ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଅବକ୍ଷୟ

ଗଣତନ୍ତ୍ର ସୂଚକାଙ୍କରେ ୫୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ : ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧରେ ଅବକ୍ଷୟ ଘଟିଛି। ଗଣତାନ୍ତ୍ରିକ ମୂଲ୍ୟବୋଧରେ ଅବକ୍ଷୟ ଯୋଗଁ ବିଶ୍ବ ଗଣତନ୍ତ୍ର ତାଲିକାରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୫୧ତମ ସ୍ଥାନରେ ପହଞ୍ଚିଛି। ଦ ଇକୋନୋମିଷ୍ଟ ଡେମୋକ୍ରେସି ତାଲିକା ୨୦୧୯ ଅନୁଯାୟୀ ଭାରତର ସ୍କୋର ୭.୩ରୁ ୬.୯କୁ ହ୍ରାସ ପାଇଛି। ୨୦୧୮ରେ ଭାରତର ସ୍କୋର ମୋଟ ୧୦ରୁ ୭.୩ ଥିବାବେଳେ ୨୦୧୯ରେ ଏହା ୬.୯କୁ ହ୍ରାସ ପାଇଛି। ସାଧାରଣ ନାଗରିକଙ୍କ ସ୍ବାଧୀନତା କ୍ଷୁଣ୍ଣ ହେବା କାରଣରୁ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଇଥିବା କୁହାଯାଇଛି।

ବିଶ୍ବର ଗଣତନ୍ତ୍ର ରାଷ୍ଟ୍ରଗୁଡିକୁ ନେଇ ୨୦୦୬ ରୁ ଏପରି ତାଲିକା ପ୍ରକାଶ ପାଇଆସୁଛି। ଦ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ (ଇଆଇୟୁ)ର ଡେମୋକ୍ରେସି ଇଣ୍ଡେକ୍ସ ୫ଟି ମାନଦଣ୍ଡ ଉପରେ ଆଧାରିତ। ସେଗୁଡିକ ହେଲା ନିର୍ବାଚନ ପ୍ରକ୍ରିୟା, ସରକାରର କାର୍ଯ୍ୟଧାରା, ରାଜନୈତିକ ଭାଗୀଦାରିତା, ରାଜନୈତିକ ସଂସ୍କୃତି ଓ ନାଗରିକ ସ୍ବାଧୀନତା। ଏହି ମାନଦଣ୍ଡ ଆଧାରରେ ଭାରତ ନିର୍ବାଚନ ପ୍ରକ୍ରିୟାରେ ୮.୬୭, ସରକାରର କାର୍ଯ୍ୟଧାରାରେ ୬.୭୯, ରାଜନୈତିକ ଭାଗୀଦାରିତା ୬.୬୭, ରାଜନୈତିକ ସଂସ୍କୃତି ୫.୬୩ ଓ ନାଗରିକ ସ୍ବାଧୀନତାରେ ୬.୭୬ ନମ୍ବର ପାଇଛି। ମୋଟ ଉପରେ ଭାରତ ୧୦ ନମ୍ବରରୁ ୬.୯ ନମ୍ବର ପାଇଛି। ଫଳରେ ଭାରତ ଏକ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ର ବର୍ଗରେ ସାମିଲ ହୋଇଛି। ୧୦ରୁ ୮ ନମ୍ବର ପାଇଥିବା ରାଷ୍ଟ୍ରକୁ ପୂର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ର ବର୍ଗରେ ସାମିଲ କରାଯାଇଛି। ତେବେ ଭାରତ କୌଣସି ବର୍ଷ ପୂର୍ଣ୍ଣ ଗଣତନ୍ତ୍ର ବର୍ଗରେ ସ୍ଥାନ ପାଇପାରି ନାହିଁ। ୨୦୧୪ ପରଠାରୁ (୨୦୧୬ବର୍ଷ ବ୍ୟତୀତ) ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧରେ କ୍ରମାଗତ ଅବକ୍ଷୟ ହେବାରେ ଲାଗିଛି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ସରକାର କ୍ଷମତାକୁ ଆସିବା ପୂର୍ବରୁ ଭାରତ ସର୍ବୋଚ୍ଚ ନମ୍ବର ୭.୯୨ ହାସଲ କରିଥିଲା। ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧରେ ଏପରି ଅବମୂଲ୍ୟାୟନ ସରକାରଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଛି। ବିଶେଷକରି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଆସାମରେ ଏନଆରସି ଲାଗୁ ଓ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରାଯିବା ଭଳି ସରକାରଙ୍କ ନିଷ୍ପତ୍ତି ଏହି ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସର ମୂଳ କାରଣ ଭାବେ ଧରା ଯାଇଛି।

ଡେମୋକ୍ରେସି ଇଣ୍ଡେକ୍ସ ଅନୁଯାୟୀ ଚିଲି, ଫ୍ରାନ୍ସ ଓ ପର୍ତ୍ତୁଗାଲ ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ବିଶ୍ବର ୨୨ଟି ରାଷ୍ଟ୍ରକୁ ପୂର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ର ବିବେଚନା କରାଯାଇଥିବାବେଳେ ଭାରତ ସମେତ ୫୪ଟି ରାଷ୍ଟ୍ରକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ର ବିବେଚନା କରାଯାଇଛି। ଚୀନ ସମେତ ଅବଶିଷ୍ଟ ୯୧ଟି ରାଷ୍ଟ୍ରକୁ ଆଜ୍ଞାନୁବର୍ତ୍ତିତା ରାଷ୍ଟ୍ର ବିବେଚନା କରାଯାଇଛି। ଯେଉଁଠାରେ ନାଗରିକମାନେ ସରକାରଙ୍କ ନିର୍ଦେଶ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି।

Comments are closed.