ପ୍ରଥମ ଦିନିକିଆ: ୱେଷ୍ଟଇଣ୍ଡିଜ ଆଗରେ ୨୮୮ ରନର ଟାର୍ଗେଟ

ଚେନ୍ନାଇ:ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁୁ ୨୮୮ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ।  ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଦିନିକିଆରେ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଥିଲା ଭାରତ। ଦୁଇ ଓପନର ରୋହିତ ଶର୍ମା ଓ କେ.ଏଲ ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ ଦଳୀୟ ସ୍କୋର ୨୧ ରନ୍ ହୋଇଥିବା ବେଳେ ଆଉଟ ହୋଇଯାଇଥିଲେ ରାହୁଲ। ମାତ୍ର ୬ ରନ କରି ଶେଲଡନ୍‌ କଟ୍ରେଲଙ୍କ ଶିକାର ବନିଥିଲେ। ରାହୁଲଙ୍କ ପରେ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ​ବିରାଟ କୋହଲି । କିନ୍ତୁ ବିରାଟ ବ୍ୟକ୍ତିଗତ ସ୍କୋର ୪ରେ ଆଉଟ ହୋଇଥିଲେ। ଦଳର ସ୍କୋର ୨୫ ରନ୍‌ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ​‌ଶେଲଡନ୍‌ କଟ୍ରେଲ ତାଙ୍କୁ ଆଉଟ୍‌ କରିଥିଲେ। କଟ୍ରେଲ ୨ଟି ଯାକ ୱିକେଟ ନେବାରେ ସଫଳ ହେବା ସହ ଭାରତକୁ ବିପର୍ଯ୍ୟୟରେ ପକାଇଥିଲେ।  ଭାରତ ୧୦ ଓଭରରେ ଦୁଇ ୱିକେଟ୍‌ ହରାଇ ମାତ୍ର ୩୩ ରନ୍‌ ସଂଗ୍ରହ କରିଥିଲା।

ଏହାପରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ଦଳର ସ୍କୋରକୁ ଆଗେଇ ନେଇଥିଲେ। ରୋହିତ ଶର୍ମା ୩୬ ରନ୍‌ କରିଥିବାବେଳେ ୧୮ତମ ଓଭରରେ ଅଲଜାରି ଯୋଶେଫଙ୍କ ବଲରେ ଆଉଟ୍‌ ହୋଇ ଫ୍ୟାଭିଲିଅନ ଫେରିଥିଲେ। ଏହାପରେ ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଶ୍ରେୟସ ଆୟର ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ଉନ୍ନତମାନର ଖେଳର ପଦର୍ଶନ କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ସଂଗ୍ରହ କରିଥିଲେ।ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟରେ ୧୧୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିବା ସହିତ ଚ୍ୟାଲେଞ୍ଜିଂ ସ୍କୋର ଲାଗି ମୂଳଦୁଆ ପକାଇଥିଲେ। ୧୯୪ ରନ ସ୍କୋରରେ ଶ୍ରେୟସ୍ ଆଉଟ୍ ହୋଇଥିଲେ।  ୮୮ ବଲରୁ  ୫ ଚୌକା ଓ ୧ ଛକା ଜରିଆରେ ୭୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ ଶ୍ରେୟସ୍ । ଶ୍ରେୟସଙ୍କ ପରେ ପନ୍ତ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ବଡ଼ ସର୍ଟ ଖେଳିବାକୁ ଯାଇ ସେ ଆଉଟ୍ ହୋଇଥିଲେ।  ୬୯ ବଲରୁ ୭ ଚୌକା ଓ ୧ ଛକା ବଳରେ ୭୦ ରନ କରିଥିଲେ। ଏହାପରେ କେଦାର ଯାଦବ ଏବଂ ରବିନ୍ଦ୍ର ଜାଡେଜା ସ୍କୋରକୁ ଆଗେଇ ନେଇଥିଲେ। କେଦାର ୩୫ ବଲରେ ୪୦ ରନ କରି ଆଉଟ ହୋଇଥିବା ବେଳେ ରବିନ୍ଦ୍ର ଜାଡେଜା ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଭାରତ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।

ଓ୍ଵେଷ୍ଟଇଣ୍ଡିଜ ବୋଲର ମାନେ ଉନ୍ନତ ଖେଳ ପଦର୍ଶନ କରିବା ସହ ଭାରତୀୟ ଦଳର ସ୍କୋରକୁ ୩୦୦ ରନ ଟପିବାକୁ ଦେଇନଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍‌ କଟ୍ରେଲ, ଅଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। କିରଣ ପୋଲାର୍ଡଙ୍କୁ ଗୋଟିଏ ସଫଳତା ମିଳିଛି।

Comments are closed.