ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିଫଳତା

ଚେନ୍ନାଇ: ଏମ. ଏ. ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ଟିମ୍‌ ବ୍ୟାଟିଂ ବିଫଳତାର ଶିକାର ହୋଇଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୫୭୮ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ଖରାପ ପ୍ରଦର୍ଶନ କରିଛି। ୩ୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୬ ଉଇକେଟ୍‌ ହରାଇ ୨୫୭ ରନ୍‌ କରିବାରେ ସକ୍ଷମ ହୋଇଛି।

ଇଂଲଣ୍ଡ ଆଜି ଅସମାପ୍ତ ପ୍ରଥମ ଇନିଂସରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ଖେଳାଳିମାନେ ବେଶି ସମୟ ତିଷ୍ଠି ରହିପାରି ନ ଥିଲେ। ଦଳ ୫୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତର ବ୍ୟାଟିଂ ପାଳି ଆରମ୍ଭ ହୋଇଥିଲା। ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଥିଲା।

ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ସୁବମନ ଗିଲ୍‌ ଯଥାକ୍ରମେ ୬ ଏବଂ ୨୯ ରନରେ ଆଉଟ୍‌ ହୋଇଯାଇଥିଲେ। ଚେତେଶ୍ବର ପୂଜାରା ଭଲ ଖେଳିଥିଲେ ହେଁ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ। ସେ ବ୍ୟକ୍ତିଗତ ୭୩ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ସେହିପରି ଅଧିନାୟକ ବିରାଟ କୋହଲି (୧୧) ଏବଂ ଆଜିଙ୍କ୍ୟ ରାହାଣେ (୧) ବି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ତେବେ ଋଷଭ ପନ୍ତ ଦିନିକିଆ ଢଙ୍ଗରେ ନିଜର ଖେଳ ଆରମ୍ଭ କରିଥିଲେ। ସେ ୮୮ ବଲ୍‌ରେ ଦ୍ରୁତ ୯୧ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ଶତକ ହାସଲ ପୂର୍ବରୁ ସେ ଆଉଟ୍‌ ହୋଇଯାଇଥିଲେ। ୨୨୫ ରନରେ ଦଳ ୬ ଉଇକେଟ୍‌ ହରାଇଥିଲା। ଏହା ପରେ ୱାଶିଂଟନ ସୁନ୍ଦର ଏବଂ ରବିଚନ୍ଦ୍ରନ ଅଶ୍ବିନ ସ୍ଥିତି କିଛିଟା ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି। ୩ୟ ଦିନ ଶେଷ ସୁଦ୍ଧା ସୁନ୍ଦର ୩୩ ରନ ଏବଂ ଅଶ୍ବିନ ୮ ରନ୍‌ରେ ଅପରାଜିତ ରହିଛନ୍ତି।

ଇଂଲଣ୍ଡ ପକ୍ଷରୁ ଡୋମିନିକ୍‌ ବେସ୍‌ ସର୍ବାଧିକ ୪ ଏବଂ ଜୋଫ୍ରା ଆର୍ଚର ୨ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି।

Comments are closed.