ଆଜିଠାରୁ ଭାରତ-ଇଂଲଣ୍ଡ ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍

ଅହମ୍ମଦାବାଦ: ବୁଧବାରଠାରୁ ମୋଟେରା ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ଭାରତୀୟ ଦଳ ପାଇଁ ଏହା ୩ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ହେବ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ୩୬ ରନ୍‌ରେ ଅଲ୍‌ଆଉଟ ହୋଇ ଭାରତ ପରାସ୍ତ ହୋଇଥିଲା। ଦିବାରାତ୍ର ଟେଷ୍ଟରେ ଭାରତ ୧-୧ ସ୍ଥିତିରେ ଥିବା ବେଳେ ଚଳିତ ଟେଷ୍ଟ ସିରିଜ୍ ମଧ୍ୟ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟରେ ଅଧିନାୟକ ଜୋ ରୁଟ୍‌ଙ୍କ ଦ୍ବିଶତକ ବଳରେ ଇଂଲଣ୍ଡ ଜିତିଥିବା ବେଳେ ୨ୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଜାଲରେ ଛନ୍ଦିହୋଇ ପରାସ୍ତ ହୋଇଥିଲା ଇଂଲଣ୍ଡ। ବିଶ୍ବର ଏହି ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହା ଦିବାରାତ୍ର ଟେଷ୍ଟମ୍ୟାଚ୍‌ ହୋଇଥିବାରୁ ଇଂଲଣ୍ଡର ପେସ୍ ବୋଲର ଏଥିରୁ ଫାଇଦା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ନିଶ୍ଚୟ। ହେଲେ ଇଂଲଣ୍ଡକୁ ଏହି ସୁବିଧାରୁ ବଞ୍ଚିତ କରିବା ଲାଗି ମୋଟେରାରେ ସ୍ପିନ୍ ଉପ​‌େ​‌ଯାଗୀ ପିଚ୍‌ ପ୍ରସ୍ତୁତ ହୋଇଛି।

ଭାରତୀୟ ଦଳ ଭଲଭାବେ ଜାଣିଛି ଯେ ବାକିଥିବା ୨ଟି ଟେଷ୍ଟମ୍ୟାଚ୍‌ରୁ ଯଦି ଏହା ଗୋଟିଏରେ ବି ପରାସ୍ତହୁଏ; ତେବେ ଏହା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ଖେଳିବାରୁ ବଞ୍ଚିତ ହେବ। ଘରୋଇ ଟେଷ୍ଟମ୍ୟାଚ୍‌ ପାଇଁ ଭାରତର ବ୍ଲୁପ୍ରିଣ୍ଟ ସର୍ବଦା ପ୍ରସ୍ତୁତ ରହିଥାଏ। ଏହା ହେଉଛି ପ୍ରଥମେ ବ୍ୟାଟିଂକରି ବଡ଼ ସ୍କୋର୍ ଛିଡ଼ାକରିବା ପରେ ପ୍ରତିପକ୍ଷର ୨୦ଟି ୱିକେଟ ନେବା; ତାହା ପୁଣି ସ୍ପିନରଙ୍କ ଦ୍ବାରା। ଭାରତ ପାଇଁ ଏହା ଖୁସିର ଖବର ଯେ ସିରିଜ୍‌ରେ ଅଦ୍ୟାବଧି ଏହାର ପ୍ରଥମ ୬ ବ୍ୟାଟ୍‌ସମ୍ୟାନ ୫୦ କିମ୍ବା ଅଧିକ ରନ୍ ସ୍କୋର୍ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ/ଦୁଇଜଣ ବଡ଼ ସ୍କୋର୍‌ କଲେ ଭାରତ ସୁବିଧାଜନକ ସ୍ଥିତିରେ ରହିବ। ଅଦ୍ୟାବଧି ସବୁଠାରୁ ଶକ୍ତିଶାଳୀ ବୋଲିଂ ଲାଇନ୍ ନେଇ ଭାରତ ମ୍ୟାଚ୍‌କୁ ଓହ୍ଲାଇବ। ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମାଙ୍କ ସହ ଆର୍. ଅଶ୍ବିନ ଓ ଅକ୍ଷର ପଟେଲ ଖେଳିବା ନିଶ୍ଚିତ। ୫ମ ବୋଲର ଭାବେ କୁଲଦୀପ ଯାଦବ, ମହମ୍ମଦ ସିରାଜ୍ ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ତେବେ ଦିବାରାତ୍ର ମ୍ୟାଚ୍ ଓ କାକରର ପ୍ରଭାବ ଯୋଗୁଁ ଉମେଶଙ୍କ ଖେଳିବା ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ଜନି ବେୟାରଷ୍ଟୋଙ୍କ ଉପସ୍ଥିତି ଜୋ ରୁଟ୍‌ଙ୍କ ଉପରୁ ଚାପ ସାମାନ୍ୟ କମ୍ କରିବ। ଡାନ୍ ଲରେନ୍‌ସଙ୍କ ସ୍ଥାନରେ ବେୟାରଷ୍ଟୋ ଖେଳିବେ। ରୋରି ବର୍ନସଙ୍କ ସ୍ଥାନରେ ଜ୍ୟାକ୍ କ୍ରଲି ଓପନ୍‌ କରିପାରନ୍ତି। ବୋଲିଂ ବିଭାଗରେ ବିଶ୍ବର ସଫଳତମ ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍ ଓ ଜୋଫ୍ରା ଆର୍ଚର ଖେଳିବା ନିଶ୍ଚିତ ହୋଇଥିବା ବେଳେ ଅଫ୍‌ସ୍ପିନର ଡମ୍ ବେସ୍ ଓ ପେସ୍ ବୋଲର କ୍ରିସ୍‌ ୱକ୍‌ସଙ୍କ ମଧ୍ୟରୁ ଜଣେ ଖେଳିବେ। ବାମହାତି ସ୍ପିନର ଜ୍ୟାକ୍ ଲିଚ୍ ଖେଳିବା ନିଶ୍ଚିତ।

ଗୋଲାପି ବଲ୍‌ର ରଙ୍ଗ ବଜାୟ ରଖିବାକୁ ପିଚ୍‌ରେ ସାମାନ୍ୟ ଘାସ ଥିବାରୁ ଆରମ୍ଭରୁ ପେସ୍ ବୋଲର ସାମାନ୍ୟ ସହାୟତା ପାଇପାରନ୍ତି। ପରେ ସ୍ପିନର ଏଥିରୁ ଫାଇଦା ପାଇବେ। ତଥାପି ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାର ଯୋଜନା କରିଛନ୍ତି। ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ବଲ୍‌ ଅଧିକ ସ୍ବିଙ୍ଗ୍‌ ହେବାର ଥିବାରୁ ଏଥିପ୍ରତି ଉଭୟ ଦଳର ବ୍ୟାଟ୍‌ସମ୍ୟାନ୍ ସତର୍କ ରହିବେ। ଅଦ୍ୟାବଧି ଖେଳା ଯାଇଥିବା ୧୫ଟି ଗୋଲାପି ବଲ୍‌ ଟେଷ୍ଟରେ ପେସ୍ ବୋଲର ୩୫୪ଟି ଓ ସ୍ପିନର ୧୧୫ଟି ୱିକେଟ ନେଇଛନ୍ତି। ୨୦୧୯ରେ ଭାରତର ସର୍ବପ୍ରଥମ ଦିବାରାତ୍ର ଟେଷ୍ଟରେ ବିରାଟ​ କୋହଲି ଶତକ ମାରିଥିଲେ। ଏହାପରେ ୩୪ଟି ଆନ୍ତର୍ଜାତିକ ଇନିଂସ ଖେଳି ସେ ଶତକ ମାରିନାହାନ୍ତି। ଏହା ଧାରାକୁ ଜଲ୍‌ଦି ଭାଙ୍ଗିବାକୁ କୋହଲି ଚାହିଁବେ। ଭାରତ ଜିତିଲେ ଘରୋଇ ମାଟିରେ କୋହଲି ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ହେବେ। ଅନ୍ୟପକ୍ଷରେ ଇଂଲଣ୍ଡ ଜିତିଲେ ମାଇକେଲ ଭନ୍‌ଙ୍କୁ ପଛରେ ପକାଇ ରୁଟ୍‌ ଇଂଲଣ୍ଡର ସଫଳତମ ଟେଷ୍ଟ ଅଧିନାୟକ ହେବେ

Comments are closed.