ଆଞ୍ଚଳିକ ସହଯୋଗ ପାଇଁ ଭାରତ ପ୍ରତିଶୃତିବଦ୍ଧ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁର ମିଳିତ ମୁକାବିଲା ପାଇଁ ଜ୍ଞାନ, ପଦ୍ଧତି ଓ ବିଶେଷ ବ୍ୟବସ୍ଥା ବିଷୟରେ ଆଦାନ ପ୍ରଦାନ ପାଇଁ ଭାରତ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି। ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଏହାର ଗବେଷଣାର ଫଳାଫଳ, ସଂକ୍ରମଣ ରୋକିବା ପାଇଁ ଗ୍ରହଣ କରିଥିବା ପଦ୍ଧତି ଓ ନମୁନା ପରୀକ୍ଷା ସମ୍ବନ୍ଧୀୟ ତଥ୍ୟଗୁଡ଼ିକର ଆଦାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଗୁରୁବାର ସାର୍କ ଦେଶଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଏକ ଭିଡ଼ିଓ କନ୍‍ଫରେନ୍‍ସିଂ ବୈଠକରେ ଅଂଶଗ୍ରହଣ କରି ଭାରତ ଏହି ପ୍ରତିଶ୍ରୁତି ଦେଇଛି।

କରୋନା ଭୂତାଣୁର ମୁକାବିଲା ପାଇଁ ଆଞ୍ଚଳିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପାକିସ୍ତାନଦ୍ୱାରା ଏହି ବୈଠକର ଆୟୋଜନ କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି, ବୈଠକରେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଏମସ ଓ ଆଇସିଏମଆର ବିଶେଷଜ୍ଞମାନେ ତାଙ୍କୁ ସହାୟତା କରିଥିଲେ। ସମସ୍ତ ସାର୍କ ସଦସ୍ୟ ଦେଶ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଘୋର ସାମାଜିକ ଓ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ସମୟରେ ଭାରତୀୟ ଚିକିତ୍ସା ସେବା ମହାନିର୍ଦ୍ଦେଶକ ଔଷଧ ଉତ୍ପାଦନ ଓ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଣ ଏବଂ ଔଷଧ ଓ ପ୍ରତିଷେଧକ ବାହାର କରାଯିବା ଉପରେ ଗବେଷଣା ସଂକ୍ରାନ୍ତରେ ଅନ୍ୟ ଦେଶଗୁଡ଼ିକୁ ଜଣାଇଥିଲା।

ଏଥିରେ ଭାରତରେ ବ୍ୟବହାର କରାଯାଉଥିବା ଆରୋଗ୍ୟ ସେତୁର ଅନ୍ୟ ଦେଶମାନେ ବ୍ୟବହାର କରିବା ପ୍ରତି ଭାରତ ଗୁରୁତ୍ୱ ଆରୋପ କରିଥିଲା। ମାସେ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ସାର୍କ ଦେଶଗୁଡ଼ିକୁ ମିଳିତ ଭାବେ କରୋନା ଭୂତାଣୁର ମୁକାବିଲା ପାଇଁ ଆହ୍ୱାନ ଦେଇଥିଲେ।

Comments are closed.