କରୋନା ସଂକ୍ରମଣ : ବିଶ୍ବରେ ୧୦ମ ସ୍ଥାନରେ ଭାରତ

୨୪ ଘଣ୍ଟାରେ ୬୯୭୭ ନୂଆ ରୋଗୀ

ନୂଆଦିଲ୍ଲୀ : ବିଶ୍ବର ସର୍ବାଧିକ ୧୦ଟି କରୋନା ସଂକ୍ରମିତ ରାଷ୍ଟ୍ର ତାଲିକାରେ ଭାରତ ସ୍ଥାନିତ ହୋଇଛି। ବିଶ୍ବର ପ୍ରଥମ ୧୦ ସଂକ୍ରମିତ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ୧୦ମ ସ୍ଥାନରେ ରହିଛି। ଭାରତ ଉପରକୁ ଆମେରିକା, ବ୍ରାଜିଲ, ରୁଷ୍‌, ସ୍ପେନ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ତୁର୍କୀ ରହିଛନ୍ତି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ ବିଶ୍ବ ତାଲିକାର ୧୪ଶ ସ୍ଥାନରେ ରହିଛି। ତେବେ ଭାରତରେ ସଂକ୍ରମଣ ସଂଖ୍ୟା ଯେପରି ବେଗରେ ବୃଦ୍ଧି ପାଇଚାଲିଛି ତାହା ଆଗାମୀ ଦିନରେ ତାଲିକାର ଶୀର୍ଷସ୍ଥାନ ଦଖଲ ପାଇଁ ଦାବିଦାର ହେବାର ଆଶଙ୍କା କରାଯାଇଛି। ସୋମବାର ଗୋଟିଏ ଦିନରେ ଭାରତରେ ୬୯୭୭ ନୂଆ ସଂକ୍ରମିତ

ଚିହ୍ନଟ ​‌େହାଇଛନ୍ତି। ଏହାଦ୍ବାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୮ହଜାର ୮୪୫ରେ ପହଞ୍ଚିଛି। ସେହିପରି ୨୪ଘଣ୍ଟା ମଧ୍ୟରେ ୧୫୪ଜଣଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୪୦୨୧ରେ ପହଞ୍ଚିଛି। ଭାରତରେ କ୍ରମାଗତ ୪ର୍ଥ ଦିନ ପାଇଁ ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ପାଇଛି। ଏହା ପୂର୍ବରୁ ରବିବାର ୬୭୬୭, ଶନିବାର ୬୬୫୪ ଓ ଶୁକ୍ରବାର ୬୦୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହିସବୁ ସଂକ୍ରମଣ ଦୈନିକ ନୂଆ ସଂକ୍ରମଣରେ ରେକର୍ଡ କରିଥିଲା। ତେବେ ଭାରତରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହିତ ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ଘଟୁଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୭,୭୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଦେଶରେ ସୁସ୍ଥତା ହାର ୪୧.୫୭କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶର କରୋନା ହଟସ୍ପଟ ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୨,୬୬୭ରେ ପହଞ୍ଚିଥିବାବେଳେ ମୃତୁସଂଖ୍ୟା ୧୬୩୫ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ ୧୬,୨୭୭ ସଂକ୍ରମିତ ହୋଇଥିବାବେଳେ ୧୧୧ଜଣଙ୍କର ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟ। ଦେଶରେ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସଂକ୍ରମଣ ବୃଦ୍ଧି ପାଇଚାଲିଛି। ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା ଯେ ତାପମାତ୍ରା ବୃଦ୍ଧି କରୋନା ଭୂତାଣୁ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି।

Comments are closed.