ନୀତି ଆୟୋଗର ନବୋନ୍ମେଷ ସୂଚକାଙ୍କ ୨୦୧୯ : ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା

ପ୍ରଥମ ୪ଟି ସ୍ଥାନରେ କର୍ଣ୍ଣାଟକ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଦିଲ୍ଲୀ

ନୂଆଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି। ଦେଶର ବୃହତ ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି। ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ  ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି। ଉତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ପ୍ରଦେଶ/କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ
ସ୍ଥାନ ହାସଲ କରିଛି । ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତରପ୍ରଦେଶ ରହିଛନ୍ତି।
ଅନ୍ୟପକ୍ଷରେ ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି। ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକନୋଲୋଜି ବିଭାଗ ସଚିବ ରେଣୁ ସ୍ୱରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଥିଲା।
ଡ. ରାଜୀବ କୁମାର ଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ନବୋନ୍ମେଷ ସୂଚକାଙ୍କ ସମନ୍ୱୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ।

Image Credit : PIB

ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ନବୋନ୍ମେଷ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି  ଅମିତାଭ କାନ୍ତ ପ୍ରକାଶ କରିଥିଲେ। ରେଣୁ ସ୍ୱରୂପ କହିଥିଲେ ଯେ କ୍ଲଷ୍ଟର ଆଧାରିତ ନବୋନ୍ମେଷକୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ। ଉଭୟ ନିବେଶ ଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ନବୋନ୍ମେଷ ପରିବେଶକୁ ଉନ୍ନତ କରିବାରେ ଉତମ ଆରମ୍ଭ ବୋଲି  ଆଶୁତୋଷ ଶର୍ମା କହିଥିଲେ।  ବୈଦ୍ୟ
କୋଟେଚା କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହି ସୂଚକାଙ୍କ ଏକ ଉତ୍ତମ ପ୍ରୟାସ।
ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ନବୋନ୍ମେଷ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି। ଦେଶରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦ୍ଦେଶ୍ୟ। ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା : ବୃହତ ରାଜ୍ୟ, ଉତର-ପୂର୍ବାଂଚଳ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ/କ୍ଷୁଦ୍ର ରାଜ୍ୟ।
ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ନବୋନ୍ମେଷ ଏକ ପ୍ରମୁଖ ବାହକ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିଦ୍ୱନ୍ଦ୍ୱିତା ସଂସ୍ଥାନକୁ ଜ୍ଞାନ ସହଯୋଗୀ ଭାବେ ନେଇ ନୀତି ଆୟୋଗ ପକ୍ଷରୁ ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯ ପ୍ରକାଶ ପାଇଛି। ବ୍ୟାପକ ଗବେଷଣା ଏବଂ ବିଶ୍ଳେଷଣ ପରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି।
ଏହି ସୂଚକାଙ୍କ ମାଧ୍ୟମରେ ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି। ଏହା ଜରିଆରେ ତିନୋଟି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟାସ କରାଯାଇଛି ଯଥା :୧- ସୂଚକାଙ୍କ ଫଳାଫଳ ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ରାଙ୍କ ପ୍ରଦାନ କରିବା,                                 ୨- ସମ୍ଭାବନା ଓ ଆହ୍ୱାନଗୁଡ଼ିକୁ ବିବେଚନା କରିବା ଏବଂ

୩-  ନବୋନ୍ମେଷର ପ୍ରୋତ୍ସାହନ ଲାଗି ସରକାରୀ ନୀତି ପ୍ରସ୍ତୁତିରେ ସହାୟତା କରିବା

ଦୁଇଟି ସୋପାନ- ଏନେବଲର୍ସ ଓ ପରଫର୍ମାନ୍ସରେ ମିଳିଥିବା ହାରାହାରି ଅଙ୍କ ଆଧାରରେ ଭାରତ ନବୋନ୍ମେଷ ସୂଚକାଙ୍କ-୨୦୧୯ର ଫଳାଫଳ ପ୍ରକାଶ ପାଇଛି। ୫ଟି ସ୍ତମ୍ଭକୁ ନେଇ ସମର୍ଥକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟକୁ ବିବେଚନା କରାଯାଇଛି : ମାନବ ପୁଞ୍ଜି, ନିବେଶ, ଜ୍ଞାନ କର୍ମୀ, ବ୍ୟବସାୟିକ ପରିବେଶ ଏବଂ ସୁରକ୍ଷା ଓ ଆଇନଗତ ପରିବେଶ। ନିବେଶ (ଇନପୁଟ) ଦ୍ୱାରା ଦେଶକୁ ମିଳୁଥିବା ଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣ କରିଛି। ଏହାକୁ ଦୁଇଟି ସ୍ତମ୍ଭ ଯଥା ଜ୍ଞାନ ଫଳାଫଳ ଏବଂ ଜ୍ଞାନର ପ୍ରସାରରେ ବିଭକ୍ତ କରାଯାଇଛି।

Comments are closed.