୧୫୦ରୁ ଅଧିକ ଦେଶକୁ ଔଷଧ ପଠାଇଛି ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ସଂକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ୱର ଅନେକ ଦେଶକୁ ସହାୟତା କରିଛି। ଭାରତ-ଫିନଲାଣ୍ଡ ଭର୍ଚୁଆଲ୍ ଶିଖର ବୈଠକରେ ଶ୍ରୀ ମୋଦୀ କହିଛନ୍ତି, ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧପତ୍ର ଓ ଅତ୍ୟାବଶ୍ୟକ ପଦାର୍ଥମାନ ପଠାଇଛି। କିଛି ସପ୍ତାହ ପୂର୍ବେ ୭୦ଟି ଦେଶକୁ ୫୮ ନିୟୁତ ଡୋଜ୍ କୋଭିଡ ପ୍ରତିଷେଧକ ପଠାଯାଇଥିବା ବିଷୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତ ଓ ଫିନଲାଣ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି, ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ। ଉଭୟ ଦେଶ ମଧ୍ୟରେ ବୈଷୟିକଜ୍ଞାନ, ନୂଆନୂଆ ଉଦ୍ଭାବନ, ପ୍ରଦୂଷଣମୁକ୍ତ ଶକ୍ତି, ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି। ସେ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେ କହିଛନ୍ତି, ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ସହଯୋଗ ଭଳି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରାଯାଇ ପାରିଛି।


ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନଲାଣ୍ଡକୁ ଅନୁରୋଧ କରିଛନ୍ତି। ଆଇସିଟି, ମୋବାଇଲ୍ ବୈଷୟିକ ଜ୍ଞାନ ଓ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ଭାଗିଦାରୀ ବୃଦ୍ଧି କରିବାକୁ ଘୋଷଣା କରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.