ମଜବୁତ ସ୍ଥିତିରେ ଭାରତ : ୱେଷ୍ଟଇଣ୍ଡିଜ୍‍ର ବ୍ୟାଟିଂ ବିପର୍ଯ୍ୟୟ

0

ରାଜକୋଟ : ୱେଷ୍ଟଇଣ୍ଡିଜ୍‍ର ଦିଶାହୀନ ବୋଲିଂକୁ ବେଖାତିର କରି ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଷ୍ଟ୍ରୋକ୍‍ପୂର୍ଣ୍ଣ ଶତକ ହାସଲ କରିଛନ୍ତି। ପରେ ଭାରତୀୟ ବୋଲର ଚମତ୍କାର ବୋଲିଂକରି ୱେଷ୍ଟଇଣ୍ଡିଜ୍‍ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଫଳରେ ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‍ ଗୋଟିଏ ଦିଗରେ ଅଗ୍ରସର ହେଉଛି। ମ୍ୟାଚ୍‍ର ୨ୟ ଦିନରେ ୨ଟି ଇନିଂସ ମଧ୍ୟ ସମାପ୍ତ ହୋଇନଥିବା ବେଳେ ୱେଷ୍ଟଇଣ୍ଡିଜ୍‍ ବଡ଼ ବ୍ୟବଧାନରେ ପରାଜୟ ଆଡ଼କୁ ଠେଲି ହୋଇଯାଉଛି। ପ୍ରଥମଦିନରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ରେ ପୃଥ୍ୱୀ ସ’ ଶତକ ଅର୍ଜନ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩୮ତମ ଟେଷ୍ଟରେ ପ୍ରଥମଥର ୩ ଅଙ୍କ ବିଶିଷ୍ଟ ସ୍କୋର୍‍ରେ ପହଞ୍ଚିଛନ୍ତି। ଅଧିନାୟକ ବିରାଟ କୋହଲି ଜୀବନର ୨୪ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଫଳରେ ଶୁକ୍ରବାର ୨ୟ ଦିନରେ ଭାରତ ୯ ୱିକେଟରେ ୬୪୯ ରନ୍‍କରି ପ୍ରଥମ ଇନିଂସ ଘୋଷଣା କରିଛି। ପରେ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୱେଷ୍ଟଇଣ୍ଡିଜ୍‍ ଦିନର ଶେଷ ସୁଦ୍ଧା ୯୪ ରନ୍‍କରି ୬ଟି ୱିକେଟ ହରାଇଛି। ଫଳରେ ୩ୟ ଦିନରେ ଏହା ଫଲୋଅନ୍‍ ହୋଇ ଇନିଂସ ପରାଜୟ ଏଡ଼ାଇବା ପାଇଁ ସଂଘର୍ଷ କରିବା ସ୍ପଷ୍ଟ ହୋଇଯାଇଛି। ଆଉ ୪ଟି ୱିକେଟ ବାକିଥିବା ବେଳେ ଇଣ୍ଡିଜ୍‍ ଏବେ ୫୫୫ ରନ୍‍ ପଛରେ ରହିଛି।
ଭାରତ ପ୍ରଥମ ଇନିଂସ ଘୋଷଣା ପରେ ମହମ୍ମଦ ସାମି ନୂଆବଲ୍‍ରେ ଘାତକ ବୋଲିଂ କରିଥିଲେ। ତାଙ୍କର ୨ୟ ଓ ୩ୟ ଓଭରରେ ସାମି ଇଣ୍ଡିଜ୍‍ର ଦୁଇ ଓପ୍‍ନର ଅଧିନାୟକ କ୍ରେଗ୍‍ ବ୍ରାଥ୍‍ୱେଟ୍‍ (୨) ଓ କୈରନ୍‍ ପୱେଲ (୧)ଙ୍କ ୱିକେଟ ନେଇଥିଲେ। ପରେ ସାଇ ହୋପ୍‍ ଓ ସିମ୍ରନ୍‍ ହେତ୍‍ମେୟର ୧୦ ରନ୍‍ ଲେଖାଏଁ କରି ବିଦାୟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ତାଙ୍କ ପ୍ରଥମ ବଲ୍‍ରେ ସୁନୀଲ ଆମ୍ବ୍ରିସ୍‍ (୧୨)ଙ୍କୁ ଆଉଟ କରିଥିଲେ। ଅଶ୍ୱିନ୍‍ ଓ ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ ନେବା ପରେ ୩ୟ ସ୍ପିନର କୁଲଦୀପ ଯାଦବ ବୋଲିଂ କରିବାକୁ ଆସି ସେନ୍‍ ଡାଓରିଚ୍‍ (୧୦)ଙ୍କୁ ଆଉଟ କରିଥିଲେ। ରୋଷ୍ଟନ୍‍ ଚେସ୍‍ ଉଚ୍ଚା ସଟ୍‍ ଖେଳି ୪ଟି ଚୌକା ସହ ୨୭ ରନ୍‍କରି ଅପରାଜିତ ଅଛନ୍ତି। କିମୋ ପଲ୍‍ ୧୩ ରନ୍‍କରି ଖେଳୁଛନ୍ତି।
ପ୍ରଥମଦିନରେ ୪ ୱିକେଟ ହରାଇ ୩୬୪ ରନ୍‍ କରିଥିବା ଭାରତ ୨ୟ ଦିନ ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍‍କରିବ ବୋଲି ଆଶା କରା ଯାଉଥିଲା। ବିରାଟ କୋହଲି କଳାତ୍ମକ ବ୍ୟାଟିଂ କରିଥିବା ବେଳେ ଋଷଭ ପନ୍ତ୍‍ ସ୍ୱାଭାବିକ ଭାବେ ଷ୍ଟ୍ରୋକ୍‍ ଖେଳିଥିଲେ। ଫଳରେ ଭାରତର ସ୍କୋର୍‍ବୋର୍ଡ ଜଲ୍‍ଦି ଆଗକୁ ବଢ଼ିଥିଲା। ଦିଲ୍ଲୀର ଦୁଇ ଖେଳାଳି କୋହଲି ଓ ପନ୍ତ୍‍ ୫ମ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ବିରତି ପୂର୍ବରୁ ଇଣ୍ଡିଜ୍‍କୁ ମାତ୍ର ଗୋଟିଏ ୱିକେଟ ମିଳିଥିଲା। ବଡ଼ ସଟ୍‍ ମାରିବା ପ୍ରୟାସରେ ପନ୍ତ୍‍ ଆଉଟ ହୋଇଥିଲେ। ଏହାପୂର୍ବରୁ ଏହି ବାମହାତି ୮୪ ବଲ୍‍ରୁ ୪ଟି ଛକା ଓ ୮ଟି ଚୌକା ସହ ୯୨ ରନ୍‍ କରିଥିଲେ। ମାତ୍ର ୮ ରନ୍‍ ପାଇଁ ପନ୍ତ୍‍ କ୍ରମାଗତ ୨ୟ ଟେଷ୍ଟ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଇଂଲଣ୍ଡ ବିପକ୍ଷରେ ଅନ୍ତିମ ଟେଷ୍ଟରେ ପନ୍ତ୍‍ ଶତକ ହାସଲ କରିଥିଲେ। ୨୪ତମ ଟେଷ୍ଟ ଶତକ ହାସଲ କରିଥିବା ବିରାଟ କୋହଲି ୧୩୯ ରନ୍‍କରି ବିଦାୟ ନେଇଥିଲେ। ଚଳିତବର୍ଷ ୪ର୍ଥ ଟେଷ୍ଟ ଶତକ ହାସଲ କରିଥିବା କୋହଲି ୨୩୦ ବଲ୍‍ ଖେଳି ୧୦ଟି ଚୌକା ମାରିଥିଲେ। ୫୩୪ ରନ୍‍ରେ ୬ଟି ୱିକେଟ ପଡ଼ିଯିବା ପରେ ଭାରତୀୟ ଇନିଂସ ସମ୍ପୂର୍ଣ୍ଣ ଭାବେ ‘ରବୀନ୍ଦ୍ର ଜାଡ଼େଜା ସୋ’ରେ ପରିଣତ ହୋଇଥିଲା। ରବିଚନ୍ଦ୍ରନ ଅଶ୍ୱିନ (୭), କୁଲଦୀପ ଯାଦବ (୨୨) ଓ ମହମ୍ମଦ ସାମି (ଅପରାଜିତ ୨)ଙ୍କଠାରୁ ଆବଶ୍ୟକ ସହଯୋଗ ପାଇ ଜାଡ଼େଜା ଶତକ ପୂରଣ କରିଥିଲେ। ନିଜ ପଡ଼ିଆରେ ଜୀବନର ଶତକ ଅର୍ଜନ କରିଥିବା ଜାଡ଼େଜା ୧୩୨ ବଲ୍‍ ଖେଳି ୫ଟି ଲେଖାଏଁ ଛକା ଓ ଚୌକା ମାରିଥିଲେ। ଜାଡ଼େଜାଙ୍କ ଶତକ ପୂରଣ ସହ ଭାରତ ଇନିଂସ ଘୋଷଣା କରିଥିଲା। ଦେବେନ୍ଦ୍ର ବିଶୁ ୪ଟି ଓ ସର୍ମାନ୍‍ ଲୁଇସ୍‍ ୨ଟି ୱିକେଟ ପାଇଥିଲେ।
ଇଣ୍ଡିଜ୍‍ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର
୯ ୱିକେଟରେ ୬୪୯ ରନ୍‍ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ କ୍ରିକେଟ୍‍ରେ ଭାରତର ସର୍ବାଧିକ ଦଳଗତ ସ୍କୋର୍‍। ପୂର୍ବରୁ ୧୯୭୯ରେ କାନପୁରରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ୭ ୱିକେଟରେ ୬୪୪ ରନ୍‍ କରିଥିଲା; ଯାହାକୁ ଏହି ମ୍ୟାଚ୍‍ରେ ଭାରତ ଅତିକ୍ରମ କରିପାରିଛି।

Leave A Reply