ନ୍ୟୁଜିଲାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ହାମିଲଟନ: ହାମିଲଟନରେ ଚାଲିଥିବା ୩ୟ ଟି-୨୦ରେ ଟିମ୍‌ ଇଣ୍ଡିଆ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ୧୮୦ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୭୯ ରନ୍‌ କରିବାରେ ସକ୍ଷମ ହୋଇଛି। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫(୪୦) ରନ୍‌ କରିଛନ୍ତି।

ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଓପନର ରୋହିତ ଶର୍ମା ଏବଂ କେ.ଏଲ. ରାହୁଲ ଭାରତୀୟ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ୯ ଓଭରରେ ଦଳର ସ୍କୋର ୮୯ ରନ୍‌ ହୋଇଥିବାବେଳେ ପ୍ରଥମେ ରାହୁଲ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ପରେ ରୋହିତ ୬୫ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ପରେ ପରେ ଶିବମ ଦୁବେ ମଧ୍ୟ ପ୍ୟାଭିଲିଅନ ଫେରିଥିଲେ। କ୍ରମାଗତ ୩ଟି ଉଇକେଟ୍‌ ପଡ଼ିବା ପରେ ଭାରତୀୟ ଦଳ ରନ୍‌ ସଂଗ୍ରହ ହାର କମିଯାଇଥିଲା। ଏହା ପରେ ଅଧିନାୟକ ବିରାଟ କୋହଲି ଏବଂ ଶ୍ରେୟସ ଆୟାର ଦଳକୁ ସମ୍ଭାଳିଥିଲେ। ୧୭ତମ ଓଭରରେ ଦଳର ସ୍କୋର ୧୪୨ ରନ୍‌ ହୋଇଥିବାବେଳେ ଶ୍ରେୟସ ଆଉଟ୍‌ ହୋଇଥିଲେ। ପରେ ୩୮ ରନ୍‌ କରିଥିବା କୋହଲି ମଧ୍ୟ ଆଉଟ୍‌ ହୋଇଯାଇଥିଲେ। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ଏବଂ ମନୀଷ ପାଣ୍ଡେଙ୍କ ଦ୍ରୁତ ରନ୍‌ ସଂଗ୍ରହ ଯୋଗୁ ଦଳର ସ୍କୋର ୧୭୯ରେ ପହଞ୍ଚି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ବେନେଟ୍‌ ସର୍ବାଧିକ ୩ଟି ଏବଂ ସାଣ୍ଟର ଓ ଡି ଗ୍ରାଣ୍ଡହୋମ୍‌ ଗୋଟିଏ ଲେଖାଏ ଉଇକେଟ୍‌ ହାସଲ କରିଥିଲେ।

Comments are closed.