ପୁରୁଷ ହକି ଦଳ ପ୍ରଶିକ୍ଷକ ପଦରୁ ହରେନ୍ଦ୍ର ବହିଷ୍କୃତ

0

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ପଦରୁ ହରେନ୍ଦ୍ର ସିଂହଙ୍କୁ ବହିଷ୍କାର କରିଛି ହକି ଇଣ୍ଡିଆ। ୨୦୧୮ରେ ଭାରତୀୟ ପୁରୁଷ ହକି ଦଳକୁ ଆଶାନୁରୂପ ସଫଳତା ମିଳିନଥିବାରୁ ହରେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ହକି ଇଣ୍ଡିଆ ତରଫରୁ କୁହାଯାଇଛି ୨୦୧୮ରେ ଭାରତୀୟ ପୁରୁଷ ହକି ଦଳ ଆଖିଦୃଶିଆ ସଫଳତା ହାସଲ କରିପାରିନଥିଲା। ଏହାକୁ ଦୃଷ୍ଟିରେ ରଖି ହରେନ୍ଦ୍ରଙ୍କୁ ବହିଷ୍କାର କରାଯାଇ ଜାତୀୟ ହକି ଫେଡେରେସନ୍‌ରେ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଫଳରେ ଯୁବ ଖେଳାଳିମାନେ ଲାଭବାନ୍‌ ହେବାର ଆଶା କରାଯାଉଛି। ସୂଚନାଥାଉକି ଭାରତୀୟ ପୁରୁଷ ହକି ଦଳ ଇଣ୍ଡୋନେସିଆ​‌େ​ର ଆୟୋଜିତ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବ ବୋଲି ସମସ୍ତେ ଆଶା କରିଥିବା ବେଳେ ଦଳକୁ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ଭୁବନେଶ୍ବରରେ ଆୟୋଜିତ ହକି ବିଶ୍ବକପ୍‌ରେ ଦଳ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଥିଲା।
ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ହକି ଇଣ୍ଡିଆ ତରଫରୁ ସୂଚନା ମିଳିଛି। ସେହିପରି ଆସନ୍ତା ମାର୍ଚ୍ଚରେ ଖେଳାଯିବାକୁ ଥିବା ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରଶିକ୍ଷଣ ଶିବିର ଫେବୃଆରୀରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ନୂଆ ପ୍ରଶିକ୍ଷକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଡେଭିଡ ଜନ୍ ଓ କ୍ରିସ୍‌ ସିରିଏଲୋ ପୁରୁଷ ହକି ଦଳର ପ୍ରଶିକ୍ଷଣ ଦାୟିତ୍ବରେ ରହିବେ।

Leave A Reply