ଭାରତର ଭବିଷ୍ୟତ

ମୃଣାଳ ଚାଟ୍ଟାର୍ଜୀ

ଅନେକେ ପ୍ରଶ୍ନ କରନ୍ତି ଭାରତ ବୋଲି ଆମର ଯେଉଁ ଦେଶ ତା’ର ଭବିଷ୍ୟତ କ’ଣ? ଏ ପ୍ରଶ୍ନର ପ୍ରେକ୍ଷାପଟ ହେଲା: ଆମ ଦେଶରେ ଯେତେ ବୈଚିତ୍ର୍ୟ ଅଛି, ତାଠୁଁ ଅଧିକ ବିରୋଧାଭାଷ ରହିଛି। ଏତେ ବିରୋଧାଭାଷ ରହିଛି ଯେ ବେଳେବେଳେ ବୁଝି ହୁଏନି- କେଉଁଟା ଠିକ୍‌। କେତେବେଳେ ମନେ ହୁଏ- ଆମେ ବିଶ୍ୱରେ ସୁପର-ପାୱାର ହେବାକୁ ଯାଉଛୁ। ଠିକ୍‌ ତା’ ପର ମୁହୂର୍ତ୍ତରେ ସନ୍ଦେହ ହୁଏ: ଆମେ କଣ ଏ ଯାଏଁ ମଧ୍ୟଯୁଗରେ ଅଛୁ! ବେଳେବେଳେ ଲାଗେ ଆମେ ମହାକାଶକୁ ବିଜୟ କରି ସାରିଛୁ। ହୁଏତ ଆଉ କେଇ ବର୍ଷରେ ଜହ୍ନରେ ଘର କରିବୁ। ପର ମୁହୂର୍ତ୍ତରେ ଲାଗେ ଆମେ ଏଯାଏଁ ଆମର ସବୁ ପିଲାଙ୍କୁ ସାକ୍ଷର କରି ପାରିଛୁ କି? ଜଣେ ମଜାରେ କହିଥିଲେ: ‘ଭାରତ ବିଷୟରେ ଆପଣ ଯାହା କହିବେ- ଠିକ୍; ହେଲେ ମୁସ୍‌କିଲ ହେଲା- ତା’ ଓଲଟା କଥାଟା ବି ଠିକ୍‌।’

ଏକଥା କିନ୍ତୁ ଅନସ୍ୱୀକାର୍ଯ୍ୟ ଯେ ଗତ ୭୪ ବର୍ଷର ସ୍ୱାଧୀନତା ଭିତରେ ଆମ ଦେଶ ଅନେକ ଅଗ୍ରଗତି କରିଛି ଏବଂ ତାକୁ ନେଇ ଆମେ ଗର୍ବ କରିବାର ମଧ୍ୟ ଅନେକ କାରଣ ରହିଛି। କେତେଗୁଡ଼ିଏ ପରିସଂଖ୍ୟାନ ଦେବା ଉଚିତ ହେବ। ସ୍ୱାଧୀନତା ସମୟରେ ଭାରତୀୟଙ୍କ ହାରାହାରି ଆୟୁ ଥିଲା ୩୨ ବର୍ଷ। ବର୍ତ୍ତମାନ ଏହା ୭୦କୁ ବୃଦ୍ଧି ପାଇଛି। ୧୯୪୭ରେ ଆମର ସାକ୍ଷରତା ହାର ଥିଲା ୧୨ ଶତାଂଶ। ଏବେ ତାହା ୮୦ ଶତାଂଶକୁ ବୃଦ୍ଧି ପାଇଛି। ଗୋଟିଏ ସମୟରେ ଆମକୁ ଖାଦ୍ୟ ଆମଦାନୀ କରିବାକୁ ପଡୁଥିଲା। ଏବେ ଖାଦ୍ୟ ଉତ୍ପାଦନରେ ଆମେ କେବଳ ସ୍ୱାବଲମ୍ବୀ ନୋହୁଁ, ବେଶ୍‍ କେତେକ କ୍ଷେତ୍ରରେ ଆମେ ବିଭିନ୍ନ ଦେଶକୁ ରପ୍ତାନୀ କରୁଛୁ। ଚିନି, ଚାହା, କ୍ଷୀର ଇତ୍ୟାଦି ଅନେକ ଖାଦ୍ୟପଦାର୍ଥରେ ବିଶ୍ୱରେ ଆମେ ସବୁଠାରୁ ବେଶି ଉତ୍ପାଦନ କରୁଛୁ। ଆମ ଜନସଂଖ୍ୟା ବୃଦ୍ଧିର ହାର କମିବାରେ ଲାଗିଲାଣି। ଦାରିଦ୍ର୍ୟ ହାର ମଧ୍ୟ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି, କିନ୍ତୁ କେତେକ ମୌଳିକ ସମସ୍ୟା ଏପର୍ଯ୍ୟନ୍ତ ରହିଛି। ଏ ସମସ୍ୟାଗୁଡ଼ିକ ହିଁ ଭାରତ ବିଶ୍ୱର ଏକ ‘ସୁପର ପାୱାର’ ହେବା କ୍ଷେତ୍ରରେ ପ୍ରଧାନ ଅନ୍ତରାୟ।
ମାନବ ସମ୍ବଳ ବିକାଶରେ ଆମେ ଏବେ ବି ଅନେକ ପଛୁଆ। ୨୦୧୯ର ମାନବ ସମ୍ବଳ ବିକାଶ ସୂଚକ ଅନୁସାରେ ଆମେ ବିଶ୍ୱର ୧୮୯ ଦେଶର ତାଲିକାରେ ୧୨୯ତମ ସ୍ଥାନରେ ଅଛୁ। ୨୦୧୯ରେ ଟ୍ରାନ୍‍ପରେନ୍ସି ଇଣ୍ଟରନ୍ୟାସନାଲ୍‍ ପକ୍ଷରୁ କରାଯାଇଥିବା ଦୁର୍ନୀତି ଧାରଣା ସୂଚକ ଅନୁସାରେ ଆମେ ୮୦ତମ ସ୍ଥାନରେ ଅଛୁ। ସାକ୍ଷରତା ଦୃଷ୍ଟିରୁ ଶ୍ରୀଲଙ୍କା ବି ଆମଠାରୁ ବହୁତ ଆଗରେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଏବେ ବି ବହୁତ ପଛରେ ରହିଛୁ। ଭାରତର ଶିଶୁ ମୃତ୍ୟୁ ହାର ବର୍ତ୍ତମାନ ପ୍ରତି ହଜାରେ ଜନ୍ମରେ ୨୯.୮। ଆମର ଅଧା ଶିଶୁ ପୁଷ୍ଟି ଅଭାବରୁ ଉପଯୁକ୍ତ ଭାବେ ବଢ଼ିପାରନ୍ତି ନାହିଁ। ୨୦୧୮ରେ ବେକାରୀ ହାର ଥିଲା ୩.୫୩ ଶତାଂଶ। ତା’ ପୂର୍ବବର୍ଷ ଅର୍ଥାତ୍‍ ୨୦୧୭ରେ ଥିଲା ୩.୫୨ ଶତାଂଶ। କୋଭିଡ୍‍-୧୯ ମହାମାରୀ ଫଳରେ ବେରୋଜଗାରୀ ଅନେକ ପରିମାଣରେ ବୃଦ୍ଧି ପାଇଛି।

ଆମେ ଦେଶକୁ ସୁଜଳାମ୍‍, ସୁଫଳାମ୍‍, ମଳୟଜଶୀତଳାମ୍‍, ଶସ୍ୟଶ୍ୟାମଳାଂ କରାଯାଇଛି। ଅର୍ଥାତ୍‍, ଆମ ଦେଶରେ ପାଣି ବହୁତ, ଉତ୍ପାଦନ ବହୁତ ଏବଂ ସବୁଜ ଶସ୍ୟ କ୍ଷେତରେ ଭରପୂର। ଏବେ ବାସ୍ତବ କଥା ଦେଖାଯାଉ। ନିତି ଆୟୋଗ କହିବାନୁସାରେ, ୨୦୩୦ ସୁଦ୍ଧା ଆମେ ଦେଶରେ ପାନୀୟ ଜଳର ଚାହିଦା ଯୋଗାଣଠୁଁ ଅଧିକ ହୋଇଯିବ। ନିରାପଦ ଜଳ ଅଭାବରେ ବର୍ଷକୁ ପ୍ରାୟ ୨ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଆଉ ବର୍ଷକ ଭିତରେ ଭାରତର ଅନ୍ତତଃ ୨୧ଟି ବଡ଼ ସହରର ଭୂତଳ ଜଳଭଣ୍ଡାର ଶେଷ ହୋଇଯିବ। ଆଜି ପ୍ରଦୂଷିତ ନଈ ଭିତରେ ଗଙ୍ଗା ଓ ଯମୁନା ସବୁଠୁଁ ଆଗରେ ରହିଛନ୍ତି। ଏହାଛଡ଼ା ଅନେକ ନଈର ଜଳ ଆଉ ଗାଧୋଇବା ଉପଯୋଗୀ ହୋଇନାହିଁ; ପିଇବା କଥା ଛାଡ଼ନ୍ତୁ।

ଆମେ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି, କିନ୍ତୁ ଦେଶରେ ଧନୀ ଆଉ ଗରିବ ଭିତରେ ଆକାଶ-ପାତାଳ ପାର୍ଥକ୍ୟ ରହିଛି, ଆଉ ଏ ପାର୍ଥକ୍ୟ କମିବା ବଦଳରେ ବଢ଼ି ବଢ଼ି ଚାଲିଛି। ଆମ ଦେଶର ସବୁଠାରୁ ଧନୀ ଏକ ଶତାଂଶ ଦେଶର ୫୮.୪ ଶତାଂଶ ଧନସମ୍ପତ୍ତିର ମାଲିକ। ସବୁଠାରୁ ଧନୀ ଦଶ ଶତାଂଶ ଦେଶର ୮୦.୭ ଶତାଂଶର ମାଲିକ। ଆଉ ସବୁଠାରୁ ଗରିବ ୧୦ ଶତାଂଶଙ୍କ ପାଖରେ ରହିଛି ଦେଶର ମାତ୍ର ୦.୨ ଶତାଂଶ ସମ୍ପତ୍ତି।
ଆମ ଦେଶରେ ପୃଥିବୀର ସବୁଠୁଁ ଅଧିକ ଜମି ଚାଷ ହେଉଛି। ଗହମ ଆଉ ଚାଉଳ ଉତ୍ପାଦନରେ ଆମେ ବିଶ୍ୱରେ ଦ୍ୱିତୀୟ। କ୍ଷୀର ଉତ୍ପାଦନରେ ବିଶ୍ୱରେ ପ୍ରଥମ। ହେଲେ ବିଶ୍ୱ କ୍ଷୁଧା ମାନକରେ ଆମେ ୧୧୭ ଦେଶର ତାଲିକାରେ ୧୦୨ ସ୍ଥାନରେ ଅଛୁ। ପାକିସ୍ତାନ, ବାଂଲାଦେଶ, ନେପାଳ ଆମଠାରୁ ଆଗରେ। ଚାଷୀ ତା’ ଉତ୍ପାଦନର ଉଚିତ ମୂଲ୍ୟ ପାଉନି। ଆମ ଚାଷଜମିରୁ ମାତ୍ର ୩୫ ଶତାଂଶ ଜଳସେଚିତ। ମୌସୁମୀ ବର୍ଷା ଯଦି ଠିକ୍‌ ଭାବେ ନ ହେଲା- ତେବେ ଚାଷୀ ମୁଣ୍ଡରେ ଚଡ଼କ ପଡ଼େ।

ଆମେ ‘ମେକ୍‌ ଇନ୍‌ ଇଣ୍ଡିଆ’ କଥା କହୁଛୁ। ଯଦିଓ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌’(ବେପାର କରିବା ସୁବିଧା) ତାଲିକାରେ ଆମେ ୨୦୧୪ରେ ୧୪୯ ସ୍ଥାନରୁ ୨୦୧୯ରେ ୬୩ ସ୍ଥାନରେ ପହଞ୍ଚିଛୁ, ହେଲେ ‘ଇଜ୍‌ ଅଫ୍‌ ଷ୍ଟାର୍ଟିଂ ବିଜନେସ୍‌’(ବେପାର ଆରମ୍ଭ କରିବା ସୁବିଧା) ତାଲିକାରେ ଆମେ ଏବେବି ୧୩୬ତମ ସ୍ଥାନରେ ଅଛୁ। ଆଫଗାନିସ୍ତାନ ଆଉ ମୋଜାମ୍ବିକ୍‌ଠୁଁ ଟିକିଏ ଆଗରେ।
ଗୋଟିଏ ଦେଶର ଜନସାଧାରଣ ଶାନ୍ତିରେ, ସୁଖରେ ରହିବା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍‍ ଥିବା ଦରକାର। ବିଚାର ବ୍ୟବସ୍ଥା ମଧ୍ୟ ତତ୍ପର ରହିବା ଦରକାର। ଆମ ଦେଶରେ ଏ ଉଭୟ କ୍ଷେତ୍ର ଚାପଗ୍ରସ୍ତ। ୨୦୧୩ରେ ଆମ ଦେଶରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପାଇଁ ପୁଲିସ୍‍ ଥିଲେ ୧୩୮ ଜଣ। ଜାତିସଂଘର ଡ୍ରଗ୍ସ ଆଣ୍ଡ୍‍ କ୍ରାଇମ୍‍ ଅଫିସ୍‍ ଅନୁସାରେ ୭୧ଟି ଦେଶ ଭିତରେ ଏହା ହେଲା ପଞ୍ଚମ ସର୍ବନିମ୍ନ ସଂଖ୍ୟା। ପୁଲିସ୍‌ ପ୍ରଶାସନ କ୍ଷେତ୍ରରେ ସଂସ୍କାର ଦୀର୍ଘ ବର୍ଷ ଧରି ହୋଇନାହିଁ। ଆମ କୋର୍ଟମାନଙ୍କରେ ବର୍ଷବର୍ଷ ଧରି ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ଗତବର୍ଷ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ, ୨୦୧୯ ଜୁନ୍‍ ୧ ତାରିଖ ସୁଦ୍ଧା ଆମ ହାଇକୋର୍ଟମାନଙ୍କରେ ୪୩.୫୫ ଲକ୍ଷ ମକଦ୍ଦମା ପଡ଼ିରହିଛି। ସୁପ୍ରିମ୍‍କୋର୍ଟରେ ବିଚାର ଅପେକ୍ଷାରେ ପଡ଼ିରହିଛି ୫୮,୬୬୯ ମକଦ୍ଦମା।

ଏ ପରିସ୍ଥିତିରେ ଭାରତ ବିଶ୍ୱର ପ୍ରମୁଖ ଶକ୍ତି କିପରି ଭାବରେ ହୋଇପାରିବ? ଗୋଟେ ଦେଶର ଶକ୍ତି କେବଳ ତା’ର ସାମରିକ ବାହିନୀର ଶକ୍ତି ଉପରେ ପର୍ଯ୍ୟବସିତ ନୁହେଁ। ଦେଶର ଜନସାଧାରଣଙ୍କର ସର୍ବାଙ୍ଗୀନ ଉନ୍ନତି ଯଦି ନହୁଏ, ତେବେ ଭାରତ ‘ବିଶ୍ୱ ଗୁରୁ’ ହୋଇପାରିବ ନାହିଁ। ତେଣୁ ଆମକୁ ମୌଳିକ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ଏବଂ ସେ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବାକୁ ପଡ଼ିବ।
ଜଣେ ଇଉରୋପିଆନ ନୃତତ୍ତ୍ୱବିଦ୍‌ କହିଥିଲେ ୯୦ ଦଶକରେ ଭାରତରେ ନାଗରିକମାନଙ୍କୁ ପ୍ରଥମେ ଉପଭୋକ୍ତା ଆଉ ପରେ ନାଗରିକ ବୋଲି ବିଚାର କରିବାର ଧାରା ଆରମ୍ଭ ହେଲା। ଏଥିକୁ ବେଶି କେହି କିଛି କହିଲେ ବି ନାହିଁ, ବରଂ ଅନେକେ ଏହାକୁ ସ୍ୱାଗତ କଲେ। ଏହାଫଳରେ ସରକାର ଧୀରେ ଧୀରେ ନିଜର ଦାୟିତ୍ୱକୁ ବେସରକାରୀ ସଂସ୍ଥା ହାତକୁ ଟେକି ଦେବାକୁ ଲାଗିଲେ। ଶଙ୍କର ଆୟାର ନିକଟରେ ଗୋଟେ ବହି ଲେଖିଛନ୍ତି: ‘ଦି ଗେଟେଡ୍‌ ରିପବ୍ଲିକ୍‌’(ପ୍ରକାଶକ: ହାର୍ପର କଲିନ୍‌ସ, ୨୦୨୦)। ଏଥିରେ ଆମର ଏବଂ ସରକାରଙ୍କର ଏ ମାନସିକତା କଥା ବିସ୍ତାରରେ ଆଲୋଚନା କରାଯାଇଛି।

ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାରର କେତେଗୁଡ଼ିଏ ପ୍ରମୁଖ ଭୂମିକା ରହିଛି। ତାକୁ ଏଡ଼ାଇଗଲେ ସରକାର କର୍ତ୍ତବ୍ୟ-ଚ୍ୟୁତ ହେଲେ ବୋଲି କହିବାକୁ ପଡ଼ିବ। ଜନମଙ୍ଗଳ ରାଷ୍ଟ୍ରରେ ନାଗରିକ ଏବଂ ସୁଶୀଳ ସମାଜର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମର ମଧ୍ୟ ଭୂମିକା ରହିଛି। ହେଲେ କେମିତି କେଜାଣି ଲାଗୁଛି- ଆମେ ସମସ୍ତେ ନିଜ ନିଜର ଭୂମିକାକୁ ସଠିକ୍‌ ଭାବେ ନିର୍ବାହ କରୁ ନାହୁଁ କିମ୍ବା କରି ପାରୁ ନାହୁଁ। ଯେଉଁ ପ୍ରସଙ୍ଗଗୁଡ଼ିକରେ ଗଣମାଧ୍ୟମ ଏବଂ ସୁଶୀଳ ସମାଜ(ସିଭିଲ୍‌ ସୋସାଇଟି) ମୁଖର ହେବା କଥା, ସେଥିରେ ସେଇ ପରିମାଣରେ ହେଉ ନାହିଁ। ଅନ୍ୟ ମୁଖ-ରୋଚକ ପ୍ରସଙ୍ଗ (ସାଧାରଣ ସ୍ଥାନ- ଉଭୟ ଭୌତିକ ଓ ମାନସିକ) ଅଧିକ ସ୍ଥାନ ଦଖଲ କରିନେଉଛି।
କରୋନା-ଜନିତ ସଂକଟ ଆମ ସାମ୍ନାରେ ଆତ୍ମ-ସମୀକ୍ଷାର ଏକ ସୁଯୋଗ ଆଣିଛି। ସଂକଟକୁ ସୁଯୋଗ ଭାବରେ ଗ୍ରହଣ କରି ଦେଶକୁ ଏ ସବୁ ସମସ୍ୟାରୁ ସ୍ୱାଧୀନତାର ଆଉ ଏକ ସଂଗ୍ରାମ ଲଢ଼ିବାକୁ ହେବ।

Comments are closed.