ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ଆଜିଠାରୁ

ମାଞ୍ଚେଷ୍ଟର : କ୍ରିକେଟ୍‌ର ଦୁଇ ମହାଶକ୍ତି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅତି ରୋଚକ ଓ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳା ଶେଷହେବାକୁ ଯାଉଛି। ଶୁକ୍ରବାରଠାରୁ ସ୍ଥାନୀୟ ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଛି। ତେବେ ଭାରତୀୟ ଦଳର ୪ର୍ଥ ସଦସ୍ୟ ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବାରୁ ଏହି ମ୍ୟାଚ୍‌ ଖେଳାଯିବାକୁ ନେଇ ସନ୍ଦେହ ରହିଛି। ଯଦି ଏହି ମ୍ୟାଚ୍‌ ବାତିଲ ହୁଏ କିମ୍ବା ମ୍ୟାଚ୍‌ରେ ଭାରତୀୟ ଦଳ ପରାଜୟ ଏଡ଼ାଇପାରେ; ତେବେ ୨୦୦୭ ପରେ ଇଂଲଣ୍ଡ ମାଟିରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିପାରିବ। ଫଳରେ ଉଭୟ ଅଷ୍ଟ୍ରେଲିଆ‌ରେ ​‌େ​‌ଟଷ୍ଟ ସିରିଜ୍‌ ଜିତିବାର ଏତିହାସିକ କୃତିତ୍ବ ଭାରତୀୟ ଦଳ ହାସଲ କରିବ। ୪ଟି ଟେଷ୍ଟ ପରେ ଭାରତ ଶୃଙ୍ଖଳାରେ ୨-୧ରେ ଆଗୁଆ ଅଛି। ଅନ୍ୟପକ୍ଷରେ ପରାଜୟ ଏଡ଼ାଇବା ପାଇଁ ଘରୋଇ ଇଂଲଣ୍ଡ ପାଖରେ ବିଜୟ ଛଡ଼ା ବିକଳ୍ପ ନାହିଁ। ପୁଣି ମ୍ୟାଚ୍ ମଝିରେ ବର୍ଷା ବାଧକ ସାଜିବାର ଆଶଙ୍କା ଥିବାରୁ ଇଂଲଣ୍ଡର କାମ ଆହୁରି କଷ୍ଟକର ହୋଇଯିବ। ଅବଶ୍ୟ ଘରୋଇମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ମିଳିବ।
ଏହି ପଡ଼ିଆରେ ଗତ ୧୫ଟି ଟେଷ୍ଟ ମ୍ୟାଚ୍‌ରୁ ଇଂଲଣ୍ଡ ୧୨ଟି ଜିତିଛି । ତେବେ ଭଙ୍ଗୁରୀୟ ଇଂଲଣ୍ଡ ବ୍ୟାଟିଂ ଏବଂ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବୋଲିଂକୁ ଦେଖିଲେ; ମ୍ୟାଚ୍‌ ଜିତିବାକୁ ଭାରତ ଅଧିକ ଦାବିଦାର । ମାଞ୍ଚେଷ୍ଟରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୯ଟି ଟେଷ୍ଟ ଖେଳା ଯାଇଥିବା ବେଳେ ଭାରତ ଥରେ ମଧ୍ୟ ଜିତିନାହିଁ। ଏହି ଧାରା ବଜାୟ ରଖିବାକୁ ଜୋ ରୁଟ୍‌ଙ୍କ ଦଳ ନିଶ୍ଚିତ ଚାହିଁବ। ୨୦୧୪ରେ ଏଠାରେ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲାରେ ଇଂଲଣ୍ଡ ଇନିଂସ ବିଜୟ ହାସଲ କରିଥିଲା। ହେଲେ ଓଭାଲ୍‌ ଟେଷ୍ଟର ପ୍ରଥମ ଇନିଂସରେ ୯୯ ରନ୍ ପଛରେ ରହିବା ପ​‌େ​‌ର ଯେଉଁ ଦଳ ୧୫୭ ରନ୍‌ରେ ଜିତିପାରୁଛି; ତାହାକୁ ପରାସ୍ତ କରିବାକୁ ହେଲେ ସ୍ବତନ୍ତ୍ର ପ୍ରଦର୍ଶନ ଆବଶ୍ୟକ। ମାଞ୍ଚେଷ୍ଟର ବିଶ୍ବର ସଫଳତମ ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍‌ଙ୍କ ଘରୋଇ ପଡ଼ିଆ ହୋଇଥିବାରୁ ଦଳକୁ ଶୃଙ୍ଖଳା ପରାଜୟରୁ ବଞ୍ଚାଇବାକୁ ସେ ପ୍ରୟାସ କରିବେ । ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ବୋଲରଙ୍କ ନଜର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଉପରେ ରହିବ। ପ୍ରଥମ ୩ଟି ଟେଷ୍ଟରେ ୩ଟି ଶତକ ମାରି ଭାରତକୁ ନାକେଦମ୍ କରି ସାରିଲେଣି ରୁଟ୍‌ । ଓଭାଲ୍‌ରେ ଶେଷ ୨ ଦିନରେ ସ୍ପିନରଙ୍କୁ ସହାୟତା ମିଳିପାରେ। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ରେ ୨ ସ୍ପିନରଙ୍କୁ ଖେଳାଇବା କଥା ଚିନ୍ତା କରିପାରନ୍ତି। ଇଂଲଣ୍ଡ ୨ଟି ପରିବର୍ତ୍ତନ କରିପାରେ। ୱିକେଟ ରକ୍ଷକ ଜନି ବେୟାରଷ୍ଟୋଙ୍କ ସ୍ଥାନରେ ଜୋସ୍ ବଟ୍‌ଲର ଖେଳିବେ। ପୁଣି ପେସ୍ ବୋଲର କ୍ରେଗ୍ ଓଭର୍ଟନଙ୍କ ସ୍ଥାନରେ ମାର୍କ ଉଡ୍‌ ଖେଳିପାରନ୍ତି। ଭାରତ ଏକାଧିକ ପରିବର୍ତ୍ତନ କରିପାରେ। ପେସ୍ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିପାରେ। ଫଳରେ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଖେଳିପାରନ୍ତି । ମହମ୍ମଦ ସାମି ଏକାଦଶକୁ ଫେରିଲେ ମହମ୍ମଦ ସିରାଜ୍‌ଙ୍କୁ ବିଶ୍ରାମ ମିଳିପାରେ। ପୁଣି ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଅନ୍ୟ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଖେଳିପାରନ୍ତି। ପିଚ୍ କଠିନ ଏବଂ ଏଥିରେ ଅଧିକ ବାଉନ୍‌ସ ରହିବ ।

Comments are closed.