ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଆଜିଠାରୁ

0

ବର୍ମିଂହାମ୍‍ : ଭାରତୀୟ କ୍ରିକେଟ ଦଳ ପାଇଁ ଏହି ସିରିଜ୍‍ ଏକ ଅଗ୍ନିପରୀକ୍ଷା ସଦୃଶ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ଖେଳିବାକୁ ଯାଉଛି। ବୁଧବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳାଯିବ। ସାରା କ୍ରିକେଟ ଦୁନିଆର ନଜର ଏହି ସିରିଜ୍‍ ଉପରେ। ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ଦଳ। ଇଂଲଣ୍ଡ ମାନ୍ୟତା ତାଲିକାରେ ୫ମ ସ୍ଥାନରେ ଥିଲେ ହେଁ ଘରୋଇମାଟିରେ ଇଂଲଣ୍ଡ ପାଇଁ ଏହି ମାନ୍ୟତାର କୌଣସି ମାନେନାହିଁ। ସର୍ବଦା ଘରୋଇମାଟିରେ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରଦର୍ଶନ କରିଆସିଛି। ଅଦ୍ୟାବଧି ଇଂଲଣ୍ଡରେ ଉଭୟ ଦେଶଙ୍କ ମଧ୍ୟରେ ୧୭ଟି ଟେଷ୍ଟ ସିିରିଜ୍‍ ଖେଳାଯାଇଛି। ଏଥିରୁ ଇଂଲଣ୍ଡ ୧୩ଟି ସିରିଜ୍‍ ଜିତିଥିବା ବେଳେ ଭାରତ ମାତ୍ର ୩ଟି ଜିତିଛି। ତେଣୁ ଏଥର କ୍ରିକେଟ ପଣ୍ଡିତ ସିରିଜ୍‍ରେ ଇଂଲଣ୍ଡକୁ ଫେଭରିଟ୍‍ର ଆଖ୍ୟା ଦେଇଥିବା ବେଳେ ଭାରତ ମଧ୍ୟ ଘରୋଇ ଦଳକୁ ଚକ୍‍ମା ଦେବାର ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି। ପୁଣି ବିଶ୍ୱର ପ୍ରଥମ ଦଳ ଭାବେ ଇଂଲଣ୍ଡ ୧୦୦୦ତମ ଟେଷ୍ଟମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ଏହା ଘରୋଇ ଦଳକୁ ଉତ୍ସାହିତ କରିବ।
ଏହି ଗସ୍ତରେ ଅଦ୍ୟାବଧି ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଭାରତ ଟ୍ୱେଣ୍ଟି୨୦ ସିରିଜ୍‍ ଜିତିଥିବା ବେଳେ ଇଂଲଣ୍ଡ ଦିନିକିଆ ସିରିଜ୍‍ ଜିତିଛି। ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦଳ ପକ୍ଷରୁ ବାରମ୍ବାର କୁହା ଯାଇଥିଲେ ହେଁ ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‍ରେ ଭାରତର କିଛି ଦୁର୍ବଳତା ପଦାରେ ପଡ଼ିଛି। ଭାରତର ଉପର ଅର୍ଡର ବିଫଳ ହୋଇଥିବା ବେଳେ ଭାରତୀୟ ବୋଲିଂ ଆକ୍ରମଣ ବିରୋଧରେ ଏସେକ୍ସ ୩ ଶହରୁ ଅଧିକ ରନ୍‍ କରି ପାରିଥିଲା। ବିଶେଷକରି ଓପ୍‍ନର ଶିଖର ଧାୱନ ଓ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ୍‍ ଚେତେଶ୍ୱର ପୂଜାରାଙ୍କ ଫର୍ମ ଭାରତକୁ ଚିନ୍ତାରେ ପକାଇଛି। ସୀମିତ ଓଭର ସିରିଜ୍‍ରେ ସେପରି ଭଲ ପ୍ରଦର୍ଶନ କରି ପାରିନଥିବା ଧାୱନ ଅଭ୍ୟାସ ମ୍ୟାଚ୍‍ରେ ଉଭୟ ଇନିଂସରେ ବିନା ସ୍କୋର୍‍ରେ ଆଉଟ ହୋଇଛନ୍ତି। ଏହି ସିରିଜ୍‍ ପୂର୍ବରୁ ପୂଜାରା କାଉଣ୍ଟି କ୍ରିକେଟ ଖେଳିଥିଲେ ହେଁ ଅଭ୍ୟାସ ମ୍ୟାଚ୍‍ର ଉଭୟ ଇନିଂସରେ ବିଫଳ ହୋଇଛନ୍ତି। ତଥାପି ପ୍ରଥମ ଟେଷ୍ଟରେ ଧାୱନ ଓ ପୂଜାରା ସୁଯୋଗ ପାଇପାରନ୍ତି। କୁଲଦୀପ ଯାଦବଙ୍କ ବୋଲିଂକୁ ନେଇ ବେଶ୍‍ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ସୁଯୋଗ ମିଳିନପାରେ। ଏକମାତ୍ର ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ୱିନ ଖେଳିବେ। ୩ ପେସ୍‍ ବୋଲର ଭାବେ ଉମେଶ ଯାଦବ, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଖେଳିପାରନ୍ତି। ହାର୍ଦିକ ପାଣ୍ଡ୍ୟା ଅଲ୍‍ରାଉଣ୍ଡର ଭାବେ ଖେଳିବେ। ଦିନେଶ କାର୍ତ୍ତିକଙ୍କ ଉପସ୍ଥିତି ଯୋଗୁଁ ଭାରତୀୟ ବ୍ୟାଟିଂ ମଜ୍‍ଭୁତ ହୋଇଛି।
ମ୍ୟାଚ୍‍ର ଦିନକ ପୂର୍ବରୁ ଇଂଲଣ୍ଡ ତା’ର ୧୧ ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା କରିଛି। ଇଂଲଣ୍ଡର ବ୍ୟାଟିଂ ଅଧିନାୟକ ଜୋ ରୁଟ୍‍ଙ୍କ ଉପରେ ବହୁତ ନିର୍ଭର କରିବ। ଭାରତ ବିପକ୍ଷରେ ରୁଟ୍‍ଙ୍କ ରେକର୍ଡ ବହୁତ ଭଲ ଏବଂ ଦିନିକିଆ ସିରିଜ୍‍ରେ ରୁଟ୍‍ କ୍ରମାଗତ ୨ଟି ଶତକ ମାରିଛନ୍ତି। ପୁଣି ଇଂଲଣ୍ଡର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ଓପ୍‍ନର ଭାବେ ଭାରତୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ଓପ୍‍ନର କିଟନ୍‍ ଜେନିଙ୍ଗ୍‍ସ ଓ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ୍‍ ଡାୱିଡ୍‍ ମାଲାନ୍‍ ଟେଷ୍ଟ କ୍ରିକେଟ୍‍ରେ ବେଶ୍‍ ଅନଭିଜ୍ଞ। ଜୋସ୍‍ ବଟ୍‍ଲର ଓ ଜନି ବେୟାରଷ୍ଟୋ ଭଲ ଫର୍ମରେ ଅଛନ୍ତି। ଅଲ୍‍ରାଉଣ୍ଡର ଭାବେ ବେନ୍‍ ଷ୍ଟୋକ୍‍ସ ଖେଳିବେ। ତେବେ ମୋଇନ୍‍ ଅଲୀଙ୍କୁ ସ୍ଥାନ ମିଳିନାହିଁ। ଏକମାତ୍ର ସ୍ପିନର ଭାବେ ଆଦିଲ ରସିଦ୍‍ ଖେଳିବେ। ଇଂଲଣ୍ଡର ସଫଳତମ ଟେଷ୍ଟ ବୋଲର ଜେମ୍‍ସ ଆଣ୍ଡରସନ୍‍ ଓ ସାଥୀ ନୂଆ ବଲ୍‍ ବୋଲର ଷ୍ଟୁଆର୍ଟ ବ୍ରଡ୍‍ ଭାରତ ପାଇଁ କଡ଼ା ଆହ୍ୱାନ ସୃଷ୍ଟି କରିପାରନ୍ତି। ୩ୟ ପେସ୍‍ ବୋଲର ଭାବେ ସାମ୍‍ କରନ୍‍ ଖେଳିବେ। ଅନ୍ୟପକ୍ଷରେ ଗତ ଗସ୍ତରେ ତାଙ୍କ ବିଫଳତା ପରେ ଏଥର ବଡ଼ ସ୍କୋର୍‍ କରିବାକୁ ଦୃଢ଼ନିଶ୍ଚିତ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଗତଥର କୋହଲିଙ୍କୁ ସର୍ବାଧିକ ଥର ଆଣ୍ଡରସନ୍‍ ଆଉଟ କରିଥିବାରୁ ଏଥର ଉଭୟ ମହାରଥୀଙ୍କ ମଧ୍ୟରେ ରୋଚକ ମୁକାବିଲା ହେବ। ସୀମିତ ଓଭର ସିରିଜ୍‍ରେ କୋହଲି ଭଲ ବ୍ୟାଟିଂ କରିଛନ୍ତି। ବ୍ରଡ୍‍ ଓ ଆଣ୍ଡରସନ୍‍ଙ୍କୁ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ କିପରି ମୁକାବିଲା କରୁଛନ୍ତି; ତାହା ଉପରେ ସିରିଜ୍‍ର ଭାଗ୍ୟ ନିର୍ଭରକରେ। ତେବେ ସେମାନଙ୍କୁ ପେସ୍‍ ବୋଲିଂ ଉପଯୋଗୀ ପିଚ୍‍ ମିଳିନପାରେ। ତେବେ ଗତ ଦୁଇଦିନ ହେଲା ବର୍ମିଂହାମ୍‍ରେ ବର୍ଷା ହେଉଥିବାରୁ ପିଚ୍‍ ପେସ୍‍ ବୋଲରଙ୍କୁ ସହାୟକ ହେବ। ଫଳରେ ଉଭୟ ଦଳ ଟସ୍‍ ଜିତି ଫିଲ୍‍ଡିଂ ନେଇପାରନ୍ତି।
ଆଉ ୧୦ଟି ୱିକେଟ ନେଲେ ଜେମ୍‍ସ ଆଣ୍ଡରସନ୍‍ ଟେଷ୍ଟ କ୍ରିକେଟ୍‍ରେ ୫୫୦ ୱିକେଟରେ ପହଞ୍ଚିବେ। ଈଶାନ୍ତ ଶର୍ମା ଆଉ ୧୨ଟି ୱିକେଟ ନେଲେ ୨୫୦ ଟେଷ୍ଟ ୱିକେଟ ପୂରଣ କରିବେ। ଆଉ ମାତ୍ର ୨୪ ରନ୍‍ କଲେ ଷ୍ଟୁଆର୍ଟ ବ୍ରଡ୍‍ ବିଶ୍ୱର ୫ମ କ୍ରିକେଟର ଭାବେ ୪୦୦ ଟେଷ୍ଟ ୱିକେଟ ଓ ୩ ହଜାର ଟେଷ୍ଟ ରନ୍‍ କରିବାର କୃତିତ୍ୱ ହାସଲ କରିବେ। ଆଉ ମାତ୍ର ୪୦ ରନ୍‍ କଲେ ଜୋ ରୁଟ୍‍ ୬ ହଜାର ଟେଷ୍ଟ ରନ୍‍ ପୂରଣ କରିବେ। ଆଉ ୯୩ ରନ୍‍ କଲେ ମୁରଲୀ ବିଜୟ ୪ ହଜାର ଟେଷ୍ଟ ରନ୍‍ ପୂରଣ କରିବେ। ଆଉ ୧୦୭ ରନ୍‍ କଲେ ଅଜିଙ୍କ୍ୟ ରାହାଣେ ୩ ହଜାର ଟେଷ୍ଟ ରନ୍‍ ପୂରଣ କରିବେ।
ଆଜି (ବୁଧବାର)ର ମ୍ୟାଚ୍‍
ସିଧା ପ୍ରସାରଣ: ସୋନି ଟେନ୍‍-୧ ଓ ସୋନି ସିକ୍ସ; ଭାରତୀୟ ସମୟ: ଅପରାହ୍ଣ ୩.୩୦ରୁ।

Leave A Reply