ଭାରତ ଫାଇନାଲରେ ; ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ

ହିରୋସୀମା (ଜାପାନ) : ଭାରତୀୟ ପୁରୁଷ ହକି ଦଳ ପରି ମହିଳା ହକି ଦଳ ମଧ୍ୟ ୨୦୨୦ ଟୋକିଓ ଅଲିମ୍ପିକ୍‌ସର ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ବରରେ ଏହି କୃତିତ୍ବ ହାସଲ କରିଥିବା ବେଳେ ମହିଳା ଦଳ ହିରୋସୀମାରେ ଏହି କୃତିତ୍ବ ହାସଲ କରିଛି। ଏଠାରେ ଚାଲିଥିବା ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଭାରତୀୟ ମହିଳା ଦଳ ଚଳିତବର୍ଷ ହେବାକୁ ଥିବା ଏଫ୍‌ଆଇଏଚ୍‌ ଫାଇନାଲ୍‌ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶନିବାର ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ଭାରତର ଏହି ବିଜୟରେ ଗୁରଜିତ କୌର ୨ଟି ଗୋଲ୍‌ ଦେଇଥିଲେ। ରବିବାର ଜାପାନ ବିପକ୍ଷରେ ଭାରତ ଫାଇନାଲ ମ୍ୟାଚ୍ ଖେଳିବ। ଅନ୍ୟ ସେମିଫାଇନାଲରେ ରୁଷିଆକୁ ପେନାଲ୍‌ଟି ସୁଟ୍‌ଆଉଟରେ ପରାସ୍ତକରି ଫାଇନାଲରେ ପହଞ୍ଚିଛି ଜାପାନ।
ବିଶ୍ବ ମାନ୍ୟତାରେ ୧୬ନଂ ସ୍ଥାନରେ ଥିବା ଚିଲି ବିପକ୍ଷ​‌େ​‌ର ସେମିଫାଇନାଲରେ ବିଶ୍ବ ମାନ୍ୟତାରେ ୯ମ ସ୍ଥାନରେ ଥିବା ଭାରତ ନିଶ୍ଚିତ ଭାବେ ଫେଭରିଟ୍ ଥିଲା। ତେବେ ଚିଲି ଲଢ଼ୁଆ ପ୍ରଦର୍ଶନ କରିଥିଲା ଏବଂ ଭାରତକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେଇନଥିଲା। ତେବେ ପ୍ରଥମ କ୍ବାର୍ଟରର ୧୫ ମିନିଟରେ ଭାରତୀୟ ଦଳ ୬ ଥର ଚିଲି ପେନାଲ୍‌ଟି ଏରିଆ ମଧ୍ୟରେ ପ୍ରବେଶ କରିଥିଲା ଏବଂ ଗୋଲ୍‌ଦେବାର ସୁଯୋଗ ସୃଷ୍ଟି କରିଥିଲା। ତେବେ ଚିଲିର ରକ୍ଷାପନ୍ଥୀ ସଜାଗ ରହିଥିଲେ। ତେବେ ୨ୟ କ୍ବାର୍ଟରରେ‌ ଚିଲି ଗୋଲ୍‌ଦେଇ ଭାରତକୁ ସ୍ତବ୍‌ଧ କରି ଦେଇଥିଲା। ୧୮ ମିନିଟରେ ପ୍ରତ୍ୟାକ୍ରମଣରୁ ଚିଲିର କାରୋଲିନା ଗାର୍ସିଆ ଏକ ଫିଲ୍‌ଡ ଗୋଲ୍‌ ଦେଇଥିଲେ। ପରେ ଭାରତ ଗୋଲ୍‌ ସୁଝାଇବା ପାଇଁ ଅାକ୍ରମଣ କରିଥିଲା ଏବଂ ୨୨ ମିନିଟରେ ଏହାକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଗୁରଜିତ କୌର ଗୋଲ୍‌ ଦେଇଥିଲେ। ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରେ ଭାରତ ଗୋଲ୍‌ ସ୍କୋର୍ କରିଥିଲା। ନବନୀତ କୌର ଏହି ଫିଲ୍‌ଡ ଗୋଲ୍‌ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ। ୩୭ ମିନିଟରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିର ଗୁରଜିତ କୌର ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‌ ସ୍କୋର୍ କରିଥିଲେ। ପରେ ଭାରତକୁ କ୍ରମାଗତ ୨ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ବେକାର ହୋଇଥିଲା। ୪୩ ମିନିଟରେ ଭାରତୀୟ ଡିଫେଣ୍ଡରଙ୍କ ଭୁଲ୍ ପାସ୍‌ରୁ ଚିଲି ୨ୟ ଗୋଲ୍‌ ସ୍କୋର୍ କରିଥିଲା। ଡେନିସ୍ କ୍ରିମରମ୍ୟାନ୍‌ଙ୍କ ପାସ୍‌ରୁ ମାନୁଏଲା ୟୁରୋଜ୍ ଏହି ଗୋଲ୍‌ଟି ଦେଇଥିଲେ। ୩ୟ କ୍ବାର୍ଟରରେ ଭାରତୀୟ ଖେଳାଳି ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ୫୭ ମିନିଟରେ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ୍‌ଙ୍କ ପାସ୍‌ରୁ ଅଧିନାୟିକା ରାଣୀ ରାମପାଲ ୪ର୍ଥ ଗୋଲ୍ ସ୍କୋର୍ କରିଥିଲେ।

Comments are closed.