଏବଂ ଅଧିକ ଦୃଢ଼ ହେବ । ଏହି ଅଭିନନ୍ଦନକୁ ଇସ୍ରାଏଲ୍ ଦୂତାବାସ ଅମିତାଭ ବଚ୍ଚନ ଓ ଅମଜାଦ ଖାଁଙ୍କ ଅଭିନୀତ ୟାରାନାର ଏକ ଗୀତରୁ ହିଁ ଆରମ୍ଭ କରାଯାଇଛି । ୧୯୮୧ ମସିହାର ଏହି ଫିଲ୍ମର ଏହି ଗୀତ ‘ତେରେ ଜୈସା ୟାର କହାଁ, କହାଁ ଐସା ୟାରାନା.., ୟାଦ କରେଗୀ ଦୁନିଆଁ, ତେରା ମେରା ଅଫସାନା…’କୁ  ଇସ୍ରାଏଲ ଦୂତାବାସ ନିଜ ଟ୍ବିଟରରେ ଉଦ୍ଧୃତ କରିଛି ।

ଏହି ଗୀତରେ ଦୂତାବାସ ପକ୍ଷରୁ କିଛି ଛବି ମଧ୍ୟ ସେୟାର କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକତ୍ର ଥିବା ଦେଖାଯାଇଛି । ସେହିପରି ଅନ୍ୟଏକ ଛବିରେ ଦୁଇ ଦେଶର ପତାକା ଥିବା ବିମାନର ଛବି, କରୋନା ଲଢ଼େଇରେ ସାମିଲ ହୋଇଥିବା ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଛବି ଓ ବାର୍ତା ମଧ୍ୟ ରହିଛି ।

Comments are closed.