ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ ଆଜିଠାରୁ

0

ସାଉଥହାମ୍ପଟନ୍‍ : ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‍ ହାରିବା ପରେ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟମ୍ୟାଚ୍‍ ଜିତି ସିରିଜ୍‍କୁ ଫେରିପାରିଛି। ଘରୋଇ ଦଳ ୨-୧ରେ ଆଗୁଆ ରହିଥିବା ବେଳେ ଭାରତୀୟ ଦଳ ନିଶ୍ଚୟ ସିରିଜ୍‍କୁ ୨-୨ କରିବା ଲକ୍ଷ୍ୟରେ ୪ର୍ଥ ଟେଷ୍ଟରେ ଓହ୍ଲାଇବ। ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ରୋଜ୍‍ ବୋଲ୍‍ ଷ୍ଟାଡିୟମ୍‍ରେ ୪ର୍ଥ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେଉଛି। ଘରୋଇ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ୩ୟ ଟେଷ୍ଟମ୍ୟାଚ୍‍ରେ ୨୦୩ ରନ୍‍ର ପରାଜୟକୁ ଭୁଲି ବିଜୟଧାରାକୁ ଫେରିବାକୁ ଚାହିଁବ। ଏହି ଟେଷ୍ଟମ୍ୟାଚ୍‍କୁ ଜିତି ସିରିଜ୍‍ ହାତେଇବା ଲକ୍ଷ୍ୟରେ ରହିବ ଇଂଲଣ୍ଡ ଦଳ। ତେବେ କ୍ରମାଗତ ୨ଟି ପରାଜୟ ପରେ ଯେପରି ଭାବେ ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟରେ ଭାରତ ସହଜ ବିଜୟ ହାସଲ କରିଥିଲା; ତାହା ବିରାଟ କୋହଲି ବାହିନୀକୁ ନିଶ୍ଚୟ ଉତ୍ସାହିତ କରିଥିବ। ତେଣୁ ନୂଆ ଉତ୍ସାହ ଓ ଅଧିକ ଆତ୍ମବିଶ୍ୱାସର ସହ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଭାରତ ଜାଣିଛି ଯେ ଇଂଲଣ୍ଡ ଯଦି ଏହି ଟେଷ୍ଟମ୍ୟାଚ୍‍କୁ ଜିତିନିଏ; କିମ୍ବା ମ୍ୟାଚ୍‍ ଅମୀମାଂସିତ ରହେ; ତେବେ ବିଦେଶ ମାଟିରେ ଏହାର ସିରିଜ୍‍ ବିଜୟର ସ୍ୱପ୍ନ ଅଧୁରା ରହିଯିବ। ପୁଣି ଏହି ମ୍ୟାଚ୍‍ ହାରିଲେ ଭାରତ ବିଦେଶରେ କ୍ରମାଗତ ୨ୟ ସିରିଜ୍‍ ହାରିବ। ତେଣୁ ମ୍ୟାଚ୍‍ ଜିତିବା ପାଇଁ ଭାରତ ସବୁପ୍ରକାର ପ୍ରୟାସ କରିବ।
ଏହି ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟମ୍ୟାଚ୍‍ ଖେଳା ଯାଇଥିବା ବେଳେ ଇଂଲଣ୍ଡ ଏଥିରେ ୨୬୬ ରନ୍‍ରେ ବିଜୟୀ ହୋଇଥିଲା। ଭାରତ ଚଳିତବର୍ଷ ବିଦେଶରେ ୬ଟି ଟେଷ୍ଟମ୍ୟାଚ୍‍ ଖେଳିଥିବା ବେଳେ ୪ଟିରେ ପରାସ୍ତ ହୋଇ ୨ଟିରେ ବିଜୟଲାଭ କରିଛି। ଚଳିତ ସିରିଜ୍‍ରେ ଇଂଲଣ୍ଡ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମ ଟେଷ୍ଟରେ ଉଭୟ ଦଳଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ହେଁ ୨ୟ ଟେଷ୍ଟକୁ ଇଂଲଣ୍ଡ ସହଜରେ ଇନିଂସ ଓ ୧୫୯ ରନ୍‍ରେ ଜିତି ସିରିଜ୍‍ରେ ୨-୦ରେ ଆଗୁଆ ହୋଇ ଯାଇଥିଲା। ତେବେ ୩ୟ ଟେଷ୍ଟମ୍ୟାଚ୍‍ରେ ଏକ ଭିନ୍ନ ଭାରତୀୟ ଦଳକୁ ଦେଖିବାକୁ ମିଳିଥିଲା। ୧୧ଜଣଯାକ ଖେଳାଳି ଦଳର ବିଜୟରେ ଯୋଗଦାନ କରିଥିଲେ। ଓପ୍‍ନିଂ ବ୍ୟାଟିଂକୁ ନେଇ ଭାରତ ଚିନ୍ତାରେ ଥିବା ବେଳେ ଉଭୟ ଇନିଂସରେ ଭାରତୀୟ ଓପ୍‍ନର ୬୦ ରନ୍‍ ଲେଖାଏଁ କରିଥିଲେ। ପୁଣି ପ୍ରଥମ ଇନିଂସରେ ଅଜିଙ୍କ୍ୟ ରାହାଣେ ଓ ୨ୟ ଇନିଂସରେ ଚେତେଶ୍ୱର ପୂଜାରା ବଡ଼ ସ୍କୋର୍‍ କରି ପାରିଥିଲେ। ଅଲ୍‍ରାଉଣ୍ଡର ମାନ୍ୟତାକୁ ଯଥାର୍ଥ ପ୍ରତିପାଦନ କରି ହାର୍ଦିକ ପାଣ୍ଡ୍ୟା ପ୍ରଥମ ଇନିଂସରେ ୫ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବା ସହ ଅର୍ଦ୍ଧଶତକ ମାରିଥିଲେ। ସିରିଜ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିଲେ ହେଁ ଯଶପ୍ରୀତ୍‍ ବୁମ୍‍ରା ଘାତକ ମନେ ହୋଇଥିଲେ ଏବଂ ୨ୟ ଇନିଂସରେ ୫ଟି ୱିକେଟ ନେଇଥିଲେ। ବିରାଟ କୋହଲି ଜଣେ ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂକରି ପ୍ରଥମ ଇନିଂସରେ ୯୭ ଓ ୨ୟ ଇନିଂସରେ ୧୦୩ ରନ୍‍ କରିଥିଲେ। କୋହଲି ଅଦ୍ୟାବଧି ସିରିଜ୍‍ରେ ୭୩.୩୩ ଆଭ୍‍ରେଜ୍‍ରେ ମୋଟ ୪୪୦ ରନ୍‍ କରିଛନ୍ତି। ୨ୟ ସର୍ବାଧିକ ସ୍କୋରର ହେଉଛନ୍ତି ଇଂଲଣ୍ଡର ଜନି ବେୟାରଷ୍ଟୋ (୨୦୬ ରନ୍‍)। କୋହଲି ହିଁ ଇଂଲଣ୍ଡ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛନ୍ତି। ଭାରତ ଏହି ମ୍ୟାଚ୍‍ ଜିତିଥିବାରୁ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା ଖୁବ୍‍ କମ୍‍।
ଏଣେ ଇଂଲଣ୍ଡ ଫର୍ମ ଓ ଆହତଜନିତ ସମସ୍ୟା ସହ ଲଢ଼ୁଛି। ଦଳ ପାଇଁ ସର୍ବାଧିକ ରନ୍‍ କରିଥିବା ଜନି ବେୟାରଷ୍ଟୋ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ସେ ଖେଳିଲେ ବି ୱିକେଟ ରକ୍ଷଣ କରି ନପାରନ୍ତି। ଇଂଲଣ୍ଡର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ୫ଟିଯାକ ଇନିଂସରେ ବିଫଳ ହୋଇଥିଲେ ହେଁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ବ୍ୟାଟ୍‍ସମ୍ୟାନ୍‍ ଜେମ୍‍ସ ଭିନ୍‍ସ ଦଳରେ ସାମିଲ ହୋଇଥିଲେ ହେଁ ତାଙ୍କ ଖେଳିବାର ସମ୍ଭାବନା କମ୍‍। ତେବେ ପିଚ୍‍ ଯଦି ପେସ୍‍ ବୋଲିଂ ଉପଯୋଗୀ ରହେ; ତେବେ ଆଦିଲ ରସିଦ୍‍ଙ୍କ ସ୍ଥାନରେ ପ୍ରଥମ ମ୍ୟାଚ୍‍ର ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ସାମ୍‍ କରନ୍‍ ଖେଳିପାରନ୍ତି। ତେବେ ରସିଦ୍‍ଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ୩ୟ ଟେଷ୍ଟରେ ଜୋସ୍‍ ବଟ୍‍ବଲ ବିସ୍ଫୋରକ ଶତକ ମାରିଥିଲେ ହେଁ ଇଂଲଣ୍ଡ ବ୍ୟାଟିଂ ପାଇଁ ଅଧିନାୟକ ଜୋ ରୁଟ୍‍ଙ୍କ ଉପରେ ଅଧିକ ନିର୍ଭରଶୀଳ।
ଆଜି (ଗୁରୁବାର)ର ମ୍ୟାଚ୍‍
ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟମ୍ୟାଚ୍‍; ସିଧା ପ୍ରସାରଣ: ସୋନି ଟେନ୍‍-୩ ଓ ସୋନି ସିକ୍ସ; ଭାରତୀୟ ସମୟ: ଅପରାହ୍ଣ ୩.୩୦ରୁ।

Leave A Reply